ଚଢ଼ଉ ବେଳେ ପଦାକୁ ଆସିଲା ଭେଜାଲ ବେପାର
ପାହାଳ ନିକଟରେ କାରଖାନା ସିଲ୍, ମାଲିକ ଫେରାର
୧୨ ଲକ୍ଷ ଟଙ୍କାର ନକଲି ଓ ନିମ୍ନମାନର ସାମଗ୍ରୀ ଜବତ
ଭୁବନେଶ୍ବର/ବାଲିଅନ୍ତା : ପଚା କଖାରୁରେ ତିଆରି ହେଉଥିଲା ସସ୍, ଯେଉଁ ଆମ୍ବୁଲରେ ଆଚାର ତିଆରି ହେଉଥିଲା, ସେଥିରେ ସାଲୁବାଲୁ ହେଉଥିଲେ ଲମ୍ବା ଲମ୍ବା ପୋକ। ସସ୍ ଭଳି ବାସ୍ନା ହେବାକୁ ଯେଉଁ କେମିକାଲ ଓ ରଙ୍ଗ ମିଶୁଥିଲା ତାହା କେବଳ ଶିଳ୍ପରେ ବ୍ୟବହାର ଉଦ୍ଦିଷ୍ଟ ଥିଲା। ଏହାକୁ ନିୟମିତ ଖାଇଲେ କ୍ୟାନ୍ସର ଭଳି ରୋଗରେ ମରିବା ଥୟ। ଏଭଳି ଭେଜାଲ ଓ ନିମ୍ନମାନର ଖାଦ୍ୟ ସାମଗ୍ରୀ ଚିକଣିଆ ପ୍ଲାଷ୍ଟିକ୍ ଡବାରେ ବଜାରକୁ ଆସୁଥିଲା। ରାସ୍ତାକଡ଼ର ଫାଷ୍ଟ୍ଫୁଡ୍ ଦୋକାନଠାରୁ ଆରମ୍ଭ କରି ବଡ଼ ବଡ଼ ଗ୍ରୋସରି ଦୋକାନ ପର୍ଯ୍ୟନ୍ତ ସବୁଠି ମିଳୁଥିଲା ଏହି ଖଟାମିଠା ଜହର। ଏହାର ପ୍ରସ୍ତୁତି ପ୍ରକ୍ରିୟା ଦେଖିଲେ ହୁଏତ ଘୃଣାରେ ସମସ୍ତେ ରାସ୍ତାକଡ଼ରୁ ଫାଷ୍ଟ୍ଫୁଡ୍ରେ ସସ୍ ଖାଇବା ଛାଡ଼ିଦେବେ।
ସ୍ବାସ୍ଥ୍ୟ ବିଭାଗର ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶାଳୟ ସହାୟତାରେ ସ୍ପେସାଲ ସ୍କ୍ବାଡ୍ ଆଜି ପାହାଳ ଫାଣ୍ଡି ଅଞ୍ଚଳର ରୁଦ୍ରପୁରରେ ଚଢ଼ଉ କରି ଏଭଳି ସାମଗ୍ରୀ ପ୍ରସ୍ତୁତ କରୁଥିବା ଏକ କାରଖାନାକୁ ସିଲ୍ କରିଛି। ସେଠାରୁ ବିପୁଳ ପରିମାଣର ପୋକା ଆମ୍ବୁଲ, ଖଟାମିଠା ମିକ୍ସ ଆଚାର ଓ ସସ୍ ଜବତ କରାଯାଇଛି। ଏ ସବୁ ତିଆରି ପାଇଁ ବ୍ୟବହୃତ ଯନ୍ତ୍ରାଂଶ ଯଥା ଗ୍ରାଇଣ୍ଡର, ଟ୍ରେ, ସିନଟ୍ରାକ୍ସ ଟାଙ୍କି, ଜାର୍, ସିଲଭର ଟପ୍, ବିଭିନ୍ନ ବ୍ରାଣ୍ଡର ନକଲି ଲେବୁଲ, ଖାଲି କାଚ ବୋତଲ, ଜାର୍ ଆଦି ସାମଗ୍ରୀ ଜବତ ହୋଇଛି। ଜବତ ସାମଗ୍ରୀର ମୂଲ୍ୟ ୧୨ ଲକ୍ଷ ଟଙ୍କାରୁ ବେଶି ହେବ ବୋଲି ସ୍ପେଶାଲ ସ୍କ୍ବାଡ୍ ଅନୁମାନ କରୁଛି। ସଂସ୍ଥାର ଅନ୍ୟ କେଉଁଠି ଏଭଳି କାରବାର ହେଉଛି, କେଉଁମାନେ ମାଲ୍ ନେଉଥିଲେ, କେଉଁଠୁ ଆସୁଥିଲା କଞ୍ଚାମାଲ୍, ଏ ସବୁ ଉପରେ ତଦନ୍ତ ଚାଲିଛି। ଖବର ପାଇ ସଂସ୍ଥାର ମାଲିକ ପ୍ରମୋଦ କୁମାର ଦାଶ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ତାଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରହିଥିବା କହିଛନ୍ତି ସ୍ପେସାଲ ସ୍କ୍ବାଡ୍ ଏସିପି ସଞ୍ଜୀବ ଶତପଥୀ।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ମୁତାବକ, ସମ୍ପୃକ୍ତ କାରଖାନାକୁ କଞ୍ଚାମାଲ ଚେନ୍ନାଇରୁ ଆସୁଥିଲା। ସେ ରୁଦ୍ରପୁରରେ ଉତ୍ପାଦନ କରିବା ପାଇଁ ଲାଇସେନ୍ସ ପ୍ରାପ୍ତ ହୋଇଥିଲା, କିନ୍ତୁ ଭିନ୍ନ ସ୍ଥାନରେ କରୁଥିଲା। ପ୍ୟାକେଟ୍ରେ ଆଇଏସ୍ଓ ମାନ୍ୟତା ବୋଲି ଲେଖୁଥିଲା। ୨୦୧୮ ମସିହାରୁ ଲାଇସେନ୍ସ ବାତିଲ ହୋଇଥିଲେ ମଧ୍ୟ ନବୀକରଣ ହୋଇ ନ ଥିଲା। ଏହି ସବୁ ଖାଦ୍ୟ ପଦାର୍ଥ ଉତ୍ପାଦନ ପାଇଁ ଜଣେ ବୈଷୟିକ ଜ୍ଞାନ ସମ୍ବଳିତ ବ୍ୟକ୍ତିର ଆବଶ୍ୟକତା ରହିଥାଏ। ହେଲେ ଏଠାରେ କେହି ନଥିଲେ। ଖାଦ୍ୟ ପଦାର୍ଥରେ ଯେଉଁ ରଙ୍ଗ ମିଶା ଯାଉଥିଲା ତାହା କେବଳ ଶିଳ୍ପରେ ବ୍ୟବହାର ଉଦ୍ଦିଷ୍ଟ ଥିଲା। ଏହି ସବୁ ଜବତ ଖାଦ୍ୟ ସାମଗ୍ରୀରୁ ୫ଟି ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି। ଏଥିରେ ଟମାଟୋ ପ୍ୟୁରି, ଆଚାରର କଞ୍ଚାମାଲ ନମୁନା ରହିଛି। ସମସ୍ତ କଞ୍ଚାମାଲ୍ ସଢ଼ି ଯାଇଥିଲା। ଏହି ସବୁ ପଚାସଢ଼ା ସାମଗ୍ରୀ ବ୍ୟବହାର କରି ‘ପିଲପୁଲ୍’ ନାମକ ସସ୍ ଓ ଆଚାର ତିଆରି ହେଉଥିଲା।
ଏ ନେଇ ଚଢ଼ଉରେ ସାମିଲ ଥିବା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରତୀକ୍ଷା ଦାସମହାପାତ୍ର କହିଛନ୍ତି, ମୋଟ ୫ କୁଇଣ୍ଟାଲ ଲେଖାଏଁ କଞ୍ଚାମାଲ ଓ ଉତ୍ପାଦ ଜବତ କରାଯାଇଛି। ସେଗୁଡ଼ିକୁ ନଷ୍ଟ କରାଯିବ। ମାଲିକ ଫେରାର ଥିବାରୁ କେଉଁ ଅଞ୍ଚଳକୁ ମାଲ୍ ପଠାଯାଉଥିଲା ତାହା ଜଣାପଡ଼ି ନାହିଁ। ତେବେ ଆମେ ସୂଚନା ପାଇ ବିଭିନ୍ନ ବଜାରରେ ଚଢ଼ଉ ଜାରି ରଖିଛୁ। ଆଗକୁ ଅନ୍ୟ ଅପମିଶ୍ରିତ ଖାଦ୍ୟ ସସ୍, ଚା, ମସଲା, ଘିଅ ଉପରେ ଚଢ଼ଉ କରାଯିବ ବୋଲି ଜଣାପଡ଼ିଛି।
ଏ ନେଇ ବାଲିଅନ୍ତା ଥାନାରେ ଏକ ମାମଲା ରୁଜୁ ହୋଇଛି। ମାଲିକକୁ ଠାବ କରିବା ସହ ଅନ୍ୟ କେଉଁ ଅଞ୍ଚଳକୁ ସେ ଚାଲାଣ କରୁଥିଲା ସେ ନେଇ ତଥ୍ୟ ସଂଗ୍ରହ କରାଯାଉଥବା କହିଛନ୍ତି ବାଲିଅନ୍ତା ଥାନା ଇନ୍ସ୍ପେକ୍ଟର ପ୍ରଦୀପ କୁମାର ରାଉତ।
ସୂଚନାଯୋଗ୍ୟ, ନିକଟରେ ରାଜଧାନୀର ଏୟାରଫିଲ୍ଡ ଥାନା ଅଞ୍ଚଳରେ ଏଭଳି ଏକ ନକଲି ଘିଅ ଓ ତେଲ ପ୍ରସ୍ତୁତି କାରଖାନା ଠାବ କରାଯିବା ସହ ମାଲିକକୁ ଗିରଫ ମଧ୍ୟ କରାଯାଇଥିଲା। ତେବେ ରାଜଧାନୀରେ ଏହିଭଳି ଆହୁରି ଅନେକ ନକଲି ଓ ସ୍ବାସ୍ଥ୍ୟପାଇଁ ବିପଜ୍ଜନକ ଖାଦ୍ୟ ସାମଗ୍ରୀ ତିଆରି ହେଉଛି ବୋଲି ‘ସମ୍ବାଦ’ ମହାନଗର ଟିମ୍ର ଏକ ଅନୁସନ୍ଧାନରୁ ଜଣାପଡ଼ିଥିଲା ଏବଂ ଏ ନେଇ ‘ବିଷ ବଳୟରେ ରାଜଧାନୀ’ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ବିଶେଷ କରି ସହରର ଉପକଣ୍ଠରେ ଏଭଳି ଅପମିଶ୍ରଣ ଚାଲିଥିବା ସୂଚନା ଦିଆଯାଇଥିଲା।