ଖୋଲିବ କ୍ୟାପିଟାଲ ହସ୍ପିଟାଲ ଲାଇବ୍ରେରି

୧୨ବର୍ଷ ପରେ ମନେପଡ଼ିଲା

ଭୁବନେଶ୍ୱର : ୧୨ବର୍ଷ ପରେ ଖୋଲିବ କ୍ୟାପିଟାଲ ହସ୍ପିଟାଲ ଲାଇବ୍ରେରି। ହସ୍ପିଟାଲ କର୍ତୃପକ୍ଷ ଏଥିପାଇଁ ଯୋଜନା ଆରମ୍ଭ କରିଛନ୍ତି। ଜାତୀୟ ସ୍ୱାସ୍ଥ୍ୟ ମିସନ୍‌ର ସହାୟତାରେ ଲାଇବ୍ରେରିର ନବୀକରଣ କରାଯିବା। ଲାଇବ୍ରେରିକୁ ଚଳଚଞ୍ଚଳ କରିବା ପାଇଁ ସମସ୍ତ ବିଭାଗୀୟ ଡାକ୍ତରମାନଙ୍କୁ ପୁସ୍ତକ ପ୍ରଦାନ କରିବା ପାଇଁ ଅନୁରୋଧ କରାଯିବ ବୋଲି ଜଣାପଡ଼ିଛି।

ସୂଚନା ଅନୁଯାୟୀ, କ୍ୟାପିଟାଲ ହସ୍ପିଟାଲରେ ୨୦୦୫ ମସିହାରୁ ଲାଇବ୍ରେରି ରହିଛି। ମାତ୍ର ଲାଇବ୍ରେରି ନିର୍ମାଣ କରାଯିବା ଦିନଠାରୁ ତାହା କେବେ ବି କାର୍ଯ୍ୟକ୍ଷମ ହୋଇନାହିଁ। ଲାଇବ୍ରେରି ମଧ୍ୟରେ ଦାମୀ ଟେବୁଲ ଓ ଚେୟାର ସହିତ ଏସି ଓ ର‍୍ୟାକ୍‌ ରହିଛି। ଦୀର୍ଘଦିନ ପଡ଼ି ରହିବା ପରେ ଅଧିକାଂଶ ଟେବୁଲ ଓ ଚେୟାରରେ ଉଇ ଲାଗି ଗଲାଣି। ଏସି ଖରାପ ହୋଇଯାଇଥିବା ବେଳେ ଲାଇଟ୍‌ ଜଳୁନାହିଁ। ଲାଇବ୍ରେରି ଭିତରେ ଅଳନ୍ଦୁ ଲାଗି ଗଲାଣି। ତେବେ ହସ୍ପିଟାଲର କିଛି ଡାକ୍ତର ନିକଟରେ ହସ୍ପିଟାଲ କର୍ତୃପକ୍ଷଙ୍କୁ ଲାଇବ୍ରେରିକୁ ଚାଲୁ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଅବସରରେ ସମୟରେ ସେଠାରେ ମେଡିକାଲ ଜର୍ଣ୍ଣାଲ ଓ ପୁସ୍ତକର ବ୍ୟବସ୍ଥା କରିବା ପାଇଁ କହିଥିଲେ। ଏହି ପରିପ୍ରେକ୍ଷୀରେ ହସ୍ପିଟାଲ କର୍ତୃପକ୍ଷ ଲାଇବ୍ରେରିକୁ କାର୍ଯ୍ୟକ୍ଷମ କରିବା ପାଇଁ ଆଗେଇ ଆସିଛନ୍ତି। ଲାଇବ୍ରେରିର ନବୀକରଣ ପାଇଁ ଆବଶ୍ୟକ ଅର୍ଥ ଜାତୀୟ ସ୍ୱାସ୍ଥ୍ୟ ମିସନ୍‌କୁ ପ୍ରଦାନ କରିବା ପାଇଁ କର୍ତୃପକ୍ଷ ଆଲୋଚନା କରିଥିବା ଜଣାପଡ଼ିଛି।

କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକ ଡା. ସି.ଆର ଦାସ କହିଛନ୍ତି, ଦୀର୍ଘଦିନ ଧରି ଲାଇବ୍ରେରି ବନ୍ଦ ରହିବା ପରେ ଏଥିରେ ଅଳନ୍ଦୁ ଭରି ଯାଇଛି। ତେଣୁ ଲାଇବ୍ରେରିର ନବୀକରଣ ଜରୁରୀ ହୋଇ ପଡ଼ିଛି। ଏଥିପାଇଁ ଏନ୍‌ଏଚ୍‌ଏମ୍‌ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏନ୍‌ଏଚ୍‌ଏମ୍‌ କର୍ତୃପକ୍ଷ ଏହି ପ୍ରସ୍ତାବ ଗ୍ରହଣ କଲେ ନବୀକରଣ କାର୍ଯ୍ୟ ଆଗେଇବ। ଲାଇବ୍ରେରିର ସମସ୍ତ ଅଂଶର ନବୀକରଣ ନ କରି କିଛି ଅଂଶ ନୀବକରଣ କରି ଏହାକୁ ଚଳଚଞ୍ଚଳ କରାଯିବାକୁ ଯୋଜନା ହୋଇଛି। ପ୍ରାଥମିକ ପର୍ଯ୍ୟାୟରେ ୫୦ଖଣ୍ଡ ମେଡିକାଲ ପୁସ୍ତକ ଲାଇବ୍ରେରିରେ ରହିବ। ଏହାସହ ହସ୍ପିଟାଲର ସମସ୍ତ ବିଭାଗର ଡାକ୍ତରମାନଙ୍କୁ ଲାଇବ୍ରେରି ପାଇଁ ପୁସ୍ତକ ଦାନ କରିବା ପାଇଁ ଅନୁରୋଧ କରାଯିବ। ମେଡିକାଲ ଜର୍ଣ୍ଣାଲ ପାଇଁ ବିଭିନ୍ନ ସଂସ୍ଥା ସହିତ ଯୋଗାଯୋଗ କରାଯିବ ବୋଲି ଡା.ଦାସ କହିଥିଲେ।

ଉଲ୍ଲେଖ ଯେ, ଗତବର୍ଷ ମଧ୍ୟ ହସ୍ପିଟାଲ ନିର୍ଦେଶକ ହସ୍ପିଟାଲ ପରିସରରେ ଥିବା ଲାଇବ୍ରେରିକୁ ଖୋଲିବା ପାଇଁ ଯୋଜନା କରିଥିଲେ। ଦୀର୍ଘଦିନରୁ ବନ୍ଦ ପଡ଼ିଥିବା ଲାଇବ୍ରେରି ଖୋଲିବା ପରେ ଏହାର ଅନେକ ଅଂଶ ନଷ୍ଟ ହୋଇ ଯାଇଥିବା ଜଣାପଡ଼ିଥିଲା। ଏହାସତ୍ୱେ ଲାଇବ୍ରେରିକୁ କାର୍ଯ୍ୟକ୍ଷମ କରାଯିବ ବୋଲି ହସ୍ପିଟାଲ କର୍ତୃପକ୍ଷ କହିଥିଲେ। ମାତ୍ର ପରବର୍ତୀ ସମୟରେ ଏହା କେବଳ ନିଷ୍ପତ୍ତିରେ ରହି ଯାଇଥିଲା।

ସମ୍ବନ୍ଧିତ ଖବର