ଲୁଟେରାଙ୍କ ରାଜଧାନୀ : ୨୦୨୦ରେ ଲୁଟ୍‌ ଓ ଛିନ୍‌ତାଇରେ ରେକର୍ଡ, ବର୍ଷକରେ ୩୮୮ ମାମଲା

ଭୁବନେଶ୍ବର : ରାଜଧାନୀରେ କମିସନରେଟ ପୁଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ଲୁଟେରା। ବିଗତ ୫ ବର୍ଷ ଭିତରେ ସବୁ ରେକର୍ଡକୁ ଭାଙ୍ଗି ଦେଇଛନ୍ତି। ଗତବର୍ଷ ୧୨୨ଟି ମାମଲା ଅଧିକ ରୁଜୁ ହୋଇ ମୋଟ ସଂଖ୍ୟା ୩୮୮ରେ ପହଞ୍ଚିଛି। ଯାହା ଏଯାଏ ସର୍ବାଧିକ ବୋଲି ଜଣାପଡ଼ିଛି। ଲକଡାଉନ୍ ସମୟରେ ଲୁଟେରା ସବୁ ସୀମା ଟପି ଯାଇଥିଲେ। ଏମିତି କୌଣସି ଗୋଟିଏ ଦିନ ନ ଥିଲା; ଯେଉଁଦିନ ରାଜଧାନୀରେ ଲୁଟେରା ରାଜ୍ ଦେଖିବାକୁ ମିଳି ନ ଥିଲା। କେତେବେଳେ ଆକ୍ରମଣ କରି ତ ଆଉ କେତେବେଳେ ଗୁଳି ଫୁଟାଇ ଲୁଟ୍ ଘଟଣା ଆଲୋଡ଼ନ ସୃଷ୍ଟି କରିଥିଲା। ଦୁଇ ଦୁଇଟି ବ୍ୟାଙ୍କ ଲୁଟ୍, ଭିଜିଲାନ୍ସ ଡିଏସ୍‌ପିଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟ୍, ବୃଦ୍ଧାଙ୍କୁ ହତ୍ୟା କରି ଲୁଟ୍ ଘଟଣା ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା।

୨୦୧୯ରେ ଲୁଟ୍ ସଂଖ୍ୟା ୨୬୬ ରହିଥିବା ବେଳେ ୨୦୨୦ରେ ଏହି ସଂଖ୍ୟା ବଢ଼ି ୩୮୮ରେ ପହଞ୍ଚିଥିଲା। ଯାହା କମିସନରେଟ ପୁଲିସ ପାଇଁ ଚିନ୍ତାର କାରଣ ହୋଇଛି। ହାତଗଣତି କେତେକ ମାମଲାକୁ ଛାଡ଼ିଦେଲେ ଅଧିକାଂଶ ଲୁଟ୍ ମାମଲାରେ ଲୁଟେରା ଫେରାର ଥିବାରୁ ଏହା ପୁଲିସର ଅପାରଗତାକୁ ପଦାରେ ପକାଇଛି।

କାହିଁକି ବଢ଼ିଲା ଲୁଟ୍?
କରୋନା ସମୟରେ ଜେଲରେ କଏଦୀ ସଂଖ୍ୟା କମାଇବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ତେଣୁ ଲୁଟ୍, ଚୋରି ମାମଲାରେ ଗିରଫ ହୋଇଥିବା ଲୁଟେରାମାନେ ଜେଲରୁ ଜାମିନରେ ମୁକୁଳିଗଲେ। ଆଉ ସେମାନଙ୍କ ମଧ୍ୟରୁ ଅଧିକାଂଶ ପୁଣି ଚୋରି, ଲୁଟପାଟ ଆରମ୍ଭ କରିଦେଲେ। ସେହିପରି ଲକ୍‌ଡାଉନ୍ ସମୟରେ ବାହାର ରାଜ୍ୟର ଅନେକ ବ୍ୟକ୍ତି ଓଡ଼ିଶା ଚାଲି ଆସିଥିଲେ। କିଛି କାମ ନ ପାଇ ଲୁଟପାଟ ଆରମ୍ଭ କରି ଦେଇଥିଲେ। ବାହାର ରାଜ୍ୟରେ କାମ କରୁଥିବା କିଛି ପ୍ରବାସୀ ମଧ୍ୟ ରାଜ୍ୟକୁ ଫେରି ଅପରାଧରେ ସମ୍ପୃକ୍ତ ରହିଲେ। ସେପଟେ ପୁଲିସ କରୋନା ମୁକାବିଲାରେ ମାତି ଅପରାଧ ମୁକାବିଲାକୁ ଆଉ ଗୁରୁତ୍ବ ଦେଇ ନ ଥିଲା। ଯାହା ଫଳରେ ଲୁଟ୍ ଓ ଅନ୍ୟ ଅପରାଧିକ କାର୍ଯ୍ୟକଳାପ ବଢ଼ି ଚାଲିଥିଲା।

DNA India

ହତ୍ୟାରେ ବି ରେକର୍ଡ
ଗତବର୍ଷ ରାଜଧାନୀରେ ହତ୍ୟାରେ ମଧ୍ୟ ରେକର୍ଡ ହୋଇଛି। ଗତ ୫ ବର୍ଷର ପରିସଂଖ୍ୟନକୁ ଦେଖିଲେ ୨୦୨୦ରେ ଏହି ସଂଖ୍ୟା ବଢ଼ିଛି। ଲକଡାଉନ୍ ସମୟରେ ଅନେକ ହତ୍ୟାକାଣ୍ଡ ଘଟିଥିବା ସାମ୍ନାକୁ ଆସିଛି। ୨୦୧୯ରେ ହତ୍ୟା ମାମଲା ସଂଖ୍ୟା ୩୯ ଥିବା ବେଳେ ୨୦୨୦ରେ ୧୦ଟି ବଢ଼ି ସଂଖ୍ୟା ୪୯ରେ ପହଞ୍ଚିଥିଲା। ଯାହା ପୁଲିସ ପାଇଁ ଆଉ ଏକ ଚ୍ୟାଲେଞ୍ଜ ରହିଥିଲା।

ବର୍ଷ          ହତ୍ୟା ମାମଲା
୨୦୧୫        ୪୩
୨୦୧୬        ୪୪
୨୦୧୭        ୨୯
୨୦୧୮        ୪୩
୨୦୧୯        ୩୯

ସୁହାଇଲା ଅଚଳ ସିସି କ୍ୟାମେରା, କରୋନା ସଂକ୍ରମଣ
ଲୁଟେରା ଲୁଟପାଟ କରି ଫେରାର ହୋଇଥିଲେ ମଧ୍ୟ ପୁଲିସ ସେମାନଙ୍କୁ ଟ୍ରାକିଂ କରିପାରି ନ ଥିଲା। ସହରରେ ଥିବା ଅଧିକାଂଶ ସିସିଟିଭି କ୍ୟାମେରା ଅଚଳ ହୋଇ ପଡ଼ିଥିବାରୁ ସିସି କ୍ୟାମେରା ମଧ୍ୟ ପୁଲିସକୁ ଧୋକା ଦେଇଥିଲା। କରୋନା ସଂକ୍ରମଣ ସମୟରେ ପୁଲିସ ମଧ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ସେତେଟା ଇଚ୍ଛା ପ୍ରକାଶ କରି ନ ଥିଲା। ସେହିପରି ଅନେକ ପୁଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିଲେ। ଯାହା ଲୁଟ୍ ମାମଲା ବଢିବାର ଆଉ ଏକ କାରଣ ସାଜିଥିଲା।

କମିଲା ଚୋରି, ବଢ଼ିଲା ସିନ୍ଧିଚୋରି
ଗତବର୍ଷ ଚୋରି ମାମଲା ସଂଖ୍ୟା କମିଛି। ୨୦୧୯ରେ ୧୯୦୫ ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ରେ ଚୋରି ସଂଖ୍ୟା ଥିଲା ୧୮୬୨। କିନ୍ତୁ ସିନ୍ଧିଚୋରି ମାମଲା ବଢିଥିଲା। ୨୦୧୯ରେ ୩୩୭ ମାମଲା ରୁଜୁ ହୋଇଥିବା ବେଳେ ୨୦୨୦ରେ ସିନ୍ଧିଚୋରି ସଂଖ୍ୟା ବଢି ୩୫୦ରେ ପହଞ୍ଚିଥିଲା। ତେବେ କରୋନା ଯୋଗୁଁ ଦୁଷ୍କର୍ମ ମାମଲା ମଧ୍ୟ ଯଥେଷ୍ଟ କମିଥିଲା। ୨୦୧୯ରେ ୧୪୯ ମାମଲା ରୁଜୁ ହୋଇଥିବାବେଳେ ୨୦୨୦ରେ ୧୧୩ରେ ସୀମିତ ରହିଥିଲା।

ସମ୍ବନ୍ଧିତ ଖବର