କ୍ୟାପିଟାଲ ଥାନାରେ ଏମିତି ଚାଲିଛି ‘ମୋ ସରକାର’: ପୁଲିସ ନିର୍ଦ୍ଦେଶ‌‌‌‌ରେ ଥାନା ଚଟାଣ ପୋଛିଲେ ଅଭିଯୋଗକାରୀ

ଭୁବନେଶ୍ୱର: ହାତରେ ଧରିଥିବା କିଛି ଖାଦ୍ୟ ପଦାର୍ଥ ତଳେ ପଡ଼ିଯିବାରୁ ଯୁବକଙ୍କୁ ଥାନା ଚଟାଣ ପୋଛାଇଲେ ପୁଲିସ୍‌ ବାବୁ। ଖାଲି ସେତିକି ନୁହେଁ, ଯୁବକଜଣକ ପ୍ରଥମେ ଅରାଜି ହେବାରୁ ତାଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ ମଧ୍ୟ କଲେ। କେଉଁ ଉପାନ୍ତ ଅଞ୍ଚଳ ନୁହେଁ, ବରଂ କମିସନ୍‌ରେଟ୍‌ ପୁଲିସର କ୍ୟାପିଟାଲ ଥାନା‌ରେ ଏଭଳି ଅମାନବୀୟ ଘଟଣା ଘଟିଛି। ଥାନାକୁ ଅଭିଯୋଗ କରିବାକୁ ଆସି ଏଭଳି ପୁଲିସ୍‌ ଅତ୍ୟାଚାରର ଶିକାର ହୋଇଥିବା ଯୁବକଜଣକ ହେଲେ ଭୁବନେଶ୍ୱରର ଗୌରୀଶଙ୍କର ତ୍ରିପାଠୀ। ଏ ନେଇ ସେ ‘ଡାଏଲ୍‌-୧୦୦’ଠାରୁ ଆରମ୍ଭ କରି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରାଳୟ ପର୍ଯ୍ୟନ୍ତ ଅଭିଯୋଗପତ୍ର ପଠାଇଛନ୍ତି। ହେଲେ ତାଙ୍କୁ କେହି ସହଯୋଗ କରିନାହାନ୍ତି। ଅନ୍‌ଲାଇନ୍‌ରେ ଏତଲା ଦେବାକୁ ୫ଦିନ ବିତିଥିଲେ ମଧ୍ୟ ଏନେଇ କୌଣସି ମାମଲା ରୁଜୁ ହୋଇନଥିବା ଜଣାଯାଇଛି।

ଥାନାରେ ଅଭିଯୋଗକାରୀକୁ ଉତ୍ତମ ବ୍ୟବହାର ମିଳିବା ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି। ‘ମୋ ସରକାର’ ବ୍ୟବସ୍ଥାରେ ଫୋନ୍‌ କରି ଅଭିଯୋଗକାରୀଙ୍କଠାରୁ ଥାନା ବାବୁଙ୍କ ଆଚରଣ ସମ୍ବନ୍ଧରେ ବୁଝୁଛନ୍ତି। ଆଚରଣ ଉତ୍ତମ ନ ହେଲେ ଅଧିକାରୀ ଦଣ୍ଡିତ ହେବାର ବ୍ୟବସ୍ଥା ମଧ୍ୟ କରାଯାଇଛି। କିନ୍ତୁ ଖୋଦ୍‌ ରାଜଧାନୀରେ ଏହି ବ୍ୟବସ୍ଥା କିଭଳି ଚାଲିଛି, ତାହା ଏହି ଗୋଟିଏ ଉଦାହରଣରୁ ଜଳଜଳ ହୋଇ ଦିଶୁଛି।ଅପରପକ୍ଷେ ଏହି ଘଟଣା ଲୋକଲୋଚନକୁ ଆସିବା ପରେ କ୍ୟାପିଟାଲ ଥାନା ଇନ୍‌ସ୍‌ପେକ୍ଟର ଗିରିଜା ଶଙ୍କର ଚକ୍ରବର୍ତ୍ତୀ ବିବାଦୀୟ ହୋଇପଡ଼ିଛନ୍ତି। କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା? ସେତେବେଳେ କିଏ ଡ୍ୟୁଟିରେ ଥିଲେ? ମାନବିକତା ଭୁଲି କିଭଳି ଅଭିଯୋଗକାରୀଙ୍କୁ ଝାଡ଼ୁପୋଛା କରିବାକୁ ସମ୍ପୃକ୍ତ ଅଧିକାରୀ ଚଢ଼ାଗଳାରେ ନିର୍ଦ୍ଦେଶ ଦେଲେ? ଥାନା ଇନ୍‌ସ୍‌ପେକ୍ଟର ସେତେବେଳେ କେଉଁଠି ଥିଲେ? ଏହା ଜାଣିବା ପରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନେଲେ? ଏଭଳି ଅନେକ ପ୍ରଶ୍ନରେ ଇନ୍ସପେକ୍ଟର୍‌ ଚକ୍ରବର୍ତ୍ତୀ ଚର୍ଚ୍ଚାକୁ ଆସିଛନ୍ତି। ସେହିପରି ଏଭଳି ଘଟଣା ସମ୍ବନ୍ଧରେ ସୂଚନା ‘ସମ୍ବାଦ’ ହାତରେ ଲାଗିବାରୁ କ୍ୟାପିଟାଲ ଥାନା ପୁଲିସ ଛାନିଆ ହୋଇଛି। ସିସିଟିଭି କ୍ୟାମେରାରୁ କିଭଳି ପ୍ରମାଣ ଲିଭିବ, ସେ ନେଇ ଉଦ୍ୟମ ଚଳାଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗତ ମାସ ୨୮ ତାରିଖ ରାତିରେ ଗୌରୀଶଙ୍କର ଅନ୍‌ଲାଇନ୍‌ରେ ଏକ ଗାଡ଼ି ବୁକିଂ କରି ରେଳ ଷ୍ଟେସନ୍‌କୁ ଯାଉଥିଲେ। ତାଙ୍କ ସାଙ୍ଗରେ କିଛି ଖାଦ୍ୟ ପୁଡ଼ିଆ ମଧ୍ୟ ଥିଲା। ତେବେ ଗାଡ଼ିରୁ ଓହ୍ଲାଇବା ବେଳେ ଅସାବଧାନତାବଶତଃ ସେ ସେଗୁଡ଼ିକୁ ନେବା ପାଇଁ ଭୁଲି ଯାଇଥିଲେ। ଏନେଇ ସେ ସଂପୃକ୍ତ ସଂସ୍ଥା ଓ ଗାଡ଼ି ଡ୍ରାଇଭର୍‌ଙ୍କୁ ବାରମ୍ବାର ଯୋଗାଯୋଗ କରି ନିରାଶ ହେବା ପରେ କ୍ୟାପିଟାଲ ଥାନା ପୁଲିସର ଦ୍ବାରସ୍ଥ ହୋଇଥିଲେ। ରାତି ପ୍ରାୟ ୮ଟା ବେଳେ ସେ ଥାନାରେ ପହଞ୍ଚି ଏ ନେଇ ଅଭିଯୋଗ କରିଥିଲେ। ସେତିକିବେଳେ ତାଙ୍କ ହାତରେ ଥିବା ଅନ୍ୟ କିଛି ଖାଦ୍ୟପଦାର୍ଥ ଥାନା‌ ଭିତରେ ପଡ଼ିଯାଇଥିଲା। ଏହା ଦେଖି ସେଠାରେ ଥିବା ଜଣେ ପୁଲିସ ବାବୁ ତାଙ୍କୁ ଗାଳିଗୁଲଜ କରିବା ସହ ଚଟାଣ ପୋଛିବାକୁ ବାଧ୍ୟ କରିଥିଲେ। ଏ ସଂପର୍କରେ କ୍ୟାପିଟାଲ ଥାନା ଇନ୍ସପେକ୍ଟର ଶ୍ରୀ ଚକ୍ରବର୍ତ୍ତୀଙ୍କୁ ଯୋଗାଯୋଗ କରାଯାଇଥିଲା। ସେ କହିଛନ୍ତି, ମତେ ଲାଗୁନି ଏମିତି ହେଇଥିବ! ତଥାପି ମୁଁ ଦେଖୁଛି, ୨୮ତାରିଖ ରାତି ୮ଟାରେ କିଏ ଡ୍ୟୁଟି‌‌ରେ ଥିଲା।

ସମ୍ବନ୍ଧିତ ଖବର