କ୍ୟାପିଟାଲ ରିଜିଅନ୍‌ ରିଙ୍ଗ୍‌ରୋଡ୍‌ ପ୍ରକଳ୍ପ: ‌‌ଦେଢ଼ ବର୍ଷରେ ସରିବ କେମିତି?

ବାରମ୍ବାର ବଦଳୁଛି ନିଷ୍ପତ୍ତି, ନକ୍ସା, ସମନ୍ବୟ ଅଭାବରୁ ଆଗେଇ ପାରୁନି

ଭୁବନେଶ୍ୱର : ବହୁ ଆଲୋଚନା, ପର୍ଯ୍ୟାଲୋଚନା ଓ ମାନସମନ୍ଥନ ପରେ କ୍ୟାପିଟାଲ ରିଜିଅନ୍‌ ରିଙ୍ଗରୋଡ୍‌ ପାଇଁ ପ୍ରସ୍ତୁତ ହୋଇଥିଲା ଡିଟେଲ୍‌ ପ୍ରୋଜେକ୍ଟ ରିପୋର୍ଟ (ଡିପିଆର୍‌)। ରାଜ୍ୟ ସରକାରଙ୍କ ଅର୍ଥରେ ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଏହାକୁ ତିଆରି କରିବାକୁ ଯୋଜନା କରିଥିଲା। ରାସ୍ତା କେଉଁଠୁ ବାହାରି କେଉଁଠି ଶେଷ ହେବ, ଚୂଡ଼ାନ୍ତ ହେବା ପରେ ସେହି ଅନୁଯାୟୀ ନକ୍ସା ବି ତିଆରି ହୋଇଥିଲା। କଟକ-ଭୁବନେଶ୍ବର ଜାତୀୟ ରାଜପଥରୁ ଭିଡ଼ କମାଇବା ପାଇଁ ଏହି ମହତ୍ତ୍ବାକାଂକ୍ଷୀ ପ୍ରକଳ୍ପକୁ ଅଢ଼େଇ ବର୍ଷ ଭିତରେ ସାରିବା ପାଇଁ ସ୍ଥିର କରାଗଲା। କିନ୍ତୁ ଇତିମଧ୍ୟରେ ବର୍ଷେ ବିତିଯାଇଥିଲେ ମଧ୍ୟ ଅଧିଗ୍ରହଣ ଶେଷ ହୋଇ ପାରୁନାହିଁ। କାମ ବି ଆଶାନୁରୂପ ଆଗେଇପାରିନାହିଁ। ଏହା ସାଙ୍ଗକୁ ବିଭାଗୀୟ ଅଧିକାରୀଙ୍କ ସମନ୍ବୟ ଅଭାବ ଓ ଅଧିକାରୀମାନେ ବାରମ୍ବାର ନିଷ୍ପତ୍ତି ବଦଳାଇବା ଯୋଗୁଁ ପ୍ରକଳ୍ପ ଝୁଲି ରହିଛି। ଏଣୁ ବାକି ଦେଢ଼ ବର୍ଷରେ ଏହି ପ୍ରକଳ୍ପ ସରିବ ନାହିଁ ବୋଲି ଜଳଜଳ ଦିଶିଲାଣି। ତେବେ ଚଳିତ ମାସ ଦ୍ବିତୀୟ ସପ୍ତାହରେ ପୁଣିଥରେ ଦୁଇ ବିଭାଗ(ଏନ୍‌ଏଚ୍‌ଏଆଇ ଓ ପୂର୍ତ୍ତ ବିଭାଗ) ଅଧିକାରୀଙ୍କୁ ନେଇ ସମନ୍ବୟ ବୈଠକ ବସିବ। ଏହି ଆଲୋଚନାରେ ପ୍ରକଳ୍ପର ଭବିଷ୍ୟତ ନିର୍ଧାରଣ ହେବ ବୋଲି କୁହାଯାଉଛି।

ଭୁବନେଶ୍ବର-କଟକ ଜାତୀୟ ରାଜପଥ-୧୬ରେ ଅସମ୍ଭାଳ ଭିଡ଼ ହେଉଛି। ରାଜପଥରେ ବହୁ ଫ୍ଲାଏଓଭର୍‌ ତିଆରି ହୋଇଥିଲେ ହେଁ ତାହା ଟ୍ରାଫିକ୍‌ ସମସ୍ୟାର ସମାଧାନ କରିପାରୁନାହିଁ। ଆଉ ଦୁର୍ଘଟଣା ଘଟିଲେ ତ କଥା ସରିଲା। ଘଣ୍ଟାଘଣ୍ଟା ଧରି ଯାତାୟାତ ଠପ୍‌ ହୋଇଯାଉଛି। ତେଣୁ ଏହି ରାସ୍ତାରୁ ଭିଡ଼ କମାଇବା ପାଇଁ ବିକଳ୍ପ ସମାଧାନ ଭାବେ ଖୋର୍ଦ୍ଧା ସହର, ଭୁବନେଶ୍ବର, ଆଠଗଡ଼, ଚୌଦ୍ବାର ସହରକୁ ବାଦ୍‌ ଦେଇ ୨୦୧୫ ମସିହାରେ ରିଙ୍ଗ୍‌ରୋଡ୍‌ର ପରିକଳ୍ପନା କରାଯାଇଥିଲା। ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ଓ ପୂର୍ତ୍ତ ବିଭାଗର ଅଧିକାରୀମାନେ ଏକାଠି ହୋଇ ରିଙ୍ଗ୍‌ରୋଡ୍‌ର ନକ୍ସା ପ୍ରସ୍ତୁତ କରିବା ସହ କ୍ଷେତ୍ର ପରିଦର୍ଶନ କରିଥିଲେ। ସବୁ ଠିକ୍‌ଠାକ୍‌ ହେବା ପରେ ବର୍ଷକ ତଳେ ଏହାର ନକ୍ସା ପ୍ରସ୍ତୁତ ହେଲା।
ପ୍ରଥମେ ପିତାପଲ୍ଲୀ ଛକରୁ ମଙ୍ଗୁଳି ଛକ ପର୍ଯ୍ୟନ୍ତ ୪ଲେନ୍‌ ବିଶିଷ୍ଟ ବାଇପାସ୍‌ ରାସ୍ତା ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଥିଲା।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ବର- ବ୍ରହ୍ମପୁର ରାସ୍ତାର ପାଳତୋଟାପଡ଼ାଠାରୁ ଚୌଦ୍ୱାର ବଉଳା ପର୍ଯ୍ୟନ୍ତ ୬୮କିମି ରାସ୍ତା ନିର୍ମାଣ ହୋଇ ଜାତୀୟ ରାଜପଥ-୫୫ ସହ ସଂଯୋଗ କରାଯାଇଥା’ନ୍ତା। ଦ୍ୱିତୀୟ ପର୍ଯ୍ୟାୟରେ ବଉଳା ପାଖରୁ ୨୧କିମି ଲମ୍ବ ବିଶିଷ୍ଟ ଏକ ରାସ୍ତା ତିଆରି ହୋଇ ଟାଙ୍ଗୀ ନିକଟସ୍ଥ ବନ୍ଦାଲୋଠାରେ ଜାତୀୟ ରାଜପଥ-୧୬ରେ ମିଶିଥା’ନ୍ତା। ଏହିପରି ମୋଟ ୮୯ କିଲୋମିଟର ରାସ୍ତା ନିର୍ମାଣ ହୋଇଥା’ନ୍ତା। ଏଥିପାଇଁ ସବୁ ପ୍ରାରମ୍ଭିକ ପ୍ରସ୍ତୁତି ବି ସରିଥିଲା। ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରି ନକ୍ସା ତିଆରି କରିଥିଲେ। ଚୂଡ଼ାନ୍ତ ନକ୍ସା ଅନୁମୋଦନ ପାଇଁ ଜାତୀୟ ରାଜପଥ ପ୍ରାଧିକରଣଙ୍କ ପାଖକୁ ଯାଇଥିଲା। ହେଲେ ରାଜପଥ କର୍ତ୍ତୃପକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଦେଲେ। ୪ ଥାକିଆ ବଦଳରେ ୬ ଥାକିଆ ରାସ୍ତା କରିବାକୁ ପ୍ରସ୍ତାବ ଦେଇଛନ୍ତି। ପୂର୍ବରୁ ୮୯ କିମି ରାସ୍ତାର ଲମ୍ବକୁ ବଢ଼ାଇ ୧୧୧କିମି ଲମ୍ବ କରିଦେଇଛନ୍ତି। ନୂଆ ଯୋଜନା ଅନୁସା‌ରେ, ଏହି ୬ ଥାକିଆ ରାସ୍ତା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରୁ ବାହାରି କଟକ ଜିଲ୍ଲା ଟାଙ୍ଗୀ ପର୍ଯ୍ୟନ୍ତ କରିବାକୁ ଯୋଜନା ହୋଇଛି। କିନ୍ତୁ ଏହାପରଠାରୁ କଥା ଆଉ ଆଗକୁ ବଢ଼ୁନି। ୩ ବିଭାଗୀୟ ଅଧିକାରୀଙ୍କ ସମନ୍ବୟ ଅଭାବରୁ ପ୍ରକଳ୍ପ ଅଧାରେ ଲଟିକିଛି। ଏମିତି ନକ୍ସା ଅଦଳବଦଳରେ ଗୋଟିଏ ବର୍ଷ ବିତି ଯାଇଥିବା ବେଳେ ଆଉ ଦେଢ଼ବର୍ଷରେ କେମିତି ଏତେ ସବୁ କାମ ସରିବ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଏନେଇ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପୂର୍ବରୁ ବାରମ୍ବାର ରିଙ୍ଗରୋଡ୍‌ର ନକ୍ସା ବଦଳୁଥିବାରୁ ଟେଣ୍ଡର୍‌ ପ୍ରକ୍ରିୟା ଆରମ୍ଭ ହୋଇ ପାରିନଥିଲା। ଅଧିଗ୍ରହଣ ହେବାକୁ ଥିବା ଜମିର ପରିମାଣ ଚୂଡ଼ାନ୍ତ ହୋଇପାରି ନଥିବାରୁ ସମସ୍ୟା ଦେଖା ଦେଇଥିଲା। ଏବେ ୬ ଥାକିଆକୁ ରାସ୍ତାକୁ ନେଇ ଆଲୋଚନା ଚାଲିଛି। ୨୦୨୨ ଜାନୁଆରି ପ୍ରଥମ ସପ୍ତାହରେ ଏ ନେଇ ବିସ୍ତୃତ ଆଲୋ‌ଚନା ହେବ। ଏହି ଆଲୋଚନାରେ ହିଁ ପ୍ରକଳ୍ପର ଭବିଷ୍ୟତ ଚୂଡ଼ାନ୍ତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର