ଯୋଗମୁଦ୍ରାରେ ରାଜଧାନୀ

ଭୁବନେଶ୍ବର: ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଆଜି ରାଜଧାନୀ ଓ ଉପକଣ୍ଠ ଅଞ୍ଚଳ ଯୋଗମୟ ହୋଇ ଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା, ଅନେକ ଜନପ୍ରତିନିଧି, ଅଧିକାରୀ, ଛାତ୍ରଛାତ୍ରୀ ଏଥିରେ ସାମିଲ ହୋଇଥିଲେ। ସରକାରଙ୍କର ବିଭିନ୍ନ ବିଭାଗ, ଅନୁଷ୍ଠାନ ତଥା ସଂଗଠନ ମଧ୍ୟ ଯୋଗ ଶିବିର ଆୟୋଜନ କରିଥିଲେ।

ପୂର୍ବତଟ ରେଳପଥ

ପୂର୍ବତଟ ରେଳପଥ ପକ୍ଷରୁ ଆଜି ଏହାର ମୁଖ୍ୟାଳୟ ସମେତ ଖୋର୍ଦ୍ଧା ରୋଡ, ସମ୍ବଲପୁର ଓ ୱାଲଟିୟର ରେଳ ମଣ୍ଡଳରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ କୋରାପୁଟରେ ଓ ଅତିରିକ୍ତ ମହାପ୍ରବନ୍ଧକ ମହେଶ କୁମାର ବେହେରା ରେଳ ବିହାରଠାରେ ଅଂଶଗ୍ରହଣ କରିଥିଲେ। ଏହାବ୍ୟତୀତ ମଣ୍ଡଳ ରେଳବାଇ ପ୍ରବନ୍ଧକ/ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକମାନେ ସେମାନଙ୍କ ମୁଖ୍ୟାଳୟରେ ଅଧିକାରୀ ଓ କର୍ମଚାରୀ ଯୋଗ ଶିବିରରେ ଭାଗ ନେଇଥିଲେ। ରେଳପଥ ଅଧୀନ ବିଭିନ୍ନ ରେଳ ପ୍ରତିଷ୍ଠାନ ଯଥା ମଞ୍ଚେଶ୍ୱର ଡବା ମରାମତି କାରଖାନା, କୋଚିଂ ଡିପୋ ଓ ବିଭିନ୍ନ ଶାଖା କାର୍ଯ୍ୟାଳୟଗୁଡ଼ିକରେ ଯୋଗ ଦିବସ ପାଳନ କରାଯାଇଛି। ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଙ୍ଗଠନର ସଦସ୍ୟମାନେ ମଧ୍ୟ ଯୋଗ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ପ୍ରମୁଖ କାର୍ମିକ ଅଧିକାରୀ ସିଦ୍ଧାର୍ଥ କାଟି ଭୁବନେଶ୍ୱରରେ ଯୋଗ ଦିବସ ପାଳନକୁ ସଂଯୋଜନା କରିଥିଲେ।

ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ

ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ପକ୍ଷରୁ ଆଜି ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ଯୋଗ ଉଭୟ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟରେ ଯୋଗସୂତ୍ର ରକ୍ଷା କରିଥାଏ। ଦୈନିକ ଅଭ୍ୟାସ ଦ୍ୱାରା ମଣିଷ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିଥାଏ ବୋଲି ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ। ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏକାମ୍ର ବିଧାୟକ ବାବୁ ସିଂହ କହିଲେ ଯେ ବର୍ତ୍ତମାନ ସମୟରେ ଉଭୟ ପ୍ରାତଃଭ୍ରମଣ ଓ ଯୋଗାଭ୍ୟାସ ସବୁ ବୟସର ବ୍ୟକ୍ତିବିଶେଷଙ୍କ ପାଇଁ ଆବଶ୍ୟକ। ଯୋଗ ପ୍ରଶିକ୍ଷକ ଭାବେ ଭୁବନେଶ୍ୱରସ୍ଥିତ ଭାରତୀୟ ଯୋଗ ସଂସ୍ଥାନର ମମତା ମିଶ୍ର ଏବଂ ତାଙ୍କ ସାଥୀ ଯୋଗଦେଇଥିବା ବ୍ୟକ୍ତିମାନଙ୍କୁ ବିଭିନ୍ନ ଯୋଗଶିକ୍ଷା ପ୍ରଦାନ କରିଥିଲେ। ଏହି ଅବସରରେ ଭୁବନେଶ୍ୱର ଶାଖା ପ୍ରତ୍ନତତ୍ତ୍ୱ ବିଭାଗ ତତ୍ତ୍ୱାବଧାରକ ଡ. ନନ୍ଦକିଶୋର ସ୍ୱାଇଁ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଏବଂ ଉପ ତତ୍ତ୍ୱାବଧାରକ ଡ. ସୁଶାନ୍ତ କୁମାର କର ଧନ୍ୟବାଦ ଦେଇଥିଲେ।

ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍

ଭାରତୀୟ ଷ୍ଟେଟ ବ୍ୟାଙ୍କ୍‌, ଭୁବନେଶ୍ୱର ମଣ୍ଡଳରେ ଥିବା ଶାଖା ଓ ପ୍ରଶାସନିକ କାର୍ଯ୍ୟାଳୟରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି। ସ୍ଥାନୀୟ ମୁଖ୍ୟ କାର୍ଯ୍ୟାଳୟରେ ବହୁ ଅଧିକାରୀ ଓ କର୍ମଚାରୀଙ୍କ ଉପସ୍ଥିତିରେ ମୁଖ୍ୟ ମହାପ୍ରବନ୍ଧକ ଦିନେଶ ପରୁଥିଙ୍କ ଦ୍ୱାରା ଏକ ବାଲୁକା କଳା ଉଦ୍‌ଘାଟିତ ହୋଇଥିଲା। ସତ୍ୟାନନ୍ଦ ଯୋଗ ବିଦ୍ୟାଳୟର ପ୍ରଶିକ୍ଷକମାନଙ୍କ ଦ୍ୱାରା ପ୍ରଧାନ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଯୋଗ ଅଧିବେଶନ ଆୟୋଜିତ ହୋଇଥିଲା। ସେଥିରେ ୧୦୦ରୁ ଅଧିକ କର୍ମଚାରୀ ଯୋଗ ଦେଇଥିଲେ।

କମିସନ‌ରେଟ୍‌ ପୁଲିସ

ଆଜି କମିସନରେଟ ପୁଲିସ ପକ୍ଷରୁ ହେଲଥ୍ ଭାଇଲ ସହଯୋଗରେ ଅନ୍ତର୍ଜାତୀୟ ‌ଯୋଗ ଦିବସ ପାଳନ କରାଯାଇଛି। ଏହି ଅବସରରେ କମିସନରେଟ୍ ପୁଲିସ କ୍ୟାମ୍ପସରେ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ହେଲଥ ଭାଇଲର ମୁଖ୍ୟ ମେଡିକାଲ ଅଫିସର ମିଲିନ୍ଦ ପରାଶ, ଯୋଗ ଶିକ୍ଷକ ଜଗତ କୁମାର ଜେନା, ଓଭିଆ, ରୁବିତା ପ୍ରମୁଖ ଯୋଗ ଶିକ୍ଷା ଦେବା ସହ ପୁଲିସ କର୍ମଚାରୀଙ୍କ ଚାପଗ୍ରସ୍ତ ଦୈନଦିନ ଜୀବନରେ ଯୋଗ ଓ ପ୍ରାଣାୟମ ଚାପ କମ କରିବାରେ ସହାୟକ ହୋଇପାରିବ ବୋଲି କହିଥିଲେ। ଏହି ଯୋଗ କାର୍ଯ୍ୟକ୍ରମରେ ସିପି ସଞ୍ଜୀବ ପଣ୍ଡାଙ୍କ ନେତୃତ୍ବରେ ହେଲଥ୍ ଭାଇଲର ବିଜନେସ୍ ହେଡ୍ ସାଗର ମହାନ୍ତି, ‌ସେଲସ ହେଡ୍ ନାରାୟଣ, ବିକାଶ, ବଳରାମ ସେଠୀ. ଚଳଚ୍ଚିତ୍ର ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସମେତ ଡିସିପି, ଅତିରିକ୍ତ ଡିସିପି, ଏସିପି, ବିଭିନ୍ନ ଥାନାର ଥାନା ଅଧିକାରୀଙ୍କ ସମେତ ୨୫୩ ଜଣ ପୁଲିସ କର୍ମଚାରୀ ଯୋଗ ଦେଇଥିଲେ।

ଭାରତୀୟ ତଟରକ୍ଷୀ ବାହିନୀ

ଭାରତୀୟ ତଟରକ୍ଷକ ବାୟୁ ପରିକ୍ଷେତ୍ର ଭୁବନେଶ୍ବର ଓ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଧଉଳି ଶାନ୍ତିସ୍ତୂପ ପରିସରରେ ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ ହୋଇଯାଇଛି। ଡିଆଇଜି ସତ୍ୟରଞ୍ଜନ ଦାଶ, ଅତିରିକ୍ତ ଜିଲ୍ଲା ଅଧିକାରୀ ରୁଦ୍ରନାରାୟଣ ମହାନ୍ତି, ଭୁବନେଶ୍ବର ପର୍ଯ୍ୟଟନ ଅଧିକାରୀ ଅଞ୍ଜନ କୁମାର ବାରିକ, ଧଉଳି ସରପଞ୍ଚ ଚନ୍ଦନ ମଲ୍ଲିକ, କଳିଙ୍ଗ ନିପନ ବୁଦ୍ଧ ସଂଘର ଉନ୍ନୟନ ସଂଯୋଜକ ରବି ମହାରଣା, ଦିପ୍ତୀରେଖା ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଭାରତୀୟ ଯୋଗ ସଂସ୍ଥାନର ଯୋଗ ଶିକ୍ଷକ ଡ. ପ୍ରଫୁଲ୍ଲ କୁମାର ତ୍ରିପାଠୀ ଓ ଗୋପାଳ କୁମାର ବେହେରା ପ୍ରମୁଖ ଯୋଗ ଓ ପ୍ରାଣାୟମ ସଂପର୍କରେ ଶିକ୍ଷା ପ୍ରଦାନ କରିଥିଲେ। କମାଣ୍ଡାଣ୍ଟ ସୂରଜ କୁମାର, ପ୍ରଧାନ ଅଧିକାରୀ ଗଦାଧର ସ୍ବାଇଁ ଓ ଧର୍ମପାଲଙ୍କ ସମେତ ସ୍ଥାନୀୟ ଲୋକମାନେ ଯୋଗାଭ୍ୟାସ କରିଥିଲେ। ସେହିଭଳି ବାଲିଅନ୍ତା ବ୍ଲକ୍‌ ଓ ତହସିଲ ପ୍ରଶାସନର ମିଳିତ ଆନୁକୂଲ୍ୟରେ ଜ୍ଞାନଦେବୀ କଲ୍ୟାଣମଣ୍ଡପ ସମ୍ମିଳନୀ କକ୍ଷରେ ଯୋଗ ଦିବସ ପାଳିତ ହୋଇଯାଇଛି। ଯୋଗ ଶିକ୍ଷକ ଅନୁଜା ମହାନ୍ତି ଓ ସୁରେନ୍ଦ୍ର ପୃଷ୍ଟି ବିଭିନ୍ନ ଯୋଗ ଓ ପ୍ରାଣାୟମ ସଂପର୍କରେ ପ୍ରଶିକ୍ଷଣ ଦେଇଥିଲେ। ବିଡିଓ ପବିତ୍ର କୁମାର ସାମଲ, ତହସିଲଦାର ବିମଳ କୁମାର ଲେଙ୍କା, ସରପଞ୍ଚ ରୀନାରାଣୀ ବେହେରା, ସମିତିସଭ୍ୟ ଗଙ୍ଗାଧର ମାହାରି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ସ୍ବାସ୍ଥ୍ୟ ଅଧିକାରୀ ଡା. ତନ୍ମୟ ତ୍ରିପାଠୀ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଯୋଗାଭ୍ୟାସ କରିଥିଲେ।

ସମ୍ବନ୍ଧିତ ଖବର