ରାଜଧାନୀ ବଜାର: ସ୍ପିଡ୍‌ ବାଇକ୍‌ ପ୍ରେମରେ ଯୁବପିଢ଼ି, ମାଇଲେଜ୍‌ ନୁହେଁ, ଷ୍ଟାଇଲ୍‌ ଖୋଜୁଛନ୍ତି

ଭୁବନେଶ୍ବର: କାହା ବାଇକ୍‌ରୁ ଢୋ ଢୋ… ସାଉଣ୍ଡ୍‌ ବାହାରୁଛି ତ ଆଉ କାହାର ଘୁଁ ଘୁଁ …। ତା’ ସାଙ୍ଗକୁ ଗାଡ଼ିର ପଛ ସିଟ୍‌(ପିଲିଅନ୍‌) ଟେକା। ମୁଣ୍ଡରେ ଦାମୀ ଓ ଷ୍ଟାଇଲ ହେଲମେଟ୍ ଓ ଦୁଇ ହାତରେ ବାଇକ୍ ଗ୍ଲୋଭ୍‌ସ। ଏମିତି ମାଳମାଳ ବାଇକ୍ ଏବେ ରାଜଧାନୀ ରାସ୍ତାରେ ରାଜୁତି କରୁଛନ୍ତି। ରାଜଧାନୀରେ ବାଇକ୍ ଚଢ଼ିବା ସଉକ ଏବେ ବଦଳି ଯାଇଛି। ୮/୧୦ ବର୍ଷ ପୂର୍ବରୁ ଗାଡ଼ି କେତେ ତେଲ(ମାଇଲେଜ୍‌) ଦେଖାଉଛି, ତାହା ଦେଖି ଲୋକ ଗାଡ଼ି କିଣୁଥି‌ଲେ। ଏବେ କିନ୍ତୁ ପିକ୍‌ଅପ୍‌। ତେଲ ଦର ଯେତେ ହେଲେ ମଧ୍ୟ ପରବାୟ ନାହିଁ। ସାଙ୍ଗ କି ଗର୍ଲଫ୍ରେଣ୍ଡକୁ ଷ୍ଟାଇଲିସ୍/ପିକ୍‌ଅପ୍‌ ବାଇକ୍‌ରେ ବସାଇ ରାଜଧାନୀ ଚକ୍କର କାଟିବା ଏବେ ଯୁବପିଢ଼ିଙ୍କ ପ୍ରଥମ ପସନ୍ଦ ପାଲଟିଛି।

ଏହାକୁ ନଜରରେ ରଖି ରାଜଧାନୀରେ ମଧ୍ୟ ଅନେକ ନାମୀଦାମୀ ବାଇକ୍‌ ସୋ’ ରୁମ୍ ଖୋଲିଛି। ରୟାଲ ଏନଫିଲ୍‌ଡଠାରୁ ଆରମ୍ଭ କରି କେଟିଏମ୍, ସୁଜୁକି ଓ ଅନ୍ୟ କମ୍ପାନିର ଭିନ୍ନ ଭିନ୍ନ ଡିଜାଇନ୍‌ର ପିକ୍‌ଅପ୍ ବାଇକ୍‌ ଯୁବପିଢ଼ିଙ୍କୁ ଆକୃଷ୍ଟ କରୁଛି। ଆଗକୁ ମଧ୍ୟ ଏଭଳି ଗାଡ଼ିର ଚାହିଦା ବଢ଼ିବ ବୋଲି ଅନୁମାନ କରାଯାଉଛି। ଏହାସହ ବିଶ୍ବର ଅନେକ ନାମୀଦାମୀ ସ୍ପୋର୍ଟ୍ସ/ସୁପର ବାଇକ୍ ମଧ୍ୟ ଭୁବନେଶ୍ବରେ ଗଡ଼ୁଛି। ଏକାଧିକ ବାଇକର୍‌ ଗ୍ରୁପ୍ ମଧ୍ୟ ରହିଛନ୍ତି। ତେବେ ଏହା କିଛି ନିର୍ଦ୍ଦିଷ୍ଟ ଲୋକଙ୍କ ହାତରେ ସୀମିତ ରହିଛି।

ବାଇକ୍ ଚଢ଼ିବାର ସଉକ ଏବେ ବଦଳି ଯାଇଛି। ସ୍ପିଡ୍‌ ବାଇକ୍‌ରେ ସ୍ପିଡ୍‌ରେ ଯିବା ସହିତ ସାପ ଭଳି ଅଙ୍କାବଙ୍କା ଢଙ୍ଗରେ ଗାଡ଼ି ଚଳାଇବା ଯୁବପିଢ଼ିଙ୍କ ଏକପ୍ରକାର ନିଶା ପାଲଟି ଗଲାଣି। ୧୫୦ ସିସିରୁ ଆରମ୍ଭ କରି ୨୫୦ ସିସି ପର୍ଯ୍ୟନ୍ତ ପିକ୍‌ଅପ୍‌ ଥିବା ବାଇକ୍ ଏଥିରେ ଆଗରେ ରହିଛି। ତେଣୁ ଏକାଧିକ ବାଇକ୍ କମ୍ପାନି ଏଭଳି ଗାଡ଼ି ତିଆରି ଉପରେ ଜୋର୍‌ ଦେଉଛନ୍ତି। କିଛି ବର୍ଷ ବ୍ୟବଧାନରେ ନୂଆ ନୂଆ ମେଡଲ ଛାଇଯାଉଛି ବଜାରରେ। ଏମିତିକି ଦୀର୍ଘ ବର୍ଷ ପୂର୍ବେ ଲୋକଙ୍କ ପ୍ରଥମ ପସନ୍ଦ ରହିଥିବା ରୟାଲ ଏନ୍‌ଫିଲ୍‌ଡ ବୁଲେଟ୍‌ ଓ ବନ୍ଦ ହୋଇଯାଇଥିବା ଜାୱା ଏବେ ନୂଆ ରୂପରେ ଫେରିଛି। ତେବେ ଏସବୁ ବାଇକ୍‌ ପାଇଁ ଅତି ସହଜରେ ଲୋନ୍‌ ମିଳି ଯାଉଥିବାରୁ ରାଜଧାନୀରେ ଅଧିକରୁ ଅଧିକ ବିକ୍ରି ହେଉଥିବା ଜଣାଯାଇଛି।

ଚାହିଦା‌ରେ ସୁଜୁକି ଜିକ୍ସର୍‌ ଓ କେଟିଏମ୍‌ର ୪ଟି ମଡେଲ୍‌

ସ୍ପିଡ୍‌ ବାଇକ୍‌ରେ ଆଗରେ ରହିଛି କେଟିଏମ୍‌। ଖଣ୍ଡଗିରି କେଟିଏମ୍‌ ସୋ’ ରୁମ୍‌ର ମ୍ୟାନେଜର ଦେବାଶିଷ ନନ୍ଦୀଙ୍କ କହିବା ମୁତାବକ, କମ୍ପାନିର ୧୧ଟି ମଡେଲ ମଧ୍ୟରୁ ୪ଟି ମଡେଲ ଅଧିକ ବିକ୍ରି ହେଉଛି। କେଟିଏମ୍‌ ମୁଖ୍ୟତଃ ରେସିଂ ଗାଡ଼ି ହୋଇଥିବାରୁ ୧,୬୮,୧୦୦ ଟଙ୍କାରୁ ଗାଡ଼ି ଆରମ୍ଭ ହୋଇ ୩ ଲକ୍ଷ ୫୧ ହଜାର ୨୦୦ ଟଙ୍କା ପର୍ଯ୍ୟନ୍ତ ଗାଡ଼ିର ଦାମ୍‌ ରହିଛି। ଯୁବପିଢିଙ୍କ ପସନ୍ଦକୁ ନଜରରେ ରଖି ଚଳିତବର୍ଷ ବାଇକ୍ ନୂଆ ମଡେଲରେ ଡିଜାଇନ୍ ଓ ପାୱାର ଇଞ୍ଜିନ୍‌ କରାଯାଇଛି। ଯାହାକି ଯୁବପିଢ଼ିଙ୍କୁ ଆକୃଷ୍ଟ କରିବ ବୋଲି ସେ କହିଛନ୍ତି। ସୁଜୁକି ମଧ୍ୟ ଯୁବ/କଲେଜ ପଢ଼ୁଆଙ୍କୁ ନଜରରେ ରଖି ବଜାରକୁ ନୂଆ ବାଇକ୍ ଆଣିଛି। ସୁଜିକିର ଜିକ୍ସର ମଡେଲର ବାଇକ୍‌ ବେଶି ବିକ୍ରି ହେଉଛି ବୋଲି କହିଛନ୍ତି ସେଲ୍ସ ମ୍ୟା‌ନେଜର୍‌ ଶାନ୍ତନୁ ମଜୁମଦାର। ବିଶେଷକରି କଲେଜ ପଢ଼ୁଆ ଛାତ୍ରମାନେ ଏହି ମଡେଲ ବାଇକ୍‌କୁ କିଣୁଛନ୍ତି ବୋଲି ସେ କହିଛନ୍ତି।

‌ହୋଣ୍ଡାର ପ୍ରଥମ ପସନ୍ଦ‌ରେ ହରନେଟ୍‌

ହୋଣ୍ଡା ମଧ୍ୟ ପଛରେ ପଡ଼ି ନାହିଁ। ହୋଣ୍ଡା କମ୍ପାନି ବହୁ ନୂଆ ଦମଦାର୍‌ ବାଇକ୍‌ ବଜାରକୁ ଆଣିଛି। ଯୁବକମାନେ ମୁଖ୍ୟତଃ ଅଧିକ ସିସି ବିଶିଷ୍ଟ ଇଞ୍ଜିନ ସହ ଲୁକିଙ୍ଗ ଉପରେ ବେଶି ଫୋକସ୍ କରୁଥିବାରୁ କମ୍ପାନି ହରନେଟ ରାପସେଲ ଏଡିସନ ଓ ଡିଇଓ ରାପସେଲ ଏଡିସନ ବାଇକ୍‌ ବଜାରକୁ ଛାଡ଼ିଛି। ଏହାକୁ ଯୁବପିଢ଼ିଙ୍କ ବେଶି ପସନ୍ଦ ବୋଲି କହିଛନ୍ତି ବରମୁଣ୍ଡାସ୍ଥିତ ପିଜିଏଲ ସୋ ରୁମ୍‌ର ଜେନେରାଲ ମ୍ୟାନେଜର୍‌ ରାଜେଶ କେଡ଼ିଆ। ଏହାସହ ହୋଣ୍ଡା ୟୁନିକର୍ଣ୍ଣ, ହୋଣ୍ଡା ସିବିଆର ରିଲୋଡେଡ୍ ଭଳି ବାଇକ୍ ମଧ୍ୟ ଯୁବକଙ୍କ ପସନ୍ଦ ଥିବା ସେ କହିଛନ୍ତି।

 

ସମ୍ବନ୍ଧିତ ଖବର