ଦୟନୀୟ କ୍ୟାପିଟାଲ୍‌ ମାର୍କେଟ୍‌, ପାର୍କିଂ ସମସ୍ୟା ଦୂର ହେଉନି

ଏବେ ବି ୪ ନଂ ମାର୍କେଟ୍‌କୁ ଫେରିପାରିନାହାନ୍ତି ୫ଶହ ବ୍ୟବସାୟୀ, ଆଇଡି ମାର୍କେଟ୍‌ରେ ପରିମଳ ବ୍ୟବସ୍ଥା ଠପ୍‌
ଭୁବନେଶ୍ବର: ରାତି ପାହିଲେ ରାଜଧାନୀର ପ୍ରମୁଖ ବଜାରରେ ଲକ୍ଷଲକ୍ଷ ଲୋକଙ୍କ ଭିଡ଼ ଜମେ। ଦୈନିକ କୋଟି କୋଟି ଟଙ୍କାର ବ୍ୟବସାୟ ଚାଲେ। ତେବେ ସିଟି ସିନା ସ୍ମାର୍ଟ ହେଲା, ଏଠି କିନ୍ତୁ ବଜାର ସ୍ମାର୍ଟ ହୋଇପାରୁନାହିଁ। କେଉଁଠି ପରିମଳ ବିଗିଡ଼ି ଗଲାଣି ତ କେଉଁଠି ସୌନ୍ଦର୍ଯ୍ୟୀକରଣ ଉଜୁଡ଼ି ଗଲାଣି। କେଉଁଠି ମାର୍କେଟ୍‌ର ପୁରୁଣା ଦୋକାନ ଘର ଭାଙ୍ଗିରୁଜି ଗଲାଣି ତ କେଉଁଠି ମାର୍କେଟ୍‌ର ଖୋଲା ସ୍ଥାନ ନିଶାସକ୍ତ ବ୍ୟକ୍ତିଙ୍କ ଆଡ଼ା ପାଲଟିଲାଣି। ପାର୍କ କଥା ଚିନ୍ତା କଲେ ତ ମୁଣ୍ଡ ଘୂରାଇ ଦେଉଛି। ସ୍ମାର୍ଟସିଟିର ବାବୁମାନେ ସହର ପାଇଁ ଏତେ ସ୍ମାର୍ଟ କଥା ଚିନ୍ତା କରୁଛନ୍ତି, କିନ୍ତୁ ପାର୍କିଂ ଭିଡ଼ ଏଡ଼ାଇବାକୁ ଦୀର୍ଘବର୍ଷ ହେଲା ସମାଧାନଟିଏ ବାହାର କରିପାରୁନାହାନ୍ତି। ମାର୍କେଟ୍‌କୁ ସୁସଂଗଠିତ କରିବା ପାଇଁ ପରିସରରେ ବସୁଥିବା ଅସ୍ଥାୟୀ ବ୍ୟବସାୟୀଙ୍କୁ ହଟାଯାଉଛି। ହେଲେ ଥଇଥାନ କରାଯାଉ ନଥିବାରୁ ସେମାନେ ପୁଣି ଆସି ଆସ୍ଥାନ ଜମାଉଛନ୍ତି। ରାଜଧାନୀରେ ବସବାସ କରୁଥିବା ଲୋକଙ୍କର ସିନା ଏ ଅବ୍ୟବସ୍ଥା ଦେହସୁହା ହୋଇଗଲାଣି, କିନ୍ତୁ ବାହାରୁ ଆସୁଥିବା ଲୋକଙ୍କ ମନରେ ଏବେ ବି ପ୍ରଶ୍ନ ଇଏ କ’ଣ ସ୍ମାର୍ଟସିଟିର ବଜାର?

ପାର୍କିଂ ସମସ୍ୟା ଦୂର ହେଉନି
ରାଜଧାନୀର ପ୍ରମୁଖ ବଜାର ୧ ନମ୍ବର ମାର୍କେଟ୍‌ର ପ୍ରମୁଖ ସମସ୍ୟା ପାର୍କିଂ। ଦୈନିକ ହଜାର ହଜାର ଲୋକଙ୍କ ସମାଗମ ହେଉଥିବା ବେଳେ ପାର୍କିଂସ୍ଥଳ ସମୁଦ୍ରକୁ ଶଙ୍ଖେ ସଦୃଶ। ଫଳରେ ଗାଡ଼ି ନେଇ ଯାଉଥିବା ଲୋକକୁ ପାର୍କିଂ ପାଇଁ ଦହଗଞ୍ଜ ହେବାକୁ ପଡ଼ୁଛି। ବିଏମ୍‌ସି ପକ୍ଷରୁ ଗାଡ଼ି ରଖିବା ପାଇଁ ରାସ୍ତା କଡ଼ରେ ଯେଉଁ ଜାଗା ଦିଆଯାଇଥିଲା, ସେଥିରେ ବର୍ତ୍ତମାନ କେବଳ କାର୍ ପାର୍କିଂ ପାଇଁ ବ୍ୟବସ୍ଥା କରାଯାଇଛି। ଫଳରେ ୧୫୦୦ ଦୋକାନୀଙ୍କ ସମେତ କର୍ମଚାରୀ ଓ ଗ୍ରାହକ ଗାଡ଼ି ପାର୍କିଂରେ ସ୍ଥାନାଭାବର ଘୋର ସମସ୍ୟା ଦେଖାଦେଇଛି। ହାଟର ପରିମଳ ବ୍ୟବସ୍ଥା ଆହୁରି ଦୟନୀୟ। ଉଠାଦୋକାନୀ ଉଚ୍ଛେଦ ହେଉ ନଥିବାରୁ ଡ୍ରେନ୍‌ରେ ପାଣି ନିଷ୍କାସନ ହୋଇପାରୁନାହିଁ। ବର୍ଷା ଦିନେ ଅର୍ଦ୍ଧାଧିକ ଦିନ ହାଟ ରାସ୍ତା କାଦୁଅ ପଚପଚ ରହୁଛି। ହାଟରେ ଥିବା ୧୫ଶହ ଦୋକାନୀଙ୍କୁ ବିଏମ୍‌ସି ପକ୍ଷରୁ ଗୋଟିଏ ମାତ୍ର ଶୌଚାଳୟ ଯୋଗାଇ ଦିଆଯାଇଛି। ମାତ୍ର ଶୌଚାଳୟର ଟାଙ୍କି ଫାଟି ଯାଇଥିବା ବେଳେ ଭିତର ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ହାଟର ଏହି ୨ ସମସ୍ୟାକୁ ନେଇ ହାଟ ସଂଘର ସଭାପତି ଗୟାଧର ସ୍ବାଇଁ ବିଏମ୍‌ସିକୁ ଅନେକଥର ଚିଠି ଲେଖିଥିଲେ ବି କୌଣସି ପଦକ୍ଷେପ ନିଆଯାଇ ନାହିଁ ବୋଲି ସେ କହିଛନ୍ତି।

କବ୍‌ଜାରେ ୨ନମ୍ବର ମାର୍କେଟ୍‌

ମାର୍କେଟ୍‌ ବିଲ୍‌ଡିଂକୁ ସୁବ୍ୟବସ୍ଥିତ କରିବା ପାଇଁ କିଛି ବର୍ଷ ତଳୁ ଅସ୍ଥାୟୀ ବ୍ୟବସାୟୀଙ୍କୁ ପରିସରରୁ ହଟା ଯାଇଥିଲା। ବିଏମ୍‌ସି ଓ କମିସନରେଟ୍‌ ପୁଲିସର ମିଳିତ ଅଭିଯାନ ପରେ ମାର୍କେଟ୍‌ରୁ ବିହାରୀ ବ୍ୟବସାୟୀମାନେ ହଟିଥିଲେ। କରୋନା ପର୍ଯ୍ୟନ୍ତ କେହି ମାର୍କେଟ୍‌ ପରିସର ଭିତରକୁ ପ୍ରବେଶ କରୁନଥିଲେ। ମାତ୍ର କରୋନା ସମୟରେ ଯେବେ ବ୍ୟବସାୟ ଅନୁମତି ମିଳିଲା, ଅସ୍ଥାୟୀ ବ୍ୟବସାୟୀମାନେ ପୁଣି ପରିସରରେ ବିକ୍ରିବଟା ଆରମ୍ଭ କଲେ। ସେତେବେଳେ କରୋନାର ତାଡ଼ନା ଯୋଗୁଁ କେହି ମୁହଁ ଖୋଲିଲେନି। ହେଲେ ଏବେ ସଂଖ୍ୟା ବଢ଼ି ପୁଣି ୨ ଶହ ଅତିକ୍ରମ କରିଗଲାଣି। ଫଳରେ ମାର୍କେଟ୍‌ ମଧ୍ୟରେ ଥିବା ବ୍ୟବସାୟୀମାନେ ପ୍ରଭାବିତ ହେଉଛନ୍ତି। ସେଣ୍ଟ୍ରାଲ୍‌ ମାର୍କେଟ୍‌ ଆସୋସିଏସନ୍‌ ସଭାପତି ପ୍ରଦ୍ୟୁମ୍ନ କୁମାର ଜେନା କହିଛନ୍ତି, ମାର୍କେଟ୍‌ ପରିସରରେ ୨ଶହ ସ୍ଥାୟୀ ଦୋକାନ ରହିଛି। ମାତ୍ର ପୁଣି ପରିସରରେ ଭିଡ଼ ଜମିଲାଣି। ‌ଏନେଇ ବାରମ୍ବାର କ୍ୟାପିଟାଲ୍‌ ଥାନାରେ ଅଭିଯୋଗ କରିବା ପରେ ମଧ୍ୟ ସେମାନଙ୍କ ତରଫରୁ ଏହି ପରିସର ଖାଲି କରିବା ପାଇଁ କୌଣସି ସହାୟତା ମିଳୁନାହିଁ। ଆସୋସିଏସନ୍‌ର ସହ ସମ୍ପାଦକ ରଂଜିତ କୁମାର ମହାନ୍ତି କହିଛନ୍ତି, ମାର୍କେଟ୍‌ ବାହାରେ ଥିବା ପାର୍କିଂ ଅଞ୍ଚଳକୁ ବି କିଛି ଅସ୍ଥାୟୀ ବ୍ୟବସାୟୀ ମାଡ଼ି ଆସିଲେଣି। ବହୁ ବଡ଼ବଡ଼ ବ୍ୟାବସାୟିକ ପ୍ରତିଷ୍ଠାନ ଥିବାରୁ ଏଠାରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରରୁ ମଧ୍ୟ ଲୋକେ ଆସନ୍ତି। ମାତ୍ର ମାର୍କେଟ୍‌ ପରିସର ପୁଣି ଅସ୍ଥାୟୀ ବ୍ୟବସାୟୀଙ୍କ ଅକ୍ତିଆରକୁ ଚାଲିଗଲାଣି। ଏହା ବ୍ୟତୀତ ମାର୍କେଟ୍‌ ପରିସରର ସୌନ୍ଦର୍ଯ୍ୟ ତଥା ସାଜସଜା ଲାଇଟ୍‌, ଫାଉ‌‌ଣ୍ଟେନ୍‌ ଭାଙ୍ଗରୁଜି ଗଲାଣି।

ଏବେ ବି ୪ ନଂ ମାର୍କେଟ୍‌କୁ ଫେରିପାରିନାହାନ୍ତି ୫ଶହ ବ୍ୟବସାୟୀ
ଆୟତନ ଦୃଷ୍ଟିରୁ ୪ ନମ୍ବର ମାର୍କେଟ୍‌ ବଡ଼। ୧୦ ଏକର ପରିମିତ ଅଞ୍ଚଳରେ ଛିଡ଼ା ହୋଇଥିବା ମାର୍କେଟ୍‌ରେ ୩ହଜାରରୁ ଊର୍ଧ୍ବ ବ୍ୟବସାୟୀ ବ୍ୟବସାୟ କରନ୍ତି। ମାତ୍ର ଏବେ ବି ମାର୍କେଟ୍‌ ଚତୁଃପାର୍ଶ୍ବରେ ପାଚେରି ନଥିବାରୁ ଚୋରି ହେଉଛି। ଏତେ ବଡ଼ ମାର୍କେଟ୍‌ ହୋଇଥିବା ବେଳେ ୨ଟି ଜାଗାରେ ପାର୍କିଂ ପାଇଁ ବ୍ୟବସ୍ଥା ରହିଛି। ହେଲେ କ୍ଷତିକୁ ଦୃଷ୍ଟିରେ ରଖି କେହି ଟେଣ୍ଡର୍‌ ନେଉ ନାହାନ୍ତି। ଫଳରେ ଅନେକ ମାର୍କେଟ୍‌ ମଧ୍ୟକୁ ଗାଡ଼ି ନେଇ ପ୍ରବେଶ କରିବାକୁ ବାଧ୍ୟ ହେଉଛନ୍ତି। ଏହା ବ୍ୟବସାୟୀଙ୍କ ସମେତ ବଜାରକୁ ଯାଉଥିବା ଲୋକଙ୍କୁ ନାକେଦମ୍‌ କରୁଛି। ରାଜଧାନୀ‌ର ସବୁଠୁ ବଡ଼ ଆମିଷ ହାଟ ହୋଇଥିବାରୁ ଏଠାରେ ରବିବାର, ବୁଧବାର ଓ ଶୁକ୍ରବାର ପ୍ରବଳ ଭିଡ଼ ଜମେ। ତେବେ ଏଠାରେ ଶୌଚାଳୟ ଓ ପରିସ୍ରାଗାରଗୁଡ଼ିକ ଅବରୋଧ ହୋଇରହିଛି। ଭୌମନଗର ହାଟ ବ୍ୟବସାୟୀ ସଂଘର ସମ୍ପାଦକ ବଦ୍ରିନାରାୟଣ ମିଶ୍ର କହିଛନ୍ତି, ୮ ମାସ ହେଲା ୪ ନମ୍ବର ମାର୍କେଟ୍‌ର ୫ଶହ ମାଛ ଓ ପରିବା ବ୍ୟବସାୟୀ ରେଡ୍‌କ୍ରସ ସମ୍ମୁଖରେ ବସୁଥିବା ବେଳେ ସେମାନଙ୍କୁ ମାର୍କେଟ୍‌ ଭିତରକୁ ଆଣିବା ପାଇଁ ବନ୍ଦୋବସ୍ତ କରାଯାଇଛି।

ଆଇଡି ମାର୍କେଟ୍‌ରେ ପରିମଳ ବ୍ୟବସ୍ଥା ଠପ୍‌

ଇନ୍ଦ୍ରଧନୁ ମାର୍କେଟ୍‌ର ପରିମଳ ବ୍ୟବସ୍ଥା ଭୁଶୁଡ଼ି ଯାଇଛି। ବିଏମ୍‌ସି ପକ୍ଷରୁ ସଫେଇ ପାଇଁ ନିୟୋଜିତ ସଂସ୍ଥା ରାମ୍‌କି କମ୍ପ୍ଲେକ୍ସ ପରିସରରୁ ୩ଦିନରେ ଥରେ ଅଳିଆ ଉଠାଉଛି। ଅଳିଆ ଦୀର୍ଘ ସମୟ ପର୍ଯ୍ୟନ୍ତ ଜମା ହୋଇ ରହୁଥିବାରୁ ପୂତିଗନ୍ଧମୟ ପରିବେଶ ସୃଷ୍ଟି ହେଉଛି। କମ୍ପ୍ଲେକ୍ସ କରିଡର୍‌ ଉପର ମହଲାରେ ଥରେ ବି ଝାଡ଼ୁ ମରା ଯାଉନାହିଁ। ମାର୍କେଟ୍‌ କମ୍ପ୍ଲେକ୍ସ ଏବଂ ଚାରି ପାଖରେ ୧୨ ଶହରୁ ଅଧିକ ବ୍ୟବସାୟୀ ବେପାର କରୁଛନ୍ତି। ହେଲେ ମାର୍କେଟ୍ ପାଇଁ ମାତ୍ର ଗୋଟିଏ ଶୌଚାଳୟ ରହିଛି। ଫଳରେ ଅନେକ ବାହାରେ ପରିସ୍ରା କରୁଥିବାରୁ ଦୁର୍ଗନ୍ଧ ହେଉଛି। ମାର୍କେଟ୍ ପରିସରରେ ଥିବା ମୁଖ୍ୟ ଡ୍ରେନ୍‌ ପୋତି ହୋଇଯାଇଛି। ଇନ୍ଦ୍ରଧନୁ ମାର୍କେଟ୍ ବିଜନେସ୍ ଡେଭଲପମେଣ୍ଟ ଆସୋସିଏସନ୍‌ର ସମ୍ପାଦକ ପ୍ରଦୀପ କୁମାର ସାହୁ କହିଛନ୍ତି, ଡ୍ରେନ୍‌ଗୁଡ଼ିକ ୩୦ବର୍ଷ ତଳର ହୋଇଥିବା ବେଳେ ସେଗୁଡ଼ିକ ଜବରଦଖଲରେ ରହିଛି। ଏନେଇ ଅଭିଯୋଗ କଲେ ବି ବିଏମ୍‌ସି କାର୍ଯ୍ୟାନୁଷ୍ଠାନ ନେଉନାହିଁ। ମାର୍କେଟ୍‌ କମ୍ପ୍ଲେକ୍ସ ସ୍ଥିତି ଦୟନୀୟ ହୋଇପଡ଼ିଥିବାରୁ କେତେବେଳେ ଭୁଶୁଡ଼ି ପଡ଼ିବ, କହି ହେବ ନାହିଁ ବୋଲି ସେ କହିଛନ୍ତି। ଇନ୍ଦ୍ରଧନୁ ମାର୍କେଟ୍‌ କ୍ଷୁଦ୍ର ବ୍ୟବସାୟୀ ସଂଘର ସଭାପତି ଅଞ୍ଜନ ନାଥ କହିଛନ୍ତି, ମାର୍କେଟ୍‌ରେ ଥିବା ସ୍ବେରେଜ୍ ଲାଇନ୍ କାମ ହେଉନଥିବାରୁ ବର୍ଜ୍ୟ ପାଣି ବାହାରି ରାସ୍ତାରେ ଭାସୁଛି। ମାତ୍ର ଏହାକୁ ବର୍ଷ ବର୍ଷ ଧରି ସଜଡ଼ା ଯାଉନାହିଁ।

ସମ୍ବନ୍ଧିତ ଖବର