ଦାଣ୍ଡିଆରେ ଝୁମିବନି ରାଜଧାନୀ: ଆୟୋଜକ ହତାଶ ଲୋକ ନିରାଶ

ଭୁବନେଶ୍ବର: ଆସୁଛି ନବରାତ୍ରୀ। ନବରାତ୍ରୀ ପୂର୍ବରୁ ମା’ଙ୍କ ସ୍ବାଗତର ପ୍ରତିଧ୍ବନି ସାଜେ ରାଜଧାନୀର ‘ଦାଣ୍ଡିଆ ଉତ୍ସବ’। ରାଧାକୃଷ୍ଣଙ୍କ ରାସଲୀଳାର ଗାଥା ବହନ କରୁଥିବା ଏବଂ ମା’ ଦୁର୍ଗା ଓ ମହିଷାଶୂର ମଧ୍ୟରେ ହୋଇଥିବା ଯୁଦ୍ଧର ମୂକସାକ୍ଷୀ ଏହି ଦାଣ୍ଡିଆ ନୃତ୍ୟ ମା’ ମହିଷାମର୍ଦ୍ଦିନୀଙ୍କ ଅତି ପ୍ରିୟ। ଭକ୍ତି ସହ ମସ୍ତି କରିବାର ଏକ ଅପୂର୍ବ ଅବକାଶ ଆଣୁଥିବା ଏହି ନୃତ୍ୟ କିନ୍ତୁ ଏଥର ରାଜଧାନୀରେ ଦେଖିବାକୁ ମିଳିବ ନାହିଁ। ୧୮ ବର୍ଷ ପରେ ଏଥିରେ ବିରାମ ଲାଗିବ। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ‘ଦାଣ୍ଡିଆ ନାଇଟ୍‌’ ଆୟୋଜିତ ହେଉଥିବା ବେଳେ ହଜାର ହଜାର ଲୋକ ସାମିଲ ହେଉଥିଲେ। ମହିଳାମାନେ ଲେହେଙ୍ଗା ଚୋଲି ଓ ପୁରୁଷମାନେ ପାରମ୍ପରିକ ସେରୱାନି ପିନ୍ଧି ଦାଣ୍ଡିଆ ନୃତ୍ୟର ମଜା ନେବା ସହ ପରମ୍ପରାର ଆଦାନ ପ୍ରଦାନ କରନ୍ତି। ଷଷ୍ଠୀ ତିଥିରୁ ଆରମ୍ଭ ହୋଇଯାଏ ଦାଣ୍ଡିଆ ନାଇଟ୍‌। ବଡ଼ ତାରକା ହୋଟେଲଠାରୁ ଆରମ୍ଭ କରି ରାଜଧାନୀର ପ୍ରମୁଖ ପଡ଼ିଆମାନଙ୍କରେ ଆୟୋଜିତ ହୁଏ ଦାଣ୍ଡିଆ କାର୍ଯ୍ୟକ୍ରମ। ସଙ୍ଗୀତ, ନୃତ୍ୟ ସହ ଭକ୍ତିର ଏକ ଅନନ୍ୟ ପସରା ରାଜଧାନୀ ଅଗଣାରେ ଖୋଲିଗଲା ଭଳି ଲାଗେ। କିନ୍ତୁ ଏଥର ଏ ଅବକାଶ ଜୁଟିବ ନାହିଁ।

ଦାଣ୍ଡିଆ ନାଇଟ୍‌କୁ ଅଧିକ ଆକର୍ଷଣୀୟ କରିବାକୁ ଆୟୋଜକମାନେ ଏଥିରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରନ୍ତି। ଶ୍ରେଷ୍ଠ କଷ୍ଟୁମ୍‌ ପୁରସ୍କାର, ଶ୍ରେଷ୍ଠ ଦମ୍ପତି, ଶ୍ରେଷ୍ଠ ନୃତ୍ୟଶିଳ୍ପୀ, ଶ୍ରେଷ୍ଠ ଯୋଡ଼ି ଆଦି ବିଭିନ୍ନ ପ୍ରତିଯୋଗିତା ଦାଣ୍ଡିଆ ନାଇଟ୍‌ର ଉତ୍ସାହକୁ ଦ୍ବିଗୁଣିତ କରେ। ପୁଣି ଦାଣ୍ଡିଆ ନାଇଟ୍‌ରେ ମହିଳାଙ୍କ ପାଇଁ ମେହେନ୍ଦି, ଟାଟୁ, ମେକ୍‌ଅପ୍‌, ହେୟାର ସେଟିଂ ଓ ଚୁଡ଼ି ଆଦି ଷ୍ଟଲ୍‌ ବି ଖୋଲେ। ଏଥିସହ ପିଲାମାନଙ୍କ ପାଇଁ ଗେମ୍‌, ଆକ୍ଟିଭିଟି ଓ ସେଲ୍‌ଫି ଜୋନ୍‌ ବି ଖୋଲା ରୁହେ। ନବରାତ୍ର ଆସିଲେ ଭକ୍ତି, ପୁଜା, ଛୁଟି, ଅବସର ଓ ମ‌ନୋରଞ୍ଜନର ଏକ ପରିପୂର୍ଣ୍ଣ ପ୍ୟାକେଜ୍‌ ନେଇଆସେ। କିନ୍ତୁ ଚଳିତ ବର୍ଷ କରୋନା ମହାମରୀ ଏସବୁରେ ପୂର୍ଣ୍ଣଚ୍ଛେଦ ଟାଣିଛି। ଆୟୋଜକମାନେ ହତାଶ ହୋଇଥିବା ବେଳେ ସହରବାସୀ ବି ନିରାଶ ହୋଇଛନ୍ତି।

୧୪ ବର୍ଷରେ ପ୍ରଥମ ଥର ପାଇଁ ଦାଣ୍ଡିଆ ଉତ୍ସବରେ ବରାମ
୨୦୦୬ରୁ ଆମେ ଅବିରତ ଭାବେ ଦାଣ୍ଡିଆ ଉତ୍ସବର ଆୟୋଜନ କରିଆସୁଛୁ। ପ୍ରତିବର୍ଷ ଆ‌‌ମେ ମା’ ଦୁର୍ଗାଙ୍କ ଆରାଧନା ସ୍ବରୂପ ନବରାତ୍ର ପୂଜା କରୁ। ଯେମିତି ମା’ ଆଗରେ ତା’ ପିଲା ଖେଳିଲେ ସେ ଖୁସି ହୁଏ, ଠିକ୍‌ ସେହିଭଳି ଦାଣ୍ଡିଆ ନୃତ୍ୟ/ଖେଳ ଦ୍ବାରା ମା’ ଦୁର୍ଗା ବେଶ୍‌ ପ୍ରସନ୍ନ ହୁଅନ୍ତି ବୋଲି ବିଶ୍ବାସ ରହିଛି। ଏଣୁ ଗତ ୧୪ ବର୍ଷ ଧରି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଆସୁଥିଲା। ଚଳିତ ବର୍ଷ ମଧ୍ୟ ଅକ୍ଟୋବର ୧୭ରୁ ୨୬ ତାରିଖ ଯାଏ ମା’ଙ୍କ ନବରାତ୍ର ପୂଜା ଆୟୋଜିତ ହେବ। କିନ୍ତୁ ଚଳିତ ବର୍ଷ କରୋନା କଟକଣା ଓ ସତର୍କତା ଦୃଷ୍ଟିରୁ ଦାଣ୍ଡିଆ ଉତ୍ସବ ହେବ ନାହିଁ।
ପରେଶ ନାୟକ, ଅଧ୍ୟକ୍ଷ, ଓଡ଼ିଶା ଇଣ୍ଟର‌୍‌ନ୍ୟାସ୍‌ନାଲ୍‌ ସେଣ୍ଟର

ଏଥର ଭର୍ଚୁଆଲ ‘ଦାଣ୍ଡିଆ ଉତ୍ସବ’
୮ ବର୍ଷ ଧରି ଆୟୋଜିତ ହୋଇଆସୁଥିବା ‘ପ୍ରୟାସ ଦାଣ୍ଡିଆ ନାଇଟ୍‌’ରେ ଏଥର ବିରାମ ଲାଗିଥାନ୍ତା। କିନ୍ତୁ ବାରମ୍ବାର ଲୋକମାନେ ଫୋନ୍‌ କରି ଏଥର ଦାଣ୍ଡିଆ ଉତ୍ସବ ଆୟୋଜିତ ହେଉଛି କି ନାହିଁ ପଚାରିବାରୁ, ଲୋକଙ୍କ ଆଗ୍ରହକୁ ନେଇ ଏଥର ଆମେ ଭର୍ଚୁଆଲ୍‌ ଦାଣ୍ଡିଆ ଉତ୍ସବ ପାଳନ କରିବୁ। ସରକାରଙ୍କ ତରଫରୁ ଦାଣ୍ଡିଆ ଉତ୍ସବ ପାଳନ ପାଇଁ ଆମକୁ ଅନୁମତି ମିଳିନାହିଁ। ଯଦି ସ୍ଥିତି ସୁଧୁରେ ଆସନ୍ତାବର୍ଷ ଅନୁମତି ମିଳିଲେ ପୁଣି ତାହା ଚାଲିବ। କିନ୍ତୁ ଚଳିତ ବର୍ଷ ପାଇଁ ଆମେ ଇଣ୍ଟରନେଟ୍‌ର ସାହାରା ନେବୁ। ପ୍ରତିଯୋଗୀମାନେ ସେମାନଙ୍କ ଭିଡିଓ କରି ପ୍ରୟାସକୁ ଛାଡ଼ିଲେ ଶ୍ରେଷ୍ଠ ପୋଷାକ, ଦମ୍ପତି, ‌ନୃତ୍ୟଶିଳ୍ପୀ, ଷ୍ଟ୍ରିଟ୍‌ ଡ୍ୟାନ୍ସର୍‌ ପୁରସ୍କାର ପ୍ରଦାନ କରିବୁ। ବିଜେତାମାନଙ୍କୁ ଘରେ ନେଇ ପୁରସ୍କାର ଦେଇ ଆସିବୁ। ଆସନ୍ତା ୨୧ ତାରିଖ ଷଷ୍ଠୀରୁ ଏହି ପ୍ରତିଯୋଗିତା ଆରମ୍ଭ ହେବ।
ବନ ମହାନ୍ତି, ଅଧ୍ୟକ୍ଷ, ପ୍ରୟାସ

ଦାଣ୍ଡିଆ ବିନା ପୂଜା ଅବକାଶ ଫିକା
ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଯେ କୌଣସି କାର୍ଯ୍ୟକ୍ରମ ହେଉ ଇଭେଣ୍ଟ ମ୍ୟାନେଜରକୁ ଖୋଜାପଡ଼େ। ଦାଣ୍ଡିଆ ତ’ ସହରୀ ସଭ୍ୟତାର ଏକ ପରମ୍ପରା। ଗତ ୫ ବର୍ଷ ଧରି ରାଜଧାନୀର ବହୁ ତାରକା ହୋଟେଲରେ ଆମେ ଦାଣ୍ଡିଆ ଉତ୍ସବ ଆୟୋଜିତ କରି ଆସିଛୁ। ପ୍ରତିବର୍ଷ ଏନେଇ ୨୦ରୁ ୨୫ ଲକ୍ଷ ଟଙ୍କାର ବ୍ୟବସାୟ ହୁଏ। ଦିନକୁ ଦିନ ଦାଣ୍ଡିଆର କ୍ରେଜ୍‌ ବଢ଼ିଚାଲିଥିବା ବେଳେ ଚଳିତ ବର୍ଷ ପାଇଁ କିଛି ନୂଆ କରିବାର ଯୋଜନା କରିଥିଲୁ। କିନ୍ତୁ ଏଥର ବିନା ଦାଣ୍ଡିଆରେ ପୂଜା ଅବକାଶ ଫିକା ଲାଗିବ।
ଅନନ୍ୟା ବେହେରା, କାର୍ଯ୍ୟନିର୍ବାହୀ ନିଦ୍ଦେଶିକା, ସାଇନିଂ ଇ୦ଭେଣ୍ଟ୍‌ସ୍‌

ସମ୍ବନ୍ଧିତ ଖବର