ଏସ୍‌ଭିଡିଏସ୍‌ ଓ ଟିଭିଡିଏସ୍‌ ନଜରରେ ରାଜଧାନୀ; ୨୨ ସ୍ଥାନରେ ଜଗିଛି କ୍ୟାମେରା, ମାସ ଆରମ୍ଭରୁ କଟିଲାଣି ୫୨ ଚାଲାଣ

ଭୁବନେଶ୍ବର : ଟ୍ରାଫିକ୍‌ କଟକଣା ଅମାନିଆଙ୍କୁ ସାବାଡ୍‌ କରିବାକୁ ଆସିଛି ଦୁଇ ନୂଆ ବ୍ୟବସ୍ଥା। ସ୍ପିଡ୍‌ ଭାଓଲେସନ୍‌ ଡିଟେକ୍ସନ ସିଷ୍ଟମ(ଏସ୍‌ଭିଡିଏସ୍‌) ଓ ଟ୍ରାଫିକ୍‌ ଭାଓଲେସନ୍‌ ଡିଟେକ୍ସନ ସିଷ୍ଟମ(ଟିଭିଡିଏସ୍‌) କ୍ୟା‌ମେରା ଦ୍ବାରା ଏଣିକି ଅମାନିଆଙ୍କୁ ଚିହ୍ନଟ କରି ଚାଲାଣ କଟାଯିବ। ସହରର ୨୨ଟି ସ୍ଥାନରେ ଏହି ଅତ୍ୟାଧୁନିକ କ୍ୟାମେରା ଲାଗିଛି। ମାସ ଆରମ୍ଭରୁ ୫୨ ଜଣଙ୍କୁ ଜରିମାନା କରାଗଲାଣି।

ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଖସି ଯାଉଥିବା ଅମାନିଆମାନେ ଆଉ ବିନା ଚାଲାଣରେ ଖସିପାରିବେନି। ସିଗନାଲ୍‌, ସାଇନ୍‌, ସ୍ପିଡ୍‌ ଠାରୁ ଆରମ୍ଭ କରି ହେଲ୍‌ମେଟ୍‌, ସିଟ୍‌ବେଲ୍ଟ ପିନ୍ଧିବା ପର୍ଯ୍ୟନ୍ତ ସବୁ କାମରେ ନଜର ରଖିବା ଏହି ଦୁଇ ନୂଆ ବ୍ୟବସ୍ଥା। ବିଶେଷକରି ଲେନ୍‌ ଡ୍ରାଇଭ୍‌ ଉପରେ ମଧ୍ୟ ଏହି ବ୍ୟବସ୍ଥା ନଜର ରଖିବ। ପ୍ରଥମ ପର୍ଯ୍ୟାୟରେ ରାଜଧାନୀର ୨୨ଟି ସ୍ଥାନରେ ଏହି ନୂତନ କ୍ୟାମେରା ଲଗାଯାଇଛି। ନିର୍ଦ୍ଧାରିତ ବେଗରୁ ଅଧିକ ବେଗରେ ଯାଉଥିବା ଗାଡ଼ିଗୁଡ଼ିକ ଏସ୍‌ଭିଡିଏସ୍‌ରେ ଧରାପଡ଼ି‌‌ବେ। ଏଥିପାଇଁ ସହରର କ୍ୟାପିଟାଲ୍‌ ହସ୍ପିଟାଲରୁ ଏଜି ଛକ, ବରମୁଣ୍ଡାରୁ ଖଣ୍ଡଗିରି, ବାଣୀବିହାରରୁ ରସୁଲଗଡ଼, ସୈନିକ ସ୍କୁଲ୍‌ରୁ ଆଚାର୍ଯ୍ୟ ବିହାର, ଶାସ୍ତ୍ରୀନଗରରୁ ୧୨୦ ବାଟାଲିୟନ, ଟ୍ରାଇଡେଣ୍ଟ ହୋଟେଲ୍‌, ଇନ୍‌ଫୋସିଟିରୁ ପଟିଆ, ମଧୁସୁଦନ ପାର୍କ, କିଟ୍‌ରୁ ସିଲିକନ୍‌, ନାକାଗେଟ୍‌ରୁ କଳିଙ୍ଗ ଷ୍ଟୁଡିଓ, ଏକାମ୍ରକାନନ ରୋଡ୍‌ ଭଳି ୧୨ଟି ସ୍ଥାନରେ କ୍ୟାମେରା ଲାଗିଛି। କୌଣସି ଗାଡ଼ି ଦ୍ରୁତବେଗରେ ଯାଇ ନିୟମ ଉଲ୍ଲଂଘନ କଲେ, ଏହାର ଫଟୋ, ନମ୍ବର ଓ ଗାଡ଼ିର ବେଗ କ୍ୟାମେରାରେ କଏଦ୍‌ ହୋଇଯିବ। ସମ୍ପୃକ୍ତ ମାଲିକଙ୍କ ନିକଟକୁ ଚାଲାଣ ଯିବ।

ସେମିତି ଯଦି କେହି ହେଲ୍‌ମେଟ୍‌, ସିଟ୍‌ବେଲ୍ଟ ନପିନ୍ଧି ନିୟମ ଉଲ୍ଲଂଘନ କରିଛି ଓ ଜେବ୍ରା କ୍ରସିଂ ଡେଇଁଛି, ସେ ଟିଭିଡିଏସ୍‌ରେ ଧରାପଡ଼ିବେ। ଏଥିପାଇଁ କଳ୍ପନା ସ୍କୋୟାର, ଶିଶୁଭବନ, ରୁପାଲି, କିଟ୍‌, ପଟିଆ, କଳିଙ୍ଗ ଷ୍ଟାଡିୟମ, କଳିଙ୍ଗ ହସ୍ପିଟାଲ୍‌, ନିକ୍କୋପାର୍କ ଛକ, ଏୟାରପୋର୍ଟ ଏବଂ କ୍ୟାପିଟଲ୍‌ ହସ୍ପିଟାଲ୍‌ ଭଳି ୧୦ଟି ସ୍ଥାନରେ କ୍ୟାମେରା ଲାଗିଛି। ଏଣିକି ଲେନ୍‌ ଡ୍ରାଇଭ୍‌ ଉପରେ ଗୁରୁତ୍ବ ଦିଆଯାଇଛି। କୌଣସି ଗାଡ଼ି ମନଇଚ୍ଛା ଲେନ୍‌ ବଦଳାଇପାରିବେ ନାହିଁ। ଯଦି ୟୁଟର୍ଣ୍ଣ ନେବାର ଅଛି, ତେବେ ମଝି ଲେନ୍‌ ବା ବାମ ପଟ ଲେନ୍‌ରୁ ୟୁଟର୍ଣ୍ଣ ନେଇପାରିବେ ନାହିଁ। ଟ୍ରାଫିକ୍‌ର ବହୁ ପୂର୍ବରୁ ଡାହାଣ ପଟ ଲେନ୍‌ରେ ଆସି ୟୁଟର୍ଣ୍ଣ ନେବେ। ସେମିତି ମଝି ଲେନ୍‌ରୁ ବାମ କିମ୍ବା ଡାହଣ ପଟ ଲେନ୍‌କୁ ଡେଇଁପାରିବେ ନାହିଁ। ଯେଉଁମାନେ ଏହି ନିୟମ ଉଲ୍ଲଂଘନ କରି ଲେନ୍‌ ବଦଳାଇବେ, ଏହି କ୍ୟାମେରା ସେମାନଙ୍କୁ ଚିହ୍ନଟ କରିବା ଓ ଚାଲାଣ କାଟିବ। ଫେବ୍ରୁଆରି ଆରମ୍ଭରୁ ଏପର୍ଯ୍ୟନ୍ତ ୧୪ ଦିନ ମଧ୍ୟରେ ୫୨ଜଣଙ୍କ ଚାଲାଣ କଟିଲାଣି। ଆଗକୁ ସାରା ରାଜଧାନୀରେ ଏହି ଦୁଇ ନୂଆ ସିଷ୍ଟମକୁ ଲାଗୁକରିବାକୁ କମିସନରେଟ୍‌ ପୁଲିସ ଯୋଜନା କରିଛି। ଏଥିପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌(ବିଏସ୍‌ସିଏଲ୍‌)କୁ ପ୍ରସ୍ତାବ ଦିଆଯାଇଛି।

ସମ୍ବନ୍ଧିତ ଖବର