ଭୁବନେଶ୍ବର: ଆଜି କ୍ୟାପିଟାଲ୍ ହସ୍ପିଟାଲ୍ ପରିସରରେ ଚକ୍ଷୁ ଓ ହୃଦ୍ରୋଗ ନିମନ୍ତେ ଥିବା ସ୍ବତନ୍ତ୍ର ଓପିଡି ଟିକେଟ୍ କାଉଣ୍ଟର୍ ଡେରି ଖୋଲିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଶତାଧିକ ରୋଗୀ ଓ ରୋଗୀ ସମ୍ପର୍କୀୟ ଧାଡ଼ିରେ ଠିଆ ହୋଇ କଲବଲ ହେଉଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ପ୍ରାୟ ୪୦ମିନିଟ୍ ବିଳମ୍ବରେ କାଉଣ୍ଟର ଖୋଲିବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।
ସୂଚନା ଅନୁଯାୟୀ, ସକାଳ ସାଢ଼େ ୮ଟାରେ ଓପିଡି ଟିକେଟ୍ କାଉଣ୍ଟର୍ ଖୋଲିବା ଲାଗି ସମୟ ଧାର୍ଯ୍ୟ ହୋଇଛି। ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ଓପିଡି ଟିକେଟ୍ ଖଣ୍ଡିଏ ପାଇଁ ସକାଳୁ ଆସି ଧାଡ଼ିରେ ଠିଆହେଉଛନ୍ତି। ମାତ୍ର କାଉଣ୍ଟର୍ ଠିକ୍ ସମୟରେ ନଖୋଲିବା ଫଳରେ ବହୁ ଲୋକେ ନିରାଶ ହୋଇ ଫେରିଯାଉଛନ୍ତି। କାଉଣ୍ଟର୍ ସମ୍ମୁଖରେ ଗଛତଳେ ଠିଆ ହୋଇ ସମୟ ବିତାଉଛନ୍ତି। ଗହଳି ଏତେ ହେଉଛି ଯେ ରୋଗୀଙ୍କୁ ଟିକେଟ୍ ମିଳୁନି। କେବଳ ଆଜି ନୁହେଁ ଏଭଳି ଘଟଣା ବାରମ୍ବାର ଦେଖିବାକୁ ମିଳୁଛି।
ପୂର୍ବାହ୍ନ ୯ଟାରେ ଡାକ୍ତର ରୋଗୀ ଦେଖିବା ପାଇଁ ନିୟମ ରହିଥିଲା ବେଳେ ୯ଟା ପରେ ବି ଟିକେଟ୍ କାଉଣ୍ଟର୍ ନଖୋଲିବା ଉଦ୍ବେଗର ବିଷୟ ବୋଲି ଜଣେ ରୋଗୀଙ୍କ ସମ୍ପର୍କୀୟ କହିଛନ୍ତି। ହୃଦରୋଗ ଭଳି ଗୁରୁତର ରୋଗୀ ଏତେ ସମୟ ଧରି ଧାଡ଼ିରେ ରହିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ଏ ସମ୍ପର୍କରେ କ୍ୟାପିଟାଲ ହସ୍ପିଟାଲର ନିର୍ଦ୍ଦେଶକ କହିଛନ୍ତି ଯେ ଏପରି ଅବ୍ୟବସ୍ଥା କାହିଁକି ସୃଷ୍ଟି ହୋଇଛି, ସେ ସମ୍ପର୍କରେ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।