ଭୁବନେଶ୍ୱର: ରାଜଧାନୀରେ ପ୍ରଦୂଷଣମାତ୍ରା ଉଦ୍ବେଗଜନକ ନହେଲେ ବି ଚିନ୍ତାଜନକ। ୨୦୦୪ରୁ ୨୦୧୪ ମଧ୍ୟରେ ଗାଡ଼ି ସଂଖ୍ୟା ୩ଗୁଣ ବଢ଼ିଗଲାଣି। ଅଟୋ ସଂଖ୍ୟା ବର୍ଷକୁ ୧୩% ହାରରେ ବଢ଼ିଛି। ଯାହା ଜାତୀୟ ହାରଠାରୁ ବି ଅଧିକ। ଏଥିରୁ ଅଧିକାଂଶ ଗାଡ଼ି ଡିଜେଲ୍ ଇନ୍ଧନରେ ଚାଲିଥିବାରୁ ବାୟୁ ପ୍ରଦୂଷଣ ଦିନକୁ ଦିନ ବଢ଼ିଚାଲିଛି। ଏଠାରେ ଯେପରି ଦିଲ୍ଲୀ ପରିସ୍ଥିତି ସୃଷ୍ଟି ନ ହେବ ସେଥିପାଇଁ ଭୁବନେଶ୍ୱର ପୁରୀ ଟ୍ରାନ୍ସପୋର୍ଟ ସର୍ଭିସେସ୍ (ବିପିଟିଏସ୍) ପକ୍ଷରୁ ଏକ ଡିପିଆର୍ ପ୍ରସ୍ତୁତ ହୋଇଛି। ରାଜଧାନୀର ପ୍ରତି ଗଳିକନ୍ଦିରେ ଇଲେକ୍ଟ୍ରିକ୍ ଗାଡ଼ି ଚଲାଇବାକୁ ଏଥିରେ ଯୋଜନା ହୋଇଛି। ଏଥିପାଇଁ ୨୧୯କୋଟି ୭୫ଲକ୍ଷ ଟଙ୍କାର ଏକ ପ୍ରକଳ୍ପ ରିପୋର୍ଟ ଭାରତ ସରକାରଙ୍କ ଭାରୀ ଶିଳ୍ପ ବିଭାଗକୁ ପଠାଯାଇଛି। ଏଥିରେ ଭୁବନେଶ୍ୱରକୁ ପ୍ରଦୂଷଣମୁକ୍ତ ସହର ଭାବେ ଗଢ଼ି ତୋଳିବାକୁ ଯୋଜନା ହୋଇଛି।ରାଜଧାନୀରେ ବାୟୁ ପ୍ରଦୂଷଣ ମାତ୍ରା ବିପଦ ସ୍ତରରେ କିମ୍ବା ସନ୍ତୋଷଜନକ ରହୁଥିବାରୁ ଖୁବ୍ ଶୀଘ୍ର ଏନେଇ ପଦକ୍ଷେପ ନନେଲେ ଏହା ଖରାପ ସ୍ଥିତିକୁ ଆସିଯିବ। ତେଣୁ ଭୁବନେଶ୍ୱରରେ ସାଧାରଣ ପରିବହନ ବ୍ୟବସ୍ଥାକୁ ସରକାର ଗୁରୁତ୍ୱ ଦେଉଥିବାବେଳେ ଏବେ ଇଲେକ୍ଟ୍ରିକ୍ ଗାଡ଼ି ଚଲାଇବାକୁ ଯୋଜନା ହେଉଛି। ୨୦୨୧ସୁଦ୍ଧା ସାଧାରଣ ପରିବହନ ବ୍ୟବସ୍ଥାରେ (ସିଟି ବସ୍, ଅଟୋ, ଭଡ଼ାରେ କାର୍ ନେଉଥିବା) ଯାତ୍ରୀଙ୍କ ସଂଖ୍ୟା ୨୦% କରିବାକୁ ଯୋଜନା କରିଥିବାବେଳେ ଇଲେକ୍ଟ୍ରିକ୍ ଗାଡ଼ି ଚଳାଚଳ କଲେ ପ୍ରଦୂଷଣ ମାତ୍ରା ଉପରେ ରୋକ୍ ଲାଗିପାରିବ ବୋଲି କୁହାଯାଇଛି।
ଏଥିପାଇଁ ବିପିଟିଏସ୍ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଡିପିଆର୍ରେ ଭୁବନେଶ୍ୱରର ବିଭିନ୍ନ ରୁଟ୍ରେ ଇଲେକ୍ଟ୍ରିକ୍ ବସ୍, ଚାରି ଚକିଆ ଯାନ, ତିନି ଚକିଆ ଯାନ, ବାଇକ୍, ଇ-ରିକ୍ସା ଆଦି ଚଲାଇବାକୁ ଯୋଜନା ହୋଇଛି। ଏହି ଇଲେକ୍ଟ୍ରିକ୍ ଯାନଗୁଡ଼ିକରେ ବଡ଼ ବଡ଼ ବ୍ୟାଟେରି ରହିବ। ଏହା ଚାର୍ଜ ହେବା ପରେ ଚାଲିବ। ଯୋଜନା ଅନୁଯାୟୀ, ୩୨କିମି ଟ୍ରାନଜିଟ୍ କରିଡର୍ ହେବ। ଏଥିରେ ୯୨ଟି ଇଲେକ୍ଟ୍ରିକ୍ ବସ୍ ଚାଲିବ। ଏଥିରେ ଦୈନିକ ୧ଲକ୍ଷ ୯୨ହଜାର ଯାତ୍ରୀ ଯାତାୟାତ କରିପାରିବେ। ବସ୍ଗୁଡ଼ିକ ସର୍ବନିମ୍ନ ୫ମିନିଟ୍ରେ ଗନ୍ତବ୍ୟସ୍ଥଳରେ ପ୍ରତ୍ୟେକ ଗନ୍ତବ୍ୟସ୍ଥଳରୁ ଛାଡ଼ିବ। ସେହିପରି ସ୍ମାର୍ଟ ସିଟି ଭୁବନେଶ୍ୱରର ଏରିଆ ବେସ୍ଡ ଡେଭଲପମେଣ୍ଟ (ଏବିଡି) ଅଞ୍ଚଳ ବା ଶିଶୁଭବନରୁ ବାଣୀବିହାର ପର୍ଯ୍ୟନ୍ତ ଅଞ୍ଚଳ ମଧ୍ୟରେ ପ୍ରତ୍ୟେକ ସ୍ଥାନକୁ ଯାତାୟାତ ପାଇଁ ୫୦୦ ଇ-ରିକ୍ସା ଚାଲିବ। ଏଥିପାଇଁ ପ୍ରତ୍ୟେକ ଛକରେ ଚାର୍ଜିଂ ବ୍ୟବସ୍ଥା ରହିବ। ଏନେଇ ସ୍ମାର୍ଟ ସିଟି ଯୋଜନାରେ ୧୦.୫କୋଟିର ବଜେଟ୍ ବି ଅଛି। ଏହି ଯୋଜନା କାର୍ଯ୍ୟକାରୀ ହେଲେ ୨୦୩୦ସୁଦ୍ଧା ରାଜଧାନୀର ୩୦% ଲୋକ ଇଲେକ୍ଟ୍ରିକ ଗାଡ଼ିରେ ଯାତାୟାତ କରିବେ ବୋଲି କର୍ତ୍ତୃପକ୍ଷ କହିଛନ୍ତି।
ବିପିଟିଏସ୍ର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ରାଜଧାନୀରେ ଏବେ ୨୪% ଲୋକ ଅଟୋରେ ଯାତାୟାତ କରୁଥିବାବେଳେ ୬% ଲୋକ ସିଟି ବସ୍ରେ ଯାତାୟାତ କରୁଛନ୍ତି। ଯେତେବେଳେକି ଭୁବନେଶ୍ୱର ଭଳି ସହରରେ ମାତ୍ର ୫% ଲୋକ ଅଟୋରେ ଯାତାୟାତ କରିବା କଥା। ଭୁବନେଶ୍ୱରରେ ସାଧାରଣ ପରିବହନ ଭିତ୍ତିଭୂମିର ଅଭାବ ଥିବାରୁ ଇଲେକ୍ଟ୍ରିକ୍ ଗାଡ଼ି ଚଳାଚଳ କଲେ ଏହା ଅଧିକ ଆଦୃତ ହେବ। ପ୍ରଦୂଷଣ ମାତ୍ରା ବି ନିୟନ୍ତ୍ରଣାଧୀନ ରହିବ। ରାଜଧାନୀକୁ ପ୍ରଦୂଷଣମୁକ୍ତ ସହର କରିବାକୁ ୩୨କିମିର ଭୁବନେଶ୍ୱର ସାଇକେଲ୍ ହାଇେଓ୍ଵ କରିବାକୁ ଯୋଜନା ହୋଇଥିବାବେଳେ ପବ୍ଲିକ ବାଇସାଇକେଲ୍ ସେୟାରିଂ, ଇ-ରିକ୍ସା ବ୍ୟବସ୍ଥା ଆରମ୍ଭ ହେବ ବୋଲି ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ କୁହାଯାଇଛି।
ସୂଚନାଯୋଗ୍ୟ ଯେ, ଭାରୀ ଶିଳ୍ପ ବିଭାଗ ପକ୍ଷରୁ ଦେଶରୁ ୫ଟି ସହରରେ ଇଲେକ୍ଟ୍ରିକ ଗାଡ଼ି ଚଳାଚଳ ଆରମ୍ଭ କରିବାକୁ ଯୋଜନା ହୋଇଥିବାବେଳେ ଏଥିପାଇଁ ଦେଶର ସମସ୍ତ ସହରରୁ ଏକ୍ସପ୍ରେସନ୍ ଅଫ୍ ଇଣ୍ଟରେଷ୍ଟ ମଗାଯାଇଛି। ବିପିଟିଏସ୍ ଏଥିରେ ଭାଗ ନେଇ ତା’ର ଡିପିଆର୍ ଦାଖଲ କରିଛି।