ଭୁବନେଶ୍ବର: ବନ୍ଦ କରିଦେଲେ କ୍ୟାପିଟାଲ ହସ୍ପିଟାଲରେ ଥିବା ମହିଳା ଜେନେରାଲ୍ ଓପିଡି। ଏବେ କେବଳ ଗୋଟିଏ ଓପିଡିରେ ପୁରୁଷ ଓ ମହିଳାରୋଗୀ ଡାକ୍ତରଙ୍କ ପରାମର୍ଶ ନେଉଛନ୍ତି। ଭିଡ଼ ବଢ଼ୁଥିବାରୁ କୁକୁର କାମୁଡ଼ା ରୋଗୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି କ୍ୟାପିଟାଲ୍ ହସ୍ପିଟାଲ୍ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ସୂଚନା ଅନୁସାରେ କ୍ୟାପିଟାଲ୍ ହସ୍ପିଟାଲର ଜେନେରାଲ୍ ଓପିଡିକୁ ଦୈନିକ ୪୦୦ ରୋଗୀ ଡାକ୍ତରୀ ପରାମର୍ଶ ପାଇଁ ଆସନ୍ତି। ବିଶେଷ କରି ଥଣ୍ଡା, ଜ୍ବର, ମୁଣ୍ଡବିନ୍ଧା, ପେଟ ରୋଗ ଭଳି ସାଧାରଣ ରୋଗ ସହିତ କୁକୁର, ବିଲୁଆ, ବିଲେଇ, ନେଉଳ ଆଦି କାମୁଡ଼ା ରୋଗୀ ମଧ୍ୟ ଏହି ବିଭାଗରେ ଦେଖାଇଥାନ୍ତି। ମହିଳା ଓ ପୁରୁଷଙ୍କ ପାଇଁ ଅଲଗା ଅଲଗା ଓପିଡି ରହିଥିଲା।
ପ୍ରତି ଦିନ ପ୍ରାୟ ୧୫୦ ମହିଳା ଏହି ବିଭାଗରେ ଡାକ୍ତରଙ୍କ ପରାମର୍ଶ ନେଇଥାନ୍ତି। କିନ୍ତୁ କିଛି ଦିନ ହେବ ଏହି ବିଭାଗକୁ ବନ୍ଦ କରି ଏହାକୁ ଆୟୁଷ୍ମାନ ଭାରତର ଏକ କାଉଣ୍ଟର୍ କରାଯାଇଛି। ଫଳରେ ପୁରୁଷ ପାଇଁ ଥିବା ଓପିଡିରେ ମହିଳାମାନେ ମଧ୍ୟ ଧାଡ଼ି ଲଗାଉଛନ୍ତି। ଲମ୍ବାଧାଡ଼ି ଫଳରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖା ଦେଇଛି। ତେଣୁ ଏହାକୁ ଦୃଷ୍ଟିରେ ରଖି କ୍ୟାପିଟାଲ୍ ହସ୍ପିଟାଲ୍ କର୍ତ୍ତୃପକ୍ଷ ପଶୁପକ୍ଷୀ କାମୁଡ଼ାରେ ଆହତମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଡାକ୍ତରୀ ପରାମର୍ଶ କକ୍ଷ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏବେ କ୍ୟାପିଟାଲ୍ ହସ୍ପିଟାଲ୍କୁ ଦୈନିକ ପ୍ରାୟ ୫୦ ପଶୁପକ୍ଷୀ କାମୁଡ଼ାରେ ଆହତ ରୋଗୀ ଆସୁଛନ୍ତି। ବେଳେବେଳେ ଏହି ସଂଖ୍ୟା ୨୦୦ରୁ ଅଧିକ ବଢ଼ିଯାଇଥାଏ। ତେଣୁ ଯେଉଁଠାରେ ଜଳାତଙ୍କ ଇଞ୍ଜେକ୍ସନ୍ ଦିଆଯାଉଛି ସେହିଠାରେ ଏକ ସ୍ବତନ୍ତ୍ର ଡାକ୍ତରୀ ପରାମର୍ଶ କକ୍ଷ କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି। ଖୁବ୍ଶୀଘ୍ର ଏହା କାର୍ଯ୍ୟକାରୀ ହେବ।