ଭୁବନେଶ୍ବର: ଦିନକୁ ଦିନ ରାଜଧାନୀରେ ସାଇବର ଠକେଇ ବଢ଼ିବାରେ ଲାଗିଛି। କାହାର କ୍ରେଡିଟ୍‌ କାର୍ଡ ଲିମିଟି ବଢ଼ାଇବାର ପ୍ରଲୋଭ‌ନ ଦେଖାଇ ତ କାହାକୁ କଞ୍ଚାମାଲ୍‌ କିଣିବା ଆଳରେ ଆଉ କାହାକୁ ଷ୍ଟକ ମାର୍କେଟ୍‌ରେ ପୁଞ୍ଜିନିବେଶ ଲୋଭ ଦେଖାଇ ଠକେଇ କରୁଛନ୍ତି। ଏମିତି ଲୋକଙ୍କୁ ଭୂଆଁ ବୁଲାଇ‌ ପୂର୍ବରୁ କୋଟି କୋଟି ଟଙ୍କା ଚୂନ ଲଗାଇଛନ୍ତି ସାଇବର ଠକ। ଗତ ଅକ୍ଟୋବରରେ ରାଜ୍ୟରେ ମୋଟ ୩୦୨ଟି ଠକେଇ ଅଭିଯୋଗ ଆସିଥିଲା।

Advertisment

ସେଥିମଧ୍ୟରୁ ଭୁବନେଶ୍ବରରୁ କେବଳ ୨୭୨ଟି ଅଭିଯୋଗ ଆସିଥିବା ବେଳେ ମୋଟ ୯୪ଲକ୍ଷ ଟଙ୍କା ଠକେଇ ହୋଇଛି। ସର୍ବାଧିକ ୧୦୦ଟି ୟୁପିଆଇଜନିତ ଠକେଇ ଅଭିଯୋଗ ଆସିଥିବା ବେଳେ ୮୯ଟି କ୍ରେଡିଟ୍ ଓ ଡେବିଟ୍ କାର୍ଡ ଏବଂ ୫୭ଟି ଅନ୍‌ଲାଇନ୍‌ ଠକେଇ ରହିଛି। ଏଥିମଧ୍ୟରୁ ଭୁବନେଶ୍ବର ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଥାନା ୩ଟି ମାମଲା ରୁଜୁ କରିଛି। ଏହାଛଡ଼ା ୨୬ଟି ସାମାଜିକ ଗଣମାଧ୍ୟମଜନିତ ମାମଲା ରହିଛି। ଅପରପଟେ ଠକେଇ ହୋଇଥିବା ୯୪ ଲକ୍ଷ ଟଙ୍କାରୁ ମୋଟ ୯ଲକ୍ଷ ୯୧ହଜାର ୯୯୫ଟଙ୍କା ଅଭିଯୋଗକାରୀଙ୍କୁ ଫେରସ୍ତ କରାଯାଇଥିବା ବେଳେ ୧୩ଲକ୍ଷ ୫ହଜାର ୮୦୧ଟଙ୍କା ଫେରସ୍ତ କରାଯିବାକୁ ରହିଛି।