ଦୋହଲି ଯାଇଛି ରାଜଧାନୀ ବଜାର: ଅଧିକାଂଶ ଦୋକାନରେ ଝୁଲୁଛି ତାଲା

ଭୁବନେଶ୍ବର: ବାତ୍ୟା ‘ଫନି’ର ପ୍ରଭାବ ଯୋଗୁଁ ରାଜଧାନୀର ବ୍ୟବସାୟ ସଂପୂର୍ଣ୍ଣ ଦୋହଲି ଯାଇଛି। ଦୋକାନ ବଜାର ଭାଙ୍ଗି ଛାରଖାର ହୋଇପଡ଼ିଛି। ଯେଉଁ ଦୋକାନ ବଜାର ଓ ମଲ୍‌ ଆକର୍ଷଣୀୟ ଆଲୋକ ମାଳାରେ ସଜ୍ଜିତ ଥିଲା ସେଠି ଏବେ ଅନ୍ଧାର ରାଜୁତି କରୁଛି। ରାଜଧାନୀ ବଜାର ରଙ୍ଗ ଯେମିତି ଫିକା ପଡ଼ିଯାଇଛି। ସ୍ମାର୍ଟ ସହର କୁହାଯାଉଥିବା ରାଜଧାନୀ ବଜାର ଶ୍ରୀହୀନ ହୋଇପଡ଼ିଛି। ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଥିବା ଜଳଖିଆ ଦୋକାନଠାରୁ ଆରମ୍ଭ କରି ପରିବା, ତେଜରାତି ଦୋକାନ, ଗାର୍ମେଣ୍ଟସ୍‌ ସୋରୁମ୍, ଅଳଙ୍କାର ସୋରୁମ୍‌, ମଲ୍‌ ଆଦି ହଜାର ହଜାର ଦୋକାନରେ ତାଲା ଝୁଲୁଛି। ଗତ ୫ଦିନ ହେବ ବ୍ୟବସାୟ ଏକ ପ୍ରକାର ଠପ୍ ହୋଇଯାଇଛି। ଏବେ ବି ରାଜଧାନୀର ୮୦ ପ୍ରତିଶତ ଦୋକାନ ବନ୍ଦ ରହିଛି। ଯେଉଁ ଦୋକାନ ଖୋଲୁଛି ସେଠାରେ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ପରିମାଣର ସାମଗ୍ରୀ ନାହିଁ। ଅନ୍ୟପଟେ ଏଭଳି ସ୍ଥିତି ଯୋଗୁଁ ରାଜଧାନୀ ବଜାରରେ ମାନ୍ଦାବସ୍ଥା ଭଳି ପରିସ୍ଥିତି ଉପୁଜିଛି। ଗତ ୫ଦିନ ମଧ୍ୟରେ କୋଟି କୋଟି ଟଙ୍କାର କ୍ଷତି ହୋଇଥିବା ଆକଳନ କରାଯାଉଛି।

ବାତ୍ୟା ଯୋଗୁଁ କେଉଁଠି ଦୋକାନ ଘର ଛପର ଉଡ଼ିଯାଇଛି ତ କେଉଁଠି ଛୋଟ ଛୋଟ କେବିନ୍‌ ଗଡ଼ିପଡ଼ିଛି। ପୁଣି କେଉଁଠି ଏବେ ବି ଦୋକାନ ଉପରେ ଗଛ ଭାଙ୍ଗି ପଡ଼ି ରହିଛି। ବିଦ୍ୟୁତ୍‌ ସରବରାହ ଓ ପାଣି ଆସିବାରେ ସମସ୍ୟା ଯୋଗୁଁ ବଡ଼ ବଡ଼ ଦୋକାନ ଓ ମଲ୍‌ ଖୋଲିପାରୁ ନାହିଁ। ବିଦ୍ୟୁତ୍‌ ଓ ପାଣି ଯୋଗାଣ ଠପ୍‌ ହୋଇଯାଇଥିବା ଯୋଗୁଁ କର୍ମଚାରୀମାନେ ସହର ଛାଡ଼ି ଗାଁ ମୁହାଁ ‌ହୋଇଛନ୍ତି। ସକାଳ ଜଳଖିଆଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ ପାଇଁ ଲୋକମାନେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯେଉଁଠି ଦୋକାନ ଖୋଲୁଛି ସେଠି ଲୋକଙ୍କ ଲମ୍ବା ଲାଇନ୍‌ ଲାଗୁଛି। ଗହଳି ଏତେ ହେଉଛି ଯେ ଘଣ୍ଟା ଘଣ୍ଟା ଲାଇନ୍‌ରେ ରହି ମଧ୍ୟ ଭୋକରେ ଫେରିବାକୁ ପଡ଼ୁଛି। ପରିବା ଦୋକାନରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳୁଛି। ଏଭଳି ଅବସ୍ଥାରେ କିଛି ସ୍ଥାନରେ ଦୋକାନୀମାନେ ଚଢ଼ା ଦରରେ ମଧ୍ୟ ଜନିଷପତ୍ର ବିକ୍ରି କରୁଥିବାରୁ ଅଭିଯୋଗ ହେଉଛି। ବିଶେ‌ଷ କରି ଏହାର ପ୍ରଭାବ ହଷ୍ଟେଲ୍‌ ରହୁଥିବା ଛାତ୍ରଛାତ୍ରୀଙ୍କ ଉପରେ ପଡ଼ିଛି।

ସମ୍ବନ୍ଧିତ ଖବର