ଡେଙ୍ଗୁକୁ ନେଇ ରାଜଧାନୀ ରାଜନୀତି ଉଷ୍ମ

ଭୁବନେଶ୍ବର : ପୌର ନିର୍ବାଚନ କେବେ ହେବ ତାହା ଏଯାଏ ସ୍ପଷ୍ଟ ହୋଇନି। ଲୋକଙ୍କ ମନରୁ କରୋନା ଡର ଯାଇନି। ଲକ୍‌ଡାଉନ୍ କଟକଣା ମଧ୍ୟ ସମ୍ପୂର୍ଣ୍ଣ ଦୂର ହୋଇନି। ମାତ୍ର ଡେଙ୍ଗୁକୁ ନେଇ ହଠାତ୍ ରାଜଧାନୀ ରାଜନୀତି ଉଷ୍ମ ହୋଇ ଉଠିଛି। ଲକ୍‌ଡାଉନ୍, ସଟ୍‌ଡାଉନ୍ ଯୋଗୁଁ ଏକପ୍ରକାର ଚୁପ୍ ବସିଥିବା ରାଜନୈତିକ ଦଳଗୁଡ଼ିକ ଏଇ କିଛିଦିନ ହେଲା ଚଳଚଞ୍ଚଳ ହୋଇ ଉଠିଛନ୍ତି। ଡେଙ୍ଗୁ ମୁକାବିଲାରେ ପ୍ରଶାସନର ବିଫଳତା ପ୍ରତିବାଦରେ ବିଜେପି ଓ କଂଗ୍ରେସ ରାଜରାସ୍ତାରେ ଆନ୍ଦୋଳନ ଜାରି ରଖିଛନ୍ତି। ଗଳିକନ୍ଦିରେ ସଭା, ଶୋଭାଯାତ୍ରା କରି ଉଭୟ ଦଳର ରାଜ୍ୟ ଓ ଜିଲ୍ଲାସ୍ତରୀୟ ନେତାମାନେ କର୍ମୀଙ୍କୁ ସାଙ୍ଗରେ ନେଇ ବିଏମ୍‌ସିର ଅପାରଗତା ସମ୍ପର୍କରେ ଲୋକଙ୍କୁ ବୁଝାଉଛନ୍ତି। ଏଥିସହ ରାସ୍ତାରେ ଜମା ହୋଇଥିବା ଅଳିଆ ସଫେଇ ମଧ୍ୟ କରୁଛନ୍ତି। ଅନ୍ୟପକ୍ଷରେ ଶାସକ ଦଳ ବିଜେଡି ମଧ୍ୟ ପଛରେ ପଡ଼ିନି। ଦଳର ଭୁବନେଶ୍ବର ସାଙ୍ଗଠନିକ ଜିଲ୍ଲାର ନେତା, ୱାର୍ଡସ୍ତରୀୟ ନେତା, କର୍ମୀ, ପୂର୍ବତନ କର୍ପୋରେଟରମାନେ ମଧ୍ୟ ହଠାତ୍‌ ଚେଇଁ ଉଠିଛନ୍ତି। ୭ ଦିନ ହେଲା ୱାର୍ଡସ୍ତରରେ ସଚେତନତା ଶୋଭାଯାତ୍ରା କରୁଛନ୍ତି। ତିନି ରାଜନୈତିକ ଦଳର ଏଭଳି କାର୍ଯ୍ୟକଳାପ ସହରବାସୀଙ୍କ ମଧ୍ୟରେ ନିର୍ବାଚନୀ ଭ୍ରମ ସୃଷ୍ଟି କରିଛି।

ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀ‌ରେ ଡେଙ୍ଗୁ ସଂକ୍ରମଣ ଯେଉଁଭଳି ଭାବେ ବଢ଼ୁଛି ରାଜନୈତିକ ଉଷ୍ମତା ମଧ୍ୟ ସେଭଳି ବଢ଼ିବାରେ ଲାଗିଛି। ୧୦ ଦିନ ହେଲା ତିନି ରାଜନୈତିକ ଦଳ ଏବେ ଏଠାରେ ଡେରା ପକାଇଛନ୍ତି। ପ୍ରତିଦିନ ୱାର୍ଡସ୍ତରରେ କାର୍ଯ୍ୟକ୍ରମ କରୁଛନ୍ତି। ଡେଙ୍ଗୁ ମୃତ୍ୟୁ ଅଭିଯୋଗ ଆସିବା ପରେ ବିଜେପି ରାସ୍ତାକୁ ଓହ୍ଲାଇବା ସହ ମୃତ ନାବାଳିକାଙ୍କ ପରିବାରଙ୍କୁ ଭେଟିଥିଲା। ଆଉ ସେହିଦିନ ହିଁ ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତ ମୃତ ନାବାଳିକାଙ୍କ ଘରକୁ ଯାଇ ଆଶ୍ବାସନା ଦେଇଥିଲେ। ବିଏମ୍‌ସି ଓ ରାଜ୍ୟ ସରକାରକୁ ଘେରିବା ଲାଗି ବିଜେପି ‌ସେବେଠାରୁ ଗୋଟିଏ ପରେ ଗୋଟିଏ ଅଞ୍ଚଳରେ ଆନ୍ଦୋଳନ ଜାରି ରଖିଛି। ବିଏମ୍‌ସି କମିସନରଙ୍କୁ ଦାବିପତ୍ର ଦେବାଠାରୁ ଆରମ୍ଭ କରି ୱାର୍ଡରେ ସଫେଇ କରିବା ପର୍ଯ୍ୟନ୍ତ ପଦକ୍ଷେପ ନେଇଛି। ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂଙ୍କ ନେତୃତ୍ବରେ ଚାଲିଥିବା କାର୍ଯ୍ୟକ୍ରମରେ ବସ୍ତି ଅଞ୍ଚଳକୁ ଅଧିକ ଫୋକସ୍‌ ଦିଆଯାଇଛି।

ବିଜେପି ଦେଖାଦେଖି କଂଗ୍ରେସ ମଧ୍ୟ ମଇଦାନକୁ ଲମ୍ଫ ଦେଇଛି। ଜିଲ୍ଲା କଂଗ୍ରେସ ପକ୍ଷରୁ ବିଏମ୍‌ସି କମିସନରଙ୍କୁ ଦାବିପତ୍ର ଦିଆଯାଇ ଯୁଦ୍ଧକାଳୀନ ଭିତ୍ତିରେ ଡେଙ୍ଗୁ ନିରାକରଣ ବ୍ୟବସ୍ଥା କରିବାକୁ କୁହାଯାଇଛି। ନ ହେଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଦଳ ଚେତାବନୀ ଦେବା ସହ କିଛି ଦିନ ହେଲା ସଫେଇ କାର୍ଯ୍ୟ ଜାରି ରଖିଛି। ଜିଲ୍ଲା କଂଗ୍ରେସ ତରଫରୁ ମୁଖ୍ୟତଃ ଉତ୍ତର ନିର୍ବାଚନ ମଣ୍ଡଳୀରେ ଡେଙ୍ଗୁ ସଚେତନତା ଓ ନିରାକରଣ କାର୍ଯ୍ୟକ୍ରମ କରାଯାଉଛି। ଦଳର କର୍ମୀମାନେ ଉତ୍ତର ନିର୍ବାଚନ ମଣ୍ଡଳୀର ମୁଣ୍ଡାସାହି, ଦାଶ ରଜା ଆପାର୍ଟମେଟ ନିକଟ, ବିଜୁ ପଟ୍ଟନାୟକ କଲେଜ ପଛ ରାସ୍ତାରେ ଜମି ରହିଥିବା ପାଣି ଓ ଅପରିଷ୍କାର ଅଞ୍ଚଳରେ ବ୍ଲିଚିଂ, ମଶାତେଲ ଆଦି ସିଞ୍ଚନ କରୁଛନ୍ତି। ଅନ୍ୟପକ୍ଷରେ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସମେତ ଭୁବନେଶ୍ଵର ଜିଲ୍ଲା ସଭାପତି ବିଶ୍ୱଜିତ ଦାଶ ସଚେତନତା କାର୍ଯ୍ୟକ୍ରମର ନେତୃତ୍ବ ନେଇଥିବାରୁ ରାଜନୈତିକ ଉଷ୍ମତା ବଢ଼ିଛି। ଦୁଇ ଦିନ ତଳେ ଜିଲ୍ଲା କଂଗ୍ରେସ ତରଫରୁ ଭୁବନେଶ୍ବର ମଧ୍ୟ ନିର୍ବାଚନ ମଣ୍ଡଳୀର ୟୁନିଟ-୨ ପଟେଲ ବସ୍ତି , ଅଶୋକ ନଗର ଫଳ ଗୋଦାମ, ଫାଳିକିଆ ବଜାର ଓ କଳ୍ପନା ଛକ କଦଳୀ ଗୋଦାମ ଅଞ୍ଚଳରେ ମଶା ତେଲ ଓ ବ୍ଲିଚିଙ୍ଗ ପାଉଡର ପକାଯାଇ ଜନସାଧାରଣଙ୍କୁ ଡେଙ୍ଗୁ ବିଷୟରେ ସଚେତନା କରାଯାଇଛି।

ବିଜେପି ଓ କଂଗ୍ରେସର ବିରୋଧକୁ ପ୍ରତିହତ କରିବା ଲାଗି ଡେଙ୍ଗୁ ସଚେତନତା କରିବାକୁ ଅଣ୍ଟା ଭିଡ଼ିଛି ବିଜେଡି। ଗତ ସପ୍ତାହଠାରୁ ‘ମୋ ଗଳି, ମୋ ଦାୟିତ୍ବ’ ନାମରେ ସଚେତନତା ରଥ ବାହାରିଛି। ଏହା ମାଧ୍ୟମରେ ସହରର ପ୍ରତି ୱାର୍ଡରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିଷ୍ପତ୍ତି ହୋଇଛି। ଉତ୍ତର ଭୁବନେଶ୍ବର ନିର୍ବାଚନ ମଣ୍ଡଳୀରେ ଡେଙ୍ଗୁ ସଂକ୍ରମଣ ଅଧିକ ହୋଇଥିବାରୁ ବିଜେଡି ଏଠାରେ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିଛି। ସ୍ଥାନୀୟ ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ନିର୍ଦେଶକ୍ରମେ ପୂର୍ବତନ କର୍ପୋରେଟରମାନେ ୭, ୮, ୧୩, ୨୧, ୨୬ ନମ୍ବର ୱାର୍ଡରେ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ଲୋ‌କେ କିଭଳି ନିଜ ଘର, କଲୋନିକୁ ସଫା ରଖିପାରିବେ ସେନେଇ ସଚେତନତା କରାଯାଉଛି। ଭୁବନେଶ୍ବର ଏକାମ୍ର ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନେର୍ଦେଶକ୍ରମେ ତୃଣମୂଳସ୍ତରର ନେତା, କର୍ମୀମାନେ ନିର୍ବାଚନ ମଣ୍ଡଳୀରେ କାର୍ଯ୍ୟକ୍ରମକୁ ବ୍ୟାପକ କରିଛନ୍ତି। ନିଜେ ମନ୍ତ୍ରୀ ଶ୍ରୀ ପଣ୍ଡା କର୍ମୀଙ୍କ ସହ ୱାର୍ଡରେ ବୁଲି ଲୋକଙ୍କୁ ସଚେତନ କରାଇଛନ୍ତି। ତାଙ୍କ ସହ ଅଭିନେତା ଆକାଶ ଦାସ ନାୟକ ମଧ୍ୟ ସାମିଲ ହୋଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର