ଦୀପାବଳିରେ ବଢ଼ିଲା ରାଜଧାନୀ ପ୍ରଦୂଷଣ

୨୦୧୯ଠୁ ବି ବଳିଗଲା ଏକ୍ୟୁଆଇ
ଖଣ୍ଡଗିରି ସବୁଠାରୁ ବିପଜ୍ଜନକ ଅଞ୍ଚଳ
ସହିଦନଗର ଅଞ୍ଚଳରେ ସର୍ବାଧିକ ଢୋ ଢା

ଭୁବନେଶ୍ବର : ଦୀପାବଳିରେ କେବଳ ଗ୍ରିନ୍ କ୍ରାକର୍‌ ବା ସବୁଜ ବାଣ ଫୁଟାଇବାକୁ ହାଇକୋର୍ଟ ନିର୍ଦେଶ ଦେଇଥିଲେ। ରାତି ୮ଟାରୁ ୧୦ଟା ଭିତରେ ହିଁ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଥିଲା। ହେଲେ ସବୁ ନିର୍ଦ୍ଦେଶନାମାକୁ ଫୁ’ କରି ଦେଇଛନ୍ତି ରାଜଧାନୀବାସୀ। ବାଣ ଦୋକାନ ପାଇଁ ପ୍ରଶାସନର ଅନୁମତି ନ ଥିବା ସତ୍ତ୍ବେ ଲୁଚାଛପାରେ ପ୍ରବଳ ବାଣ ବିକ୍ରି ହୋଇଛି। ସତେ ‌ଯେମିତି ଲୋକମାନେ ଗତବର୍ଷର ବାଣ ଫୁଟା ବନ୍ଦ ରାଗକୁ ଏ ବର୍ଷ ଶୁଝାଇଛନ୍ତି। ଏମିତି ଢୋ ଢା କରିଛନ୍ତି ଯେ ରାଜଧାନୀରେ ବାୟୁର ମାନ ସୂଚକାଙ୍କ ବା ଏକ୍ୟୁଆଇ ‘ପୁଅର୍’ ବା ‘ଖରାପ’ ସ୍ଥିତିକୁ ଖସି ଆସିଛି। ୨୦୧୯ ମସିହାର ଏକ୍ୟୁଆଇଠାରୁ ମଧ୍ୟ ଚଳିତବର୍ଷ ଏକ୍ୟୁଆଇ ଖରାପ ରହିଛି। ଏକ୍ୟୁଆଇର ଗଣନା ପାଇଁ ଯେଉଁ ଯେଉଁ ମାପଦଣ୍ଡକୁ ବିଚାରକୁ ନିଆଯାଇଥାଏ, ଏସବୁ ରାଜଧାନୀରେ ବାଣଫୁଟା ଯୋଗୁଁ ଯଥେଷ୍ଟ ବଢ଼ିଛି। ଗତବର୍ଷ କରୋନା ସଂକ୍ରମଣ ପାଇଁ ଲୋକମାନେ ଯେଉଁ ସତର୍କତା ଅବଲମ୍ବନ କରିଥିଲେ, ଚଳିତବର୍ଷ ତାହା ପାଣିରେ ପଡ଼ିଛି।

ଚଳିତବର୍ଷ ଦୀପାବଳି ପୂର୍ବରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ବାଣ ନ ଫୁଟାଇବା ପାଇଁ ଲୋକଙ୍କୁ ସତର୍କ କରାଇଥିଲେ। ବାଣ ପ୍ରଦୂଷଣ ‌ଯୋଗୁଁ ଏହା ଫୁସ୍‌ଫୁସ୍‌ ପାଇଁ ସମସ୍ୟା ସୃଷ୍ଟି କରିବା ସହିତ କରୋନା ସଂକ୍ରମଣ ସମୟରେ ଏହା ଘାତକ ସାବ୍ୟସ୍ତ ହୋଇପାରେ ବୋଲି କହିଥିଲେ। ହେଲେ ସବୁପ୍ରକାର ସତର୍କ ସୂଚନାକୁ ଲୋକମାନେ ଫୁ’ କରି ପୂରା ରାଜଧାନୀକୁ ଧୂଆଁମୟ କରିଦେଲେ।

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ବା ଓଏସ୍‌ପିସିବିଠାରୁ ମିଳିଥିବା ସୂଚନା ଅନୁସାରେ, ଚଳିତବର୍ଷ ଦୀପାବଳି ସମୟରେ ରାଜଧାନୀର ବାୟୁରେ ସୂକ୍ଷ୍ମକଣିକା ବା ପାର୍ଟିକୁଲେଟ୍‌ ମ୍ୟାଟର (ପିଏମ୍‌୧୦ ମାଇକ୍ରୋ ଗ୍ରାମ୍‌/କ୍ୟୁବିକ୍ ମିଟର) ସ୍ତରରେ ଏକାବେଳକରେ ୨୭୩ରେ ପହଞ୍ଚି ଯାଇଛି। ଗତବର୍ଷ ଏହା ୧୧୭ ଥିବା ବେଳେ ୨୦୧୯ରେ ୧୯୬ ଥିଲା। ସେହିପରି ଅତି ସୂକ୍ଷ୍ମକଣିକା ପିଏମ୍‌ ୨.୫ ଏମ୍‌ଜି/କ୍ୟୁବିକ୍ ମିଟର ମଧ୍ୟ ରେକର୍ଡସ୍ତରରେ ପହଞ୍ଚିଛି। ଚଳିତବର୍ଷ ଏହା ୯୫ ଛୁଇଁଛି। ୨୦୧୯ରେ ୭୨ ଥିବା ବେଳେ ୨୦୨୦ରେ ଏହା ୭୧ ରହିଥିଲା। ଏଥିରୁ ରାଜଧାନୀରେ ବାଣଫୁଟା ଯୋଗୁଁ ପ୍ରଦୂଷଣସ୍ତର କିଭଳି ବଢ଼ିଛି, ତାହା ଜଳଜଳ ବାରି ହୋଇପଡ଼ୁଛି।

India Today

ସାଧାରଣ ଭାବେ ପିଏମ୍‌୧୦ ଓ ପିଏମ୍‌ ୨.୫ ସ୍ତର ୧୦୦ ଓ ୬୦ ଭିତରେ ରହିଲେ, ତାହା ସନ୍ତୋଷଜନକ ବୋଲି ବିବେଚନା କରାଯାଇଥାଏ। ଏପରିକି ପିଏମ୍‌୧୦ର ସ୍ତର ୨୫୦ ଭିତରେ ରହିବା ଓ ପିଏମ୍‌୨.୫ର ସ୍ତର ୯୦ ଭିତରେ ରହିଲେ ବାୟୁମଣ୍ଡଳ ମଧ୍ୟମଧରଣର ପ୍ରଦୂଷିତ ହୋଇଥାଏ। ହେଲେ ରାଜଧାନୀ‌ରେ ଏହି ଦୁଇ କଣିକା ସନ୍ତୋଷଜନକସ୍ତରର ବାହାରକୁ ଚାଲି ଯାଇଛନ୍ତି। ରାଜଧାନୀର ୫ଟି ସ୍ଥାନରେ ପ୍ରଦୂଷଣ ମାତ୍ରା ମାପିବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏସବୁ ବିଚାରକୁ ନେଇ ଦୀପାବଳି ସମୟରେ ରାଜଧାନୀର ଏକ୍ୟୁଆଇ ହିସାବ କରାଯାଇଥାଏ। ଦୀପାବଳି ଦିନ ସବୁଠାରୁ ବିପଜ୍ଜନକ ଅଞ୍ଚଳ ପାଲଟିଛି ଖଣ୍ଡଗିରି। ଦୀପାବଳି ପୂର୍ବରୁ ଏହି ଅଞ୍ଚଳରେ ପିଏମ୍‌୧୦ର ସ୍ତର ୧୦୭ ଥିବା ବେଳେ ଦୀପାବଳି ଦିନ ୩୬୬କୁ ଛୁଇଁଛି। ଏକ୍ୟୁଆଇରେ ମାଦପଣ୍ଡ ଅନୁଯାୟୀ ଏହାକୁ ଅତି ଖରାପ ବୋଲି ବିବେଚନା କରାଯାଇଥାଏ। ସେହିପରି କ୍ୟାପିଟାଲ ଥାନା ଅଞ୍ଚଳରେ ପିଏମ୍‌ ୧୦ ସପ୍ତାହ ପୂର୍ବରୁ ୯୩ ଥିବା ବେଳେ ଦୀପାବଳି ରାତିରେ ଏହା ୨୬୬କୁ ବୃଦ୍ଧି ପାଇଛି। ସେହିପରି ବୋର୍ଡର କେନ୍ଦ୍ରୀୟ ଲାବ‌ରୋଟାରି ଅଞ୍ଚଳ ସପ୍ତାହ ପୂର୍ବରୁ ୮୩ ଥିବା ବେଳେ ଏହା ୨୬୯କୁ ବଢ଼ିଯାଇଛି। ପିଏମ୍‌୨.୫ ମଧ୍ୟ ବିପଜ୍ଜନକ ସ୍ତରକୁ ଚାଲିଯାଇଛି। କ୍ୟାପିଟାଲ ଥାନା ଅଞ୍ଚଳରେ ପିଏମ୍‌୨.୫ସ୍ତର ୩୨ରୁ ବୃଦ୍ଧି ପାଇ ୮୭ରେ ପହଞ୍ଚିଛି।

ଅପରପକ୍ଷରେ ବାଣଫୁଟା ଯୋଗୁଁ ଶବ୍ଦ ପ୍ରଦୂଷଣ ମଧ୍ୟ ରାଜଧାନୀରେ ଯଥେଷ୍ଟ ବୃଦ୍ଧି ପାଇଛି। ସହିଦନଗର ଅଞ୍ଚଳରେ ଲୋକମାନେ ସର୍ବାଧିକ ବାଣ ପୁଟାଇଛନ୍ତି। ବାଣଫୁଟା ଯୋଗୁଁ ଏହି ଅଞ୍ଚଳରେ ସର୍ବାଧିକ ଶବ୍ଦ ୬୫ ଡେସିବେଲ୍‌କୁ ଅନୁମତି ଥିବା ବେଳେ ଶବ୍ଦ ପ୍ରଦୂଷଣ ମାତ୍ରା ୭୪.୩ରେ ପହଞ୍ଚିଛି। ୟୁନିଟ୍‌-୬ ଅଞ୍ଚଳରେ କ୍ୟାପିଟାଲ ‌ହସ୍ପିଟାଲକୁ ନଜରରେ ରଖି ମାତ୍ର ୫୦ଡେସିବେଲ ଅନୁମତି ଥିବା ବେଳେ ଏଠାରେ ମଧ୍ୟ ୬୮.୩ରେ ପହଞ୍ଚି ଯାଇଥିଲା। ସେହିପରି ନୂଆପଲ୍ଲୀ ଅଞ୍ଚଳରେ ଶବ୍ଦ ପ୍ରଦୂଷଣ ବଢ଼ିଥିବା ବେଳେ ରସୁଲଗଡ଼ ଅଞ୍ଚଳରେ ଏହା ଅନୁମୋଦନ ଡେସିବେଲ୍‌ଠାରୁ ସାମାନ୍ୟ କମ୍ ରହିଛି।

ପରିବେଶ୍‌ବିତ ବିଜୟ ମିଶ୍ରଙ୍କ କହିବାନୁଯାୟୀ, ସହର ବଢ଼ିବା ଯୋଗୁଁ ପ୍ରଦୂଷଣ ବଢ଼ି ଚାଲିଛି। ଗତବର୍ଷ କରୋନା ପାଇଁ କଟକଣା ଓ ସତର୍କତା ପାଇଁ ଲୋକମାନେ ବାଣ ଫୁଟାଇ ନ ଥିଲେ। ଫଳରେ ରାଜଧାନୀର ବାୟୁ ପ୍ରଦୂଷଣ ମଡରେଟ୍‌ ବା ମଧ୍ୟମ ଧରଣର ରହିଥିଲା। ମାତ୍ର ଲୋକମାନେ ଏଥିରୁ କିଛି ଶିକ୍ଷା ଲାଭ କଲା ଭଳି ଦେଖାଯାଉ ନାହିଁ। ଏଥର ସବୁଜ ବାଣ ଫୁଟାଇବା ଲାଗି ଅନୁମତି ସତ୍ତ୍ବେ ଲୋକମାନେ ପ୍ରଦୂଷଣ ସୃଷ୍ଟି କରୁଥିବା ବାଣ ଫୁଟାଇବାରେ ଟିକିଏ ବି ହେଳା କରି ନାହାନ୍ତି। ଫଳରେ ପୁଣିଥରେ ରାଜଧାନୀରେ ପ୍ରଦୂଷଣସ୍ତର ବିପଜ୍ଜନକ ସ୍ତର‌ରେ ପହଞ୍ଚି ଯାଇଛି ବୋଲି ଶ୍ରୀ ମିଶ୍ର କହିଛନ୍ତି।

ଛାତିରୋଗ ବିଶେଷଜ୍ଞ ଡା. ସୁଦାମ ସାହୁ କହିଛନ୍ତି, ଦୀପାବଳିରେ ବାଣଫୁଟା ପାଇଁ ବାୟୁ ପ୍ରଦୂଷଣ ଯଥେଷ୍ଟ ବଢ଼ିଛି। ଲଗାତାର ଭାବେ ଯଦି ରାଜଧାନୀର ବାୟୁମଣ୍ଡଳରେ ଏଭଳି ଧାରା ଜାରି ରହେ, ତାହାଲେ ଆଜ୍‌ମା, ସିଓପିଡି ଭଳି ଅନ୍ୟ ଶ୍ବାସସମନ୍ଧୀୟ ରୋଗ ବୃଦ୍ଧି ପାଇବ ବୋଲି ଡା.ସାହୁ କହିଛନ୍ତି।

ସମ୍ବନ୍ଧିତ ଖବର