୪ ଜଣଙ୍କୁ ଗିରଫ କଲା କ୍ୟାପିଟାଲ୍‌ ଥାନା ପୁଲିସ

ଖାରବେଳନଗର ଥାନା ପୁଲିସର ତଦନ୍ତକୁ ନେଇ ସନ୍ଦେହ

ଭୁବନେଶ୍ବର: ଜାମ ଯୋଗୁ ଖାରବେଳନଗର ଥାନାଠାରୁ ମାତ୍ର କେଇ ମିଟର ଦୂରରେ ଆମ୍ବୁଲାନ୍ସରେ ଚାଲିଗଲା ନିରୀହ ଶିଶୁ ସୁହାନୀର ଜୀବନ। ଘଟଣା ଘଟିବାର ୨୪ ଘଣ୍ଟା ବିତି ଯାଇଥିଲେ ମଧ୍ୟ ଖାରବେଳନଗର ଥାନା ପୁଲିସ ଏନେଇ ମାମଲା ରୁଜୁ କରିବା ତ ଦୂରର କଥା ସୁହାନୀଙ୍କ ଠିକଣା ମଧ୍ୟ ପାଇ ପାରିନାହିଁ। ଯଦିଓ ସୁହାନୀଙ୍କ ଘର ଥାନାଠାରୁ ମାତ୍ର ଗୋଟିଏ କିଲୋମିଟର ଦୂର ସତ୍ୟନଗର ରାଜକୁମାର ବସ୍ତି‌ରେ। ଘଟଣା ବିଷୟରେ ଥାନା ସହିତ ଯୋଗାଯୋଗ କରାଗଲେ ଅଧିକାରୀମାନେ ବାଉଳି ହେଉଛନ୍ତି। ଏଭଳି ଘଟଣା ଘଟିଛି କି? ବୋଲି ଓଲଟି ପ୍ରଶ୍ନ କରୁଛନ୍ତି। ଆମ ପାଖରେ ସେମିତି କିଛି ଖବର ନାହିଁ ବୋଲି କହୁଛନ୍ତି। ତେବେ ଘଟଣା ସମ୍ପର୍କରେ ପୁଲିସ ଅବଗତ ଅଛି କି ନାହିଁ, ସେ ନେଇ ଏବେ ପ୍ରଶ୍ନ ଉଠିଲାଣି। ସେହିପରି ପୁଲିସ ଚାପରେ ପଡ଼ି ଘଟଣାକୁ ଚାପିଦେବାକୁ ଉଦ୍ୟମ କରୁଛି ବୋଲି ଅନେକ ଅଭିଯୋଗ କରିଛନ୍ତି।

ଅନ୍ୟପଟେ ଏଭଳି ଖବର ପ୍ରକାଶ ପରେ ମଙ୍ଗଳବାର ସକାଳୁ ସୁହାନୀଙ୍କ ଘରେ ସାମ୍ବାଦିକଙ୍କ ଭିଡ଼ ଜମିଥିଲା। ସାମ୍ବାଦିକମାନେ ତାଙ୍କ ବାପା ଦୀପକ ବିଶୋଇଙ୍କୁ ଭେଟି ଥିଲେ। ହେଲେ ସୁହାନୀଙ୍କ ପରିବାରଲୋକ କୌଣସି ମତାମତ ଦେବାକୁ ପ୍ରସ୍ତୁତ ନ ଥିଲେ। ଲାଗୁଥିଲା ଗଣମାଧ୍ୟମରେ ‌କୌଣିସ ମତ ନ ରଖିବାକୁ ସୁହାନୀଙ୍କ ପରିବାର ଲୋକଙ୍କ ଉପରୁ ଚାପ ପକା ଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ସୋମବାର ସକାଳେ ସୁହାନୀଙ୍କ ମା’ ତାଙ୍କ ପୁଅକୁ ସ୍କୁଲକୁ ନେବା ପାଇଁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ ସୁହାନୀ ଖେଳୁ ଖେଳୁ ଘର ପଛପଟକୁ ଚାଲି ଯାଇଥିଲା। ସେ ହାତରେ ଧରିଥିବା ଗ୍ଲାସ୍‌ଟି ପାଣି କୁଣ୍ଡରେ ପଡ଼ି ଯାଇଥିଲା। ଗ୍ଲାସ୍‌କୁ କାଢ଼ିବାକୁ ଯାଇ ସେ କୁଣ୍ଡରେ ପଡ଼ି ଯାଇଥିଲା। ଆଉ ଉଠିପାରି ନଥିଲା। ପୁଅକୁ ସ୍କୁଲ୍‌ ପଠାଇବା ପରେ ମା’ ସୁହାନୀକୁ ଡାକିଥିଲେ। ହେଲେ ସେ କିଛି ଜବାବ ଦେଇ ନଥିଲା। ପରେ ସୁହାନୀକୁ ଘର ପଛପଟ କୁଣ୍ଡରେ ଭାସୁଥିବା ଦେଖିଥିଲେ। ତୁରନ୍ତ ତାକୁ ସେଠାରୁ ଉଦ୍ଧାର କରି ଆମ୍ବୁଲାନ୍ସରେ ନିକଟସ୍ଥ ହସ୍ପିଟାଲକୁ ନେଉଥିଲେ। ହେଲେ ରାସ୍ତା ଜାମ୍‌ ଯୋଗୁଁ ଆମ୍ବୁଲାନ୍ସ ଅଧାବାଟରେ ଅଟକି ଯାଇଥିଲା। ଶେଷରେ ଆମ୍ବୁଲାନ୍ସ ଭିତରେ ହିଁ ସୁହାନୀ ଆଖି ବୁଜି ଦେଇଥିଲା। ଅନ୍ୟପକ୍ଷରେ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ରାସ୍ତା ଅବରୋଧ କରିଥିବା ଜୀବିକା ମିସନ ସଂଗଠନର ୪ ଜଣ ମହିଳାଙ୍କ ବିରୋଧରେ କ୍ୟାପିଟାଲ ଥାନା ପୁଲିସ ଏକ ମାମଲା ରୁଜୁ କରି ସେମାନଙ୍କୁ ଗିରଫ କରିଛି। ପରେ ସେମାନଙ୍କୁ ବ୍ୟକ୍ତିଗତ ମୁଚାଲିକାରେ ଜାମିନ ପ୍ରଦାନ କରାଯାଇଛି। ସେହିପରି ଏହି ୪ ଜଣଙ୍କ ଛଡ଼ା ଆଉ କେଉଁମାନେ ଏପରି ରାସ୍ତାରୋକ ଘଟଣାରେ ସଂପୃକ୍ତ ଥିଲେ, ତାର ସିସିଟିଭି ଯାଞ୍ଚ ଚାଲିଛି ବୋଲି ଏସିପି ଅସୀମ ପଣ୍ଡା କହିଛନ୍ତି। ସୂଚନାଯୋଗ୍ୟ ଯେ ଗତକାଲି ଏହି ସଂଗଠନ ପକ୍ଷରୁ ମାଷ୍ଟରକ୍ୟାଣ୍ଟିନ ଛକରେ ବେଆଇନ ଭାବେ ରାସ୍ତା ଅବରୋଧ କରାଯାଇଥିଲା। ଫଳରେ ଜନପଥରେ ଟ୍ରାଫିକ ଜାମ ପରିସ୍ଥିତି ସୃଷ୍ଟି ହୋଇଥିଲା।

ସମ୍ବନ୍ଧିତ ଖବର