ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମ ପରିବେଶକୁ ସବୁଜ, ସରସ, ସୁନ୍ଦର କରିବା ସହ ବାୟୁ ପ୍ରଦୂଷଣ ହ୍ରାସ କରିବାକୁ ପ୍ରତିବର୍ଷ ବ୍ୟାପକ ବୃକ୍ଷରୋପଣ ହେଉଛି। ବନୀକରଣରେ ୧୮ ମାସିଆ ଚାରା ବିଦ୍ୟାଳୟ/ମହାବିଦ୍ୟାଳୟ, ପାର୍କ, ରାସ୍ତାପାର୍ଶ୍ବରେ ଲଗାଯାଉଛି। ସହରାଞ୍ଚଳ ଓ ରାସ୍ତାପାର୍ଶ୍ବରେ ହେଉଥିବା ବନୀକରଣର ପ୍ରଥମ ବର୍ଷ ବ୍ୟତୀତ ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ କାର୍ଯ୍ୟ ସମ୍ପୃକ୍ତ ବିଭାଗ ଦ୍ବାରା ହେଉଛି। ଏହାବ୍ୟତୀତ ନିଗମର ହିତାଧିକାରୀଙ୍କୁ ସ୍ବଳ୍ପମୂଲ୍ୟରେ ୬ ମାସିଆ ଚାରା ନିଜ ବାଡ଼ି ବଗିଚାରେ ରୋପଣ ନିମନ୍ତେ ବଣ୍ଟନ କରାଯାଉଛି। ୨୦୧୯-୨୦ରୁ ୨୦୨୪-୨୫ ଆର୍ଥିକ ବର୍ଷ ମଧ୍ୟରେ ବିଏମ୍ସି, ଚନ୍ଦକା ବନ୍ୟପ୍ରାଣୀ ବନଖଣ୍ଡ, ନଗର ବନଖଣ୍ଡ ଓ ଓଡ଼ିଶା ବନ ଉନ୍ନୟନ ନିଗମ ଦ୍ବାରା ୫୫୩.୪୩ ଲକ୍ଷ ଟଙ୍କା ବ୍ୟୟରେ ୬୫ହଜାର ୧୬୧ ଚାରା ରୋପଣ କରାଯାଇ ସବୁଜିମା ବୃଦ୍ଧି କରାଯାଇଛି। ୨୦୧୯ରେ ବୃକ୍ଷରୋପଣ ବାବଦରେ ଓଏଫ୍ଡିସି ୩ କୋଟି ୯ ଲକ୍ଷ ଟଙ୍କା ବ୍ୟୟ କରିଥିବା ବେଳେ ୨୦୨୩-୨୪ରେ ଚନ୍ଦକା ଡିଭିଜନ୍ ୬୬ ଲକ୍ଷ ୯୨ ହଜାର ଓ ସିଟି ଡିଭିଜନ୍ ୬୯ଲକ୍ଷ ୫୪ ହଜାର ଟଙ୍କା ବ୍ୟୟ କରିଥିଲା। ୨୦୨୪ରେ ସିଟି ଡିଭିଜନ୍ ୪୩ଲକ୍ଷ ଟଙ୍କା ଓ ବିଏମ୍ସି ୬୪ଲକ୍ଷ ଟଙ୍କା ଖର୍ଚ୍ଚ କରି ସହରରେ ବୃକ୍ଷରୋପଣ କରିଥିଲେ। ବିଧାୟକ ବାବୁ ସିଂଙ୍କ ଏକ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂଖୁଣ୍ଟିଆ ଏହି ସୂଚନା ଦେଇଛନ୍ତି।
ବିଧାୟକଙ୍କ ବାସଭବନ ପାଇଁ ୭୨୧ ଗଛ ବଳି
ବିଧାୟକମାନଙ୍କ ପାଇଁ ନୂଆ ସରକାରୀ ବାସଭବନ ନିର୍ମାଣ ହେବାକୁ ଥିବା ସ୍ଥାରୁ ୭୨୧ଟି ଗଛ କଟାଯାଇଛି। ୬.୫୪ ହେକ୍ଟର ବିଶିଷ୍ଟ ଏହି ଅଞ୍ଚଳରୁ କଟାଯାଇଥିବା ଗଛ ବାବଦରେ ୧୮ ହଜାର ଗଛ ସହର ଉପକଣ୍ଠରେ ଲଗାଯାଇଛି। ସେଥିମଧ୍ୟରୁ ସୁବୁଦ୍ଧିପୁର ଓ ମଧୁପୁରରେ ୪ ହଜାର ଲେଖାଏ ଗଛ ଲଗାଯାଇଥିବା ବେଳେ ଅମ୍ରତ ବିଦ୍ୟାପୀଠରେ ୮ ହଜାର ଓ ଘାଟିକିଆ ଅଞ୍ଚଳରେ ୨ ହଜାର ଗଛ ଲାଗିଛି। ବିଧାୟକ ସାରଦା ପ୍ରସାଦ ନାୟକଙ୍କ ପ୍ରଶ୍ନର ଉତ୍ତରରେ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ସିଂଖୁଣ୍ଟିଆ ଏହା କହିଛନ୍ତି।
ଡ୍ରେନେଜ୍ ମାଷ୍ଟରପ୍ଲାନ୍ କରୁଛି ଆଇଆଇଟି ରୁର୍କୀ
ବିଏମ୍ସି ଅଞ୍ଚଳରେ କୌଣସି ଉନ୍ନୟନମୂଳକ ପ୍ରକଳ୍ପ ଉଦ୍ଘାଟନ ସମୟରେ କେଉଁମାନେ ରହିବେ ସେନେଇ କିଛି ବି ଏସ୍ଓପି ନାହିଁ ବୋଲି ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି। ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଏକ ପ୍ରଶ୍ନରେ ମନ୍ତ୍ରୀ ଶ୍ରୀ ମହାପାତ୍ର ଏହା କହିବା ସହ ବିଏମ୍ସି ଅଞ୍ଚଳରେ ସୃଷ୍ଟି ହେଉଥିବା ଜଳବନ୍ଦି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯାଉଥିବା କହିଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ୩୯ଟି ପ୍ରମୁଖ ଜଳବନ୍ଦି ସ୍ଥାନ ଚିହ୍ନଟ ହୋଇଛି। ଲକ୍ଷ୍ମୀସାଗର ୱାର୍ଡ ନମ୍ବର-୪୩ରେ ଥିବା ପାନବରଜ ବସ୍ତି ଓ ୨୯ ନମ୍ବର ୱାର୍ଡରେ ଥିବା ଭୋଇ ନଗର ବସ୍ତିର ସର୍ଭେ ହୋଇଛି। ବର୍ଷା ଜଳକୁ ଶୀଘ୍ର ନିଷ୍କାସନ କରିବାକୁ ବିଏମ୍ସି ଦ୍ବାରା ପମ୍ପ ସେଟ୍ ଲାଗିଛି।
ଭୁବନେଶ୍ବର ଡ୍ରେନେଜ୍ ମାଷ୍ଟରପ୍ଲାନ୍ ଉପରେ ସର୍ଭେ ଓ ଡିପିଆର ପ୍ରସ୍ତୁତି ପାଇଁ ଆଇଆଇଟି ରୁରକି ସହ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ୬୦୦ ବର୍ଗ କିଲୋମିଟର ମଧ୍ୟରୁ ଅଧିକ କ୍ୟାଚମେଣ୍ଟ ଅଞ୍ଚଳରେ ବସ୍ତୃତ ବନ୍ୟା ପ୍ରବଣ କ୍ୟାଚମେଣ୍ଟ ସର୍ଭେ ଓ ଭୁବନେଶ୍ବର ସହରର ସମସ୍ତ ପ୍ରଭାବିତ ତଳିଆ ଅଞ୍ଚଳ ଉପରେ ସମଷ୍ଠିଗତ ଡ୍ରେନେଜ୍ ଯୋଜନା ଓ ଡିପିଆର ପାଇଁ ୱାର୍ଡ ଅନୁଯାୟୀ ସର୍ଭେ କରାଯିବ। ଏନ୍ଡିଏମ୍ଏଫ୍ ଅଧୀନରେ ୧୩ଟି ପ୍ରମୁଖ ଡ୍ରେନେଜ୍ କାର୍ଯ୍ୟ ପ୍ରସ୍ତାବର ତାଲିକା ଗ୍ରହଣ କରାଯାଇ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଥିବା ସେ ସୂଚନା ଦେଇଛନ୍ତି। ସେହିପରି ବିଧାୟକ ବାବୁ ସିଂଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଇସ୍କନ ମନ୍ଦିର ନିକଟରେ ଜଳବନ୍ଦି ସମସ୍ୟାର ସମାଧାନ କରିବାକୁ ବିଏମ୍ସି ଦ୍ବାରା ବର୍ଷାଜଳ ନିଷ୍କାସନ ପାଇଁ ଡିପିଆର୍ ପ୍ରସ୍ତୁତ ହୋଇଛି। ସେହିପରି ଭୀମପୁର ଓ ଅନ୍ୟ ଜଳବନ୍ଦୀ ଅଞ୍ଚଳରେ ବର୍ଷା ଜଳ ନିଷ୍କାସନ ପାଇଁ ଥିବା ପ୍ରସ୍ତାବକୁ ଏନ୍ଡିଏମ୍ଇ ଅଧୀନରେ ରଖାଯାଇଛି। ଡିପିଆର୍ ପାଇଁ ସର୍ଭେ ପର୍ଯ୍ୟାୟକ୍ରମେ ହୋଇଛି। ସୌଭାଗ୍ୟନଗରର ବୈଭବ ଇଷ୍ଟେଟ୍ ଅଞ୍ଚଳରେ ଜଳବନ୍ଦି ସମସ୍ୟା ଉପରେ ଡ୍ରେନେଜ୍ କାର୍ଯ୍ୟ ପୂର୍ତ୍ତ ବିଭାଗର ଡିଭିଜନ୍-୨ ଦ୍ବାରା ହାତକୁ ନିଆଯାଇଛି।
ମେଟ୍ରୋ ପ୍ରକଳ୍ପ ରଦ୍ଦ ହୋଇନାହିଁ
ଭୁବନେଶ୍ବର ମେଟ୍ରୋ ରେଳ ପ୍ରକଳ୍ପ ରଦ୍ଦ ହୋଇନାହିଁ। ବରଂ ଏହା ରାଜ୍ୟ ସରକାରଙ୍କ ପରୀକ୍ଷାଧୀନ ରହିଛି। ଏଥିପାଇଁ ଅନ୍ତଃମନ୍ତ୍ରୀସ୍ତରୀୟ ସମିତି ଗଠନ ହୋଇଛି। କମିଟିର ରିପୋର୍ଟ ଓ ସୁପାରିସ ପ୍ରାପ୍ତ ହେବା ପରେ ରାଜ୍ୟ ସରକାର ପରବର୍ତ୍ତୀ ନିଷ୍ପିତ୍ତି ନେବେ। ଏପର୍ଯ୍ୟନ୍ତ ମୋଟ୍ ୨୭୭.୩୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହି ଖର୍ଚ୍ଚ ମଧ୍ୟରୁ ୨୦୨୪ ଜୁନ୍ ୧୨ ପରେ ୨୫୨.୦୫ କୋଟି ପ୍ରଦାନ କରାଯାଇଛି। ପୂର୍ବ ସରକାର ସମୟରେ ଡିଏମ୍ଆର୍ସିକୁ ପ୍ରକଳ୍ପକୁ କାର୍ଯ୍ୟନ୍ବିତ କରିବାକୁ ଟର୍ନ-କି ପରାମର୍ଶଦାତା ଭାବେ ନିଯୁକ୍ତ ଦିଆଯାଇଥିଲା। ଡିଏମ୍ଆରସି ଦ୍ବାରା ବିଭିନ୍ନ କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ବାନ ହୋଇଥିବା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ବାଇଁଙ୍କ ଏକ ପ୍ରଶ୍ନରେ ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ମହାପାତ୍ର ଏହା କହିଛନ୍ତି।