ଭୁବନେଶ୍ବର : ୱାର୍ଡ ସଂରକ୍ଷଣ ଓ ସୀମା ନିର୍ଦ୍ଧାରଣକୁ ନେଇ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବା ପରେ ରାଜଧାନୀରେ ରାଜନୈତିକ ଉଷ୍ମତା ହଠାତ୍ ବଢ଼ିଯାଇଛି। ଯେଉଁମାନଙ୍କର ଆସନ ସୁରକ୍ଷିତ ଅଛି ସେମାନେ ନିଜର ପ୍ରଚାର, ସେବା କାର୍ଯ୍ୟକ୍ରମ ଏକ ପ୍ରକାର ଆରମ୍ଭ କରିଦେଲେଣି। ଅପରପକ୍ଷେ ଯେଉଁମାନେ ଚିଠା ତାଲିକାରେ ପରିବର୍ତ୍ତନ ପାଇଁ ଉଦ୍ୟମ ଚଳାଇଥିଲେ ସେମାନେ ଏବେ ହତାଶ ହୋଇଯାଇଛନ୍ତି। ନଗର ଉନ୍ନୟନ ବିଭାଗ ନିକଟରେ ଗଦାଗଦା ଅଭିଯୋଗ, ବିଧାୟକଙ୍କ ମାଧ୍ୟମରେ ଯେତେ ଯାହା ସୁପାରିଶ କରିଥିଲେ କିଛି କାମ ଦେଇନଥିବାରୁ ଏବେ ଆଉ କେଉଁ ୱାର୍ଡରୁ ନିର୍ବାଚନ ଲଢ଼ିବେ ନା ବିଦ୍ରୋହୀ ହେବେ ସେନେଇ ଅକଳରେ ପଡ଼ିଯାଇଛନ୍ତି। ଅପରପ‌କ୍ଷେ କେତେକ ୱାର୍ଡ ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ପତ୍ନୀ କିମ୍ବା ପରିବାରରୁ କୌଣସି ମହିଳାଙ୍କୁ ପ୍ରାର୍ଥୀ କରିବାକୁ ପୁରୁଣା ନେତାଙ୍କ ପାଇଁ ସୁଯୋଗ ରହିଛି। ତେଣୁ ସେମାନେ ପ୍ରତ୍ୟେକ୍ଷରେ ନହେଲେ ବି ପରୋକ୍ଷରେ କ୍ଷମତା ଦେଖାଇବାର ସୁଯୋଗ ଆଶାରେ ପ୍ରଚାର ଚଳାଇଛନ୍ତି।

Advertisment

ଏବେ ଚର୍ଚ୍ଚାରେ ଥିବା ନେତାଙ୍କ ମଧ୍ୟରେ ଆଗରେ ଅଛନ୍ତି ୪୫ ନମ୍ବର ୱାର୍ଡର ପୂର୍ବତନ କର୍ପୋରେଟର ଅମରେଶ ଜେନା। ସେ ତାଙ୍କ ଅଞ୍ଚଳରେ ବାରମ୍ବାର ଜିତିବାର ରେକର୍ଡ କରିଛନ୍ତି। ପୂର୍ବରୁ ଏହି ୱାର୍ଡ ଅଣସଂରକ୍ଷିତ ଥିବା ବେଳେ ଏବେ ମଧ୍ୟ ଅଣସଂରକ୍ଷିତ ରହିଛି। ଅର୍ଥାତ ତାଙ୍କ ପଦ ସୁରକ୍ଷିତ ରହିଛି। ବିରୋଧୀ ଦଳ ଟାଣୁଆ ନେତାଙ୍କୁ ଛିଡ଼ା ନ କରାଇଲେ ତାଙ୍କ ହାତରୁ କର୍ପୋରେଟର ପଦ ଛଡ଼ାଇ ନେବା କଷ୍ଟକର ହେବ ବୋଲି କୁହାଯାଉଛି। ସେହିଭଳି ଆଉ ଜଣେ ପ୍ରଭାବଶାଳୀ ନେତା ହେଉଛନ୍ତି ବିରଞ୍ଚି ନାରାୟଣ ମହାସୁପକାର। ୫୯ ନମ୍ବର ୱାର୍ଡରେ ପୂର୍ବରୁ ସେ ସ୍ବାଧୀନ ଭାବରେ ବିଜୟ ଲାଭ କରିଥିଲେ ମଧ୍ୟ ପରେ ବିଜେଡିରେ ଯୋଗ ଦେଇଥିଲେ। ପୂର୍ବରୁ ଅଣସଂରକ୍ଷିତ ଥିବା ଏହି ପଦ ଏଥର ମଧ୍ୟ ଅଣସଂରକ୍ଷିତ ରହିଛି। ଏଠାରେ ବିଦ୍ରୋହୀ କିମ୍ବା ଅନ୍ୟ ଦଳର ନେତାଙ୍କର ମଧ୍ୟ ଦବଦବା ଦେଖିବାକୁ ମିଳୁନଥିବାରୁ ବିରଞ୍ଚିଙ୍କ ପଲ୍ଲା ଭାରି ରହିଛି। ଠିକ୍‌ ସେହିଭଳି ଅନ୍ୟ ଜଣେ ନେତ୍ରୀ ହେଉଛନ୍ତି କେ. ଶାନ୍ତି। ୫୬ ନମ୍ବର ୱାର୍ଡରେ ବାରମ୍ବାର ବିଜୟ ଲାଭ କରିଛନ୍ତି। ପୂର୍ବରୁ ଏହି ପଦ ଅଣସଂରକ୍ଷିତ ଥିବା ବେଳେ ଏବେ ମଧ୍ୟ ଅଣସଂରକ୍ଷିତ ରହିଛି। ତେବେ ନିକଟସ୍ଥ ଏକ ୱାର୍ଡର ଜଣେ ପୂର୍ବତନ କର୍ପୋରେଟର ସଂରକ୍ଷଣ ଯୋଗୁଁ ଏଥର ସେଠାରେ ପ୍ରାର୍ଥୀ ହୋଇପାରୁନାହାନ୍ତି। ତେଣୁ ସେ ଏହି ୱାର୍ଡରେ ପ୍ରାର୍ଥୀ ହେବାକୁ ଉଦ୍ୟମ ଆରମ୍ଭ କରିଦେଇଛନ୍ତି। ଦୁଇ ଆଶାୟୀ ଗୋଟିଏ ଦଳର ହୋଇଥିବାରୁ ଏଠାରେ କିଏ ପ୍ରାର୍ଥୀ ହେବ ତାହା ଆଗାମୀ ଦିନରେ ଜଣାପଡ଼ିବ।

ସେହିଭଳି ଆଉ ଜଣେ ପୁରୁଖା ନେତା ହେଉଛନ୍ତି ନୃପେଶ ନାୟକ। ୫୫ ନମ୍ବର ୱାର୍ଡ ଗତ ଥର ମହିଳାଙ୍କ ପାଇଁ ସଂରକ୍ଷିତ ଥିବାରୁ ସେ ନିର୍ବାଚନ ଲଢ଼ି ପାରିନଥିଲେ। ତାଙ୍କ ପତ୍ନୀ କର୍ପୋରେଟର ହୋଇଥିଲେ। ଏବେ ଏହି ୱାର୍ଡ ଅଣସଂରକ୍ଷିତ ହେବା ସହ ନୃପେଶଙ୍କ ପାଇଁ ସୁଯୋଗ ସୃଷ୍ଟି ହୋଇଛି। ଏଠାରେ ବିଜେଡିରେ ବିଦ୍ରୋହୀ ନେତା ନଥିବାରୁ ତାଙ୍କ ପଥ ପରିଷ୍କାର ଥିବା କୁହାଯାଉଛି। ସେହିଭଳି ଆଉ ଜଣେ ନେତା ହେଉଛନ୍ତି ସଞ୍ଜୟ ସେଠୀ। ଭିନ୍ନ ଭିନ୍ନ ୱାର୍ଡରୁ ସେ ଲଗାତାର ଦୁଇଥର କର୍ପୋରେଟର ହେବାର ସୁଯୋଗ ପାଇଛନ୍ତି। ଏଥର ସେ ୧୨ ନମ୍ବର ୱାର୍ଡରୁ କର୍ପୋରେଟର ହୋଇଥିଲେ। କିନ୍ତୁ ୧୨ ନମ୍ବର ୱାର୍ଡ ଏବେ ତାଙ୍କ ହାତରୁ ଖସିଛି। ପୂର୍ବରୁ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ଥିବା ଏହି ୱାର୍ଡ ଏବେ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି। ଏଣୁ ତାଙ୍କ ପାଇଁ ଆଉ ଏଠାରେ ସୁଯୋଗ ନାହିଁ।

ସେହିଭଳି ଆଉ ଗୋଟିଏ ୱାର୍ଡ ହେଉଛି ୩୭ ନମ୍ବର। ଏଠାରେ ପୂର୍ବରୁ କର୍ପୋରେଟର ଥିବା ନବ ବେହେରାଙ୍କର ଏବେ ବି ବିଜେଡିରେ ଦବଦବା ରହିଛି। କିନ୍ତୁ ଏହା ଏବେ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି। ଯଦିଓ ତାଙ୍କ ସମ୍ପର୍କୀୟଙ୍କ ପାଇଁ ସୁଯୋଗ ରହିଛି, ତଥାପି ଏଠାରେ ବିଜେଡିରେ ବିଦ୍ରୋହୀଙ୍କ ଦବଦବା ଥିବାରୁ କିଏ ପ୍ରାର୍ଥୀ ହେବେ ସେନେଇ ନାନା କଳ୍ପନା ଜଳ୍ପନା ଆରମ୍ଭ ହୋଇଗଲାଣି।

ଦାମ ରାଉତଙ୍କ ଝିଅ ପ୍ରୀତିନନ୍ଦା ରାଉତରାୟ ୬ ନମ୍ବର ୱାର୍ଡରୁ କର୍ପୋରେଟର ହୋଇଥିଲେ। ଯାହା ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। ହେଲେ ଏବେ ଏହା ଅଣସଂରକ୍ଷିତ ହୋଇଯାଇଛି। ତାଙ୍କ ପାଇଁ ସୁଯୋଗ ଥିଲେ ମଧ୍ୟ ଏକାଧିକ ବିଦ୍ରୋହୀଙ୍କ ପାଇଁ ବାଟ ଫିଟିଛି। ଆଉ ବହୁ ଆଶାୟୀ ବି ଏଠାରେ ଜୋରଦାର ପ୍ରଚାର ଆରମ୍ଭ କରିଦେଇଛନ୍ତି।

ଅପରପକ୍ଷେ ଗତ ନିର୍ବାଚନରେ ବିଜେଡି ଭିଡ଼ ଭିତରେ ବି ରଘୁନାଥ ମହାନ୍ତି ଓ ସୁରେଶ ଜେନା ବିଜେପି ପ୍ରାର୍ଥୀ ଭାବେ ଜିତିଥିଲେ। ରଘୁନାଥ ୬୩ ନମ୍ବର ୱାର୍ଡରୁ ବିଜୟୀ ହୋଇଥିଲେ। ତାହା ଅଣସଂରକ୍ଷିତ ଥିଲା। କିନ୍ତୁ ଏବେ ଏହା ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଛି। ସେହିଭଳି ସୁରେଶ ଜେନା ଜିତିଥିବା ୩୩ ନମ୍ବର ୱାର୍ଡ ପୂର୍ବରୁ ଅଣସଂରକ୍ଷିତ ଥିଲା। ତାହା ଏବେ ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଯାଇଛି। ଫଳରେ ଉଭୟ ନେତାଙ୍କ ପାଇଁ ଏବେ ପ୍ରାୟତଃ ସୁଯୋଗ ନାହିଁ। କିନ୍ତୁ ନିଜ ଦବ୍‌ଦବା ଥିବା ୱାର୍ଡକୁ କ’ଣ ସହଜରେ ଏହି ନେତାମାନେ ଛାଡ଼ିବେ?