ଖଣ୍ଡଗିରି: ଭରତପୁର ସଂରକ୍ଷିତ ଜଙ୍ଗଲରେ ଡେରା ପକାଇଥିବା ୫ ହାତୀଙ୍କ ପାଇଁ ରାଜଧାନୀବାସୀଙ୍କ ନିଦ ହଜି ଯାଇଛି। ବିଶେଷକରି ଖଣ୍ଡଗିରି, ଭରତପୁର, ବରମୁଣ୍ଡା ଜଗନ୍ନାଥବିହାର, ରେଣ୍ଟାଲ କଲୋନି, ଶୈଳଶ୍ରୀବିହାର, ଦାସପୁର, ପଥରଗାଡ଼ିଆ ଓ ଅନ୍ଧାରୁଆ ଅଞ୍ଚଳରେ ଏହି ହାତୀଙ୍କ ପାଇଁ ଆତଙ୍କ ଖେଳି ଯାଇଛି। ଗୋଟିଏ ପଟେ ରାଜଧାନୀ ଭିତରକୁ ପଶି ଆସିବାର ଭୟ ଓ ଅନ୍ୟ ପଟେ ବ୍ୟାପକ ଫସଲ ନଷ୍ଟ କରୁଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ପ୍ରକାଶ ପାଇଛି। ରବିବାର ରାତି ପ୍ରାୟ ୧୧ଟା ବେଳେ ଦୁଇଟି ଦନ୍ତା ହାତୀ ଭରତପୁର ସଂରକ୍ଷିତ ଜଙ୍ଗଲର ଜଗନ୍ନାଥବିହାର ନିକଟକୁ ଲାଗିଥିବା ପାଚେରି କଡ଼କୁ ଚାଲି ଆସିଥିଲେ। ସେଠାରେ ଥିବା ଏକ ଜଳାଶୟ ନିକଟରେ ସେମାନଙ୍କୁ ଦେଖିବା ପରେ ବନ ବିଭାଗର କର୍ମଚାରୀମାନେ ଜଙ୍ଗଲ ଭିତରକୁ ଘଉଡ଼ାଇ ଦେଇଥିଲେ। କିନ୍ତୁ ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ବେହରା ସାହି ଓ ଜଗନ୍ନାଥବିହାରରେ ଭୟର ବାତାବରଣ ଖେଳି ଯାଇଥିଲା। କାଳେ ସେମାନେ ପାଚେରି ଡେଇଁ ସହର ଭିତରକୁ ପଶି ଆସିବେ ବୋଲି ଲୋକେ ଆଶଙ୍କା କରିଥିଲେ। ମାତ୍ର ବନ କର୍ମଚାରୀମାନେ ଲାଇଟ୍ ପକାଇବା ପରେ ସେମାନେ ଜଙ୍ଗଲ ଭିତରକୁ ଚାଲି ଯାଇଥିଲେ। ଉଲ୍ଲେଖଯୋଗ୍ୟ ଯେ ପାଚିଲା ତାଳ ଖାଇବା ପାଇଁ ଗତ କିଛି ମାସ ହେବ ୫ଟି ହାତୀ ଭରତପୁର ଜଙ୍ଗଲକୁ ଚାଲି ଆସିଛନ୍ତି। ସେମାନଙ୍କ ଭିତରେ ୨ଟି ଦନ୍ତା ଓ ୩ଟି ମାକ୍ନା ଅଛନ୍ତି।
ରାଜଧାନୀବାସୀଙ୍କ ନିଦ ହଜିଛି, ଭରତପୁରରେ ୫ ହାତୀ
/sambad/media/post_attachments/wp-content/uploads/2018/07/elephant-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)