ଭୁବନେଶ୍ବର : ଠକଙ୍କ ମାୟାଜାଲରେ ଫସିଛି ରାଜଧାନୀ। କିଏ ପୁଞ୍ଜି ନିବେଶ ନାଁରେ ଅଧିକ ଟଙ୍କା ଫେରାଇବାର ଲୋଭ ଦେଖାଇ ତ କିଏ ଜମି, ଫ୍ଲାଟ୍‌ ଦେବା ନାଁରେ ଲୋକଙ୍କୁ ପ୍ରଲୋଭିତ କରି ଠକୁଛି। କିଏ ପୁଲିସ ବେଶରେ ମାମଲାର ସମାଧାନ ପାଇଁ କହି ଠକିଲାଣି ତ କିଏ ଏଜେଣ୍ଟ ନାଁରେ ଲାଭଦାୟକ ବୀମା କରିବାକୁ କହି ଲୋକଙ୍କୁ ଭୂଆଁ ବୁଲାଇଲାଣି। ପୁଣି କିଏ ଚାକିରି ଦୋବା ନାଁରେ ତ କିଏ ବିଭିନ୍ନ ସ୍କିମ୍‌ରେ ଲୋକଙ୍କୁ ଗାଡ଼ି ମୋଟର ଠାରୁ ଆରମ୍ଭ କରି ଗାର୍ମେଣ୍ଟସ୍‌ ଶସ୍ତାରେ ଦେବାର ଲୋଭ ଦେଖାଇ ଲୋକଙ୍କୁ ଚୂନ ଲଗାଇଲାଣି। ଓଏଲ୍‌ଏକ୍ସଠାରୁ ଆରମ୍ଭ କରି ବିଭିନ୍ନ ସୋସିଆଲ୍‌ ମିଡିଆ ସାଇଟ୍‌ ଜରିଆରେ ଲୋକଙ୍କୁ ଠାରୁ ଟଙ୍କା ଲୁଟି ନେଲେଣି। ରାଜଧାନୀରେ ଠକ ଏଭଳି ଜାଲ ବିଛାଇଛନ୍ତି ଯେ, ପୁଲିସ ସେମାନଙ୍କ ଟେର୍‌ ପାଇବା କାଠିକର ପାଠ ହୋଇଯାଇଛି। ପୁଲିସ ଗୋଟିଏ ଖିଅ ଧରୁ ଧରୁ ଠକମାନେ ଆଉ ପାଦେ ଆଗକୁ ଯାଇ ନୂଆ ତରିକାରେ ଲୋକଙ୍କୁ ଚୂନ ଲଗାଉଛନ୍ତି।

Advertisment

୨୦୨୧ ମସିହାର ୧୧ମାସରେ ଠକମାନେ ରାଜଧାନୀର ୭୯୧ ଲୋକଙ୍କୁ ଚୂନ ଲଗାଇ କୋଟି କୋଟି ଟଙ୍କା ଲୁଟିଛନ୍ତି। କମିସନରେଟ୍‌ ପୁଲିସର ୨୪ଟି ଥାନାରେ ୭୯୧ ମାମଲା ପଞ୍ଜୀକୃତ ହୋଇଛି। ମାତ୍ର ୨୫୪ ମାମଲାର ପୁଲିସ ତଦନ୍ତ ଶେଷ ହୋଇଛି। ବାକି ୫୩୭ ମାମଲା ତଦନ୍ତ ଅପେକ୍ଷାରେ ରହିଛି। ଅର୍ଥାତ ପୁଲିସ ୬୮% ମାମଲାରେ ଅପରାଧୀଙ୍କ ପାଖରେ ପହଞ୍ଚିପାରିନାହିଁ। କମିସନରେଟ୍‌ ପୁଲିସ ପକ୍ଷରୁ ଦିଆଯାଇଥିବା ବାର୍ଷିକ ତଥ୍ୟରୁ ଏହା ସ୍ପଷ୍ଟ ହୋଇଛି। ତେବେ ୨୫୪ ମାମଲାରେ ପୁଲିସ ୧୮୨ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେଥିରେ ୧୭୭ଜଣ ପୁରୁଷ ଓ ୪ଜଣ ମହିଳା ସାମିଲ୍‌ ଅଛନ୍ତି। ସବୁଠୁ ଆଶ୍ଚର୍ଯ୍ୟର କଥା ଯେ, ମହିଳାମାନେ ବି ଏଭଳି ଠକ ଗ୍ୟାଙ୍ଗ ସହ ସାମିଲ୍‌ ରହୁଛନ୍ତି।

publive-image

ସୂଚନାନୁସାରେ ବଡଗଡ ଥାନାରେ ସର୍ବାଧିକ ୯୧ ଟି ମାମଲା ରୁଜୁ ହୋଇଥିବା ବେଳେ ପଛକୁ ଖଣ୍ଡଗିରି ଥାନାରେ ୭୯ ଟି, ଚନ୍ଦ୍ରଶେଖରପୁର ଥାନାରେ ୬୧ଟି ଏବଂ କ୍ୟାପିଟାଲ ଥାନାରେ ୫୫ ଟି ତଥା ଲକ୍ଷ୍ମୀସାଗର ଥାନାରେ ୫୪ ଟି ମାମଲା ରୁଜୁ ହୋଇଛି। ସେହିପରି ମହିଳା ଥାନାରେ ସର୍ବନିମ୍ନ ୫ ଟି ଠକେଇ ମାମଲା ରୁଜୁ ହୋଇଥିବା ବେଳେ ବାଲିପାଟଣା ରେ ୮ ଟି, ନନ୍ଦନକାନନରେ ୧୨ ଟି, ତମାଣ୍ଡୋ ରେ ୧୪ ଟି ଏବଂ ଖାରବେଳନଗର ଥାନାରେ ୧୭ ଟି ଠକେଇ ମାମଲା ପଞ୍ଜୀକୃତ ହୋଇଛି। ତେବେ ବଡଗଡ ଥାନା ସର୍ବାଧିକ ୪୫ ଟି ମାମଲାର ତଦନ୍ତ ଶେଷ କରିଥିବା ବେଳେ ଇନ୍‌ଫୋସିଟି ଥାନା ୨୨ ଟି, ଲକ୍ଷ୍ମୀସାଗର୨୦ ଟି ଏବଂ ସହିଦନଗର ଥାନା ୧୯ ଟି ମାମଲାର ତଦନ୍ତ ଶେଷ କରିଛି। ବାଲିପାଟଣା ଥାନା ଗୋଟିଏ ବି ହେଲେ ମାମଲାର ତଦନ୍ତ ଶେଷକରିପାରି ନାହିଁ।

ଅନ୍ୟପଟେ ରାଜଧାନୀରେ ଠକଙ୍କ ପାର୍ଦୁଭାବ ବଢ଼ିଚାଲିଥିବା ବେଳେ ଏଥିରେ ରୋକ୍‌ ଲଗାଇବା ପାଇଁ କମିସନରେଟ୍ ପୁଲିସ ଅଣ୍ଟାଭିଡ଼ିଥିଲା। ଆଣ୍ଟି ଫ୍ରଡ୍ ସେଲ୍ ଗଠନ କରି ବିଭିନ୍ନ ଠକେଇ ମାମଲାକୁ ହାତକୁ ନେଇ ଅପରାଧୀଙ୍କୁ ସାବାଡ୍‌ କରିଛି। ଚଳିତ ବର୍ଷ ସୁଦ୍ଧା ଏହି ସେଲ୍‌ ବିଭିନ୍ନ ଥାନାରେ ରୁଜୁ ହୋଇଥିବା ଠକେଇ ଜନିତ ୧୮୭ଟି ମାମଲାର ସମୀକ୍ଷା କରି ୭୩ ଟି ମାମଲାରେ ତଦନ୍ତ ଶେଷ କରିଛି।

publive-image

କେତେକ ଚର୍ଚ୍ଚିତ ଠକେଇ
ଓଏଲ୍‌ଏକ୍ସରେ ବିଜ୍ଞାପନ ଦେଇ ଲୋକଙ୍କୁ ଗାଡି କିଣାଇ ଦେବାର ପ୍ରତିଶ୍ରୁତି ଦେଇ ଲୋକଙ୍କୁ ଭୂଆଁ ବୁଲାଉଥିବା ଧଉଳି ଗୋପୀନାଥପୁର ଗାଁର ତୃପ୍ତି ରଞ୍ଜନ ଦାସଙ୍କୁ ବଡ଼ଗଡ଼ ଥାନା ଗିରଫ କରିଥିଲା। ଉତ୍କଳ ବିଶ୍ବବିଦ୍ୟାଳୟରୁ ଏମ୍‌ବିଏ ତଥା ଏଲ୍‌ଏଲ୍‌ବି ଶିକ୍ଷା ଲାଭ ପରେ ତୃପ୍ତି ଗାଡ଼ି ଦେବା ନାଁରେ ବିଭିନ୍ନ ଲୋକଙ୍କ ପାଖରୁ ଲକ୍ଷାଧିକ ଟଙ୍କା ନେଇ ଚମ୍ପଟ ମାରିଥିଲା। ତା ନାଁରେ ରାଜଧାନୀର ବିଭିନ୍ନ ଥାନାରେ ୪୭ ଟି ମାମଲା ପଞ୍ଜୀକୃତ ହୋଇଥିଲା।

ଆଣ୍ଟି ଫ୍ରଡ୍ ସେଲ୍ ଓ ସହିଦନଗର ଥାନାର ମିଳିତ ଉଦ୍ୟମରେ ପ୍ଲଟ ନମ୍ବର ୬୯, ସହିଦନଗର ସ୍ଥିତ ମା ତାରିଣୀ ଇଷ୍ଟକନ ପ୍ରାଇଭେଟ ଲିମିଟେଡର ମ୍ୟାନେଜିଙ୍ଗ୍ ଡାଇରେକ୍ଟର ନିରଞ୍ଜନ ରଣାଙ୍କୁ ଗିରଫ କରାଯାଇଥିଲା। ନିରଞ୍ଜନ ସିହଦନଗର ଥାନାର ୧୫ ଟି ମାମଲା, ବାଲିଅନ୍ତା ଥାନାର ୮ ଟି ମାମଲା ଏବଂ ବଡଗଡ ଥାନାର ୨ ଟି ମାମଲାରେ ରହିଛି।

ଆଣ୍ଟି ଫ୍ରଡ୍ ସେଲ୍ ଓ ସହିଦନଗର ଥାନାର ମିଳିତ ଉଦ୍ୟମରେ ସାରଳା ରିଅଲକନ ପ୍ରାଇଭେଟ ଲିମିଟେଡର ମ୍ୟାନେଜିଙ୍ଗ୍ ଡାଇରେକ୍ଟର ଗୟାଧର ଜେନାକୁ ଗିରଫ କରାଯାଇଥିଲା। ଗୟାଧର ଜେନାଙ୍କ ନାମରେ ୨୦୧୪ ମସିହାରୁ ସହିଦନଗର ଥାନାରେ ୬ ଟି ମାମଲା, ଲକ୍ଷ୍ମୀସାଗର ଥାନାରେ ୧୫ ଟି ମାମଲା ତଥା ମଞ୍ଚେଶ୍ବର ଥାନାରେ ୫ଟି ବିଭିନ୍ନ ମାମଲା ରୁଜୁ ହୋଇଥିଲା। ସ‌େ ପୂର୍ବରୁ ବହୁତ ଥର ଜମି ଜାଲିଆତି ସହ ଠକାମି କରି ଜେଲ ଯାଇଥିଲେ।

ନାଗେଶ୍ବରଟାଙ୍ଗୀର ଏମ୍‌ଏସ୍‌ ଆପୋଲୋ ଇନଫ୍ରା ପ୍ରୋଜେକ୍ଟ ଲିମିଟେଡର ମ୍ୟାନେଜିଙ୍ଗ୍ ଡାଇରେକ୍ଟର ଦୀପକ ମହାନ୍ତିଙ୍କୁ ଆଣ୍ଟି ଫ୍ରଡ୍‌ ସେଲ୍‌ର ଗିରଫ କରିଥିଲା। ତା ନାମରେ ବଡଗଡରେ ୨୭ ଲକ୍ଷ ଟଙ୍କା ଓ ଜଟଣୀ ଥାନାରେ ୧ କୋଟି ଟଙ୍କା ହଡପ ଅଭିଯୋଗ ଥିଲା। ଲିଙ୍ଗରାଜ ଥାନାର ମଧ୍ୟ ଦୁଇଟି ମାମଲାରେ ରହିଛି।

ଚାକିରି ଯୋଗାଇଦେବା ଅଳରେ ବହୁ ଆଶାୟୀ ପ୍ରାର୍ଥୀମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକେଇ ମାମଲାରେ ଶୁଭମ୍‌ ପ୍ଲେସ୍‌ମେଣ୍ଟ ଆଣ୍ଡ ସର୍ଭିସେସର ଡାଇରେକ୍ଟର ବିଶ୍ବରଞ୍ଜନ ତ୍ରିପାଠୀକୁ ଚନ୍ଦ୍ରଶେଖରପୁର ଥାନା ଗିରଫ କରିଥିଲା।

ୟୁନିଅନ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର କଳିଙ୍ଗ ନଗର ବ୍ରାଞ୍ଚରେ ଆସିଷ୍ଟାଣ୍ଟ ମ୍ୟାନେଜର ଭାବେ କାମକରୁଥିବା ମୀନା ନାୟକଙ୍କୁ ୧ କୋଟି ୧୬ ଲକ୍ଷ ୮୭ ହଜାର ଟଙ୍କାର ଠକେଇ ମାମଲାରେ ଭରତପୁର ଥାନା ପୁଲିସ ଗିରଫକରି କୋର୍ଟ ଚାଲାଣ କରିଥିଲା।