ଭୁବନେଶ୍ବର: ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ, ଓଡ଼ିଶା ନିର୍ମାଣ କନ୍କ୍ଲେଭ୍, ଅର୍ନ୍ତଜାତୀୟ ପୁଷ୍ଟି ଶସ୍ୟ ସମ୍ମିଳନୀ, ହକି ବିଶ୍ବକପ୍ ଓ ଏକାମ୍ର ଉତ୍ସବ ପରି ବଡ଼ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରି ଚର୍ଚ୍ଚାରେ ଥିଲା ବିଜେଡି ସରକାର। ଏହି ସବୁ କାର୍ଯ୍ୟକ୍ରମର ପ୍ରଭାବ କ’ଣ ପଡ଼ୁଛି ତା’ ପର କଥା। ହେଲେ ଏହାକୁ ରାଜଧାନୀବାସୀ ଭରପୂର ଉପଭୋଗ କରୁଥିଲେ। ଖିଆ, ପିଆ, ମଜାମସ୍ତି, ବୁଲାବୁଲିରେ ସମୟ ବିତି ଯାଉଥିଲା। ଏବେ ରାଜ୍ୟରେ ସରକାର ବଦଳିଛି। ବିଜେପି ଶାସନ ଭାର ସମ୍ଭାଳୁଛି। ତେବେ ପୂର୍ବ ସରକାର କରୁଥିବା ସମାନ କାର୍ଯ୍ୟକ୍ରମ ହେଉନଥିଲେ ମଧ୍ୟ ନୂଆ ନୂଆ ପରିକଳ୍ପନାରେ କିଛି ବଡ଼ ଧରଣର କାର୍ଯ୍ୟକ୍ରମ ଆୟୋଜନ କରି ରାଜଧାନିଆଙ୍କ ସହ ସମଗ୍ର ରାଜ୍ୟ, ଦେଶ ତଥା ବିଶ୍ବସ୍ତରରେ ନିଜର ଅସ୍ତିତ୍ବ ଜାହିର କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛି ବିଜେପି ସରକାର। ଆସନ୍ତା ଜାନୁଆରି ମାସରେ ରାଜଧାନୀକୁ ଉତ୍ସବମୟ କରିବାକୁ ଚାଲିଛି ବଡ଼ ଯୋଜନା।
ସରକାର ବଦଳିବା ପରେ ନୂଆ ପରିକଳ୍ପନାରେ କାର୍ଯ୍ୟକ୍ରମ
ଜାନୁଆରି ୮ରୁ ଅନ୍ତର୍ଜାତୀୟ ପ୍ରବାସୀ ଦିବସ
ଏକ ସମୟରେ ରାଜାରାଣୀ, ମୁକ୍ତେଶ୍ବର ଓ ଅନ୍ତର୍ଜାତୀୟ ଓଡ଼ିଶୀ ମହୋତ୍ସବ
ଯୋଗଦେବେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତିଙ୍କ ସମେତ ସାଢ଼େ ୩ ହଜାର ଅତିଥି
ଡିଜି-ଆଇଜି ସମ୍ମିଳନୀରେ ଯୋଗଦେବାକୁ ଆସିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାକୁ ସାରା ବିଶ୍ବ ମାନଚିତ୍ରରେ ପ୍ରାଥମିକତା ଦେବାକୁ କହିଥିଲେ। ଏମିତିକି ପ୍ରଥମ ଥର ପାଇଁ ‘ଡିଜି-ଆଇଜି ସମ୍ମିଳନୀ’ ଓ ‘ନୌସେନା ଦିବସ’ ପାଳନ ପୂର୍ବକ ଓଡ଼ିଶାକୁ ଗୁରୁତ୍ବ ଦିଆଯାଉଛି। ଜାନୁଆରି ୮ରୁ ୧୦ ତିନି ଦିନ ଧରି ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଇ ବିଶ୍ବ ସାରା ଲୋକଙ୍କୁ ଓଡ଼ିଶାକୁ ନିମନ୍ତ୍ରଣ କରାଯିବ। ଦୁନିଆର ଅନେକ ପ୍ରତିଷ୍ଠିତ ଲୋକଙ୍କୁ ସ୍ବାଗତ କରିବାର ସୁଯୋଗ ଓଡ଼ିଶାକୁ ମିଳିବ ଏବଂ ବିଶ୍ବରେ ଓଡ଼ିଶାର ଭରପୂର ପ୍ରଚାର ପ୍ରସାର ହେବା। ପ୍ରଧାନମନ୍ତ୍ରୀଙ୍କ ଏହି ସୂଚନା ଅନେକ ଚର୍ଚ୍ଚାକୁ ବଳ ଦେଇଛି। ଏମିତିକି ନିର୍ବାଚନ ପୂର୍ବରୁ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଓ ହକି ବିଶ୍ବକପ୍ ସଫଳତାର ସହ ଆୟୋଜନ କରି ଦେଶ ବିଦେଶରେ ଚର୍ଚ୍ଚାରେ ଥିବା ବିଜେଡି ସରକାରଙ୍କ ଛବିକୁ ମଳିନ କରିବାକୁ ବିଜେପି ସରକାରର ଏସବୁ ନୂଆ ଚାଲ୍ ବୋଲି ଆଲୋଚନା ହେଉଛି। ଅନ୍ୟପଟେ ବିଦେଶରୁ ମହାତ୍ମା ଗାନ୍ଧୀ ଫେରିଥିବା ଦିବସ ‘ଜାନୁଆରି-୯’କୁ ପ୍ରବାସୀ ଭାରତୀୟ ଦିବସ ଭାବେ ମହାସମାରୋହରେ ପାଳନ କରିବାକୁ ଏବେଠାରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ପ୍ରଥମତଃ ସହରର ରଙ୍ଗ ବଦଳୁଛି। ରାଜଧାନୀର ରାସ୍ତା ଓ ଡ୍ରେନ୍ ମରାମତି ହେଉଛି। କାନ୍ଥବାଡ଼ ସବୁ ଗେରୁଆ ରଙ୍ଗ ବୋଳା ସହ ଆଖିଦୃଶିଆ ଛବି ଅଙ୍କା ଯାଉଛି। ପାର୍କରୁ ପାର୍କିଂସ୍ଥଳର ଚେହେରା ବଦଳୁଛି।
‘ପ୍ରବାସୀ ଭାରତୀୟ ଦିବସ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ସମେତ ବିଶ୍ବର ବିଭିନ୍ନ ଦେଶରେ ରହୁଥିବା ୩,୫୦୦ ଭାରତୀୟ ଯୋଗଦେବେ। ତେଣୁ ସେହି ତିନି ଦିନ ରାଜଧାନୀକୁ ଉତ୍ସବମୁଖର କରାଯିବ। ଏମିତିକି ନଭେମ୍ବରରେ କରାଯାଉଥିବା ରାଜାରାଣୀ ମହୋତ୍ସବକୁ ସେହି ସମୟରେ କରାଯିବ। କେବଳ ରାଜାରାଣୀ ନୁହେଁ ମୁକ୍ତେଶ୍ବର ମହୋତ୍ସବ, ଅନ୍ତର୍ଜାତୀୟ ଓଡ଼ିଶୀ ମହୋତ୍ସବ, ଲୋକକଳା ମହୋତ୍ସବ ମଧ୍ୟ ସମାନ ସମୟରେ ଆୟୋଜତି ହେବ। ପୂର୍ବରୁ ୩ ଦିନ ହେଉଥିବା ରାଜାରାଣୀ ଓ ମୁକ୍ତେଶ୍ବର ଏଥର ଜାନୁଆରି ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ୫ ଦିନ କରାଯିବ। ପ୍ରଥମ ଓ ଶେଷ ସଂଧ୍ୟାରେ ସର୍ବସାଧାରଣଙ୍କୁ ଏହି ଉତ୍ସବ ଦେଖିବାକୁ ଅନୁମତି ମିଳିବ। ମଝି ତିନି ଦିନ ଦେଶର ଉଚ୍ଚସ୍ତରୀୟ ବ୍ୟକ୍ତିତ୍ବ ତଥା ପ୍ରବାସୀ ଭାରତୀୟଙ୍କ ପାଇଁ ସମର୍ପିତ ହେବ। ସେହିପରି ଅନ୍ତର୍ଜାତୀୟ ଓଡ଼ିଶୀ ମହୋତ୍ସବ ୫ ଦିନ ଧରି ହେବ। ଏଥିରେ ଦେଶ ବିଦେଶର ନୃତ୍ୟ ବିଷାରଦମାନେ ଯୋଗଦେବେ। ରାଜ୍ୟ ସଂଗ୍ରହାଳୟ ପରିସରରେ ୮ରୁ ୧୦ ତିନି ଦିନ ଲୋକକଳା ମହୋତ୍ସବ କରାଯିବ। ଏଥିରେ ଓଡ଼ିଶାର ପାରମ୍ପରିକ ଲୋକନୃତ୍ୟ ଓ ଗୀତ ପରିବେଷଣ କରାଯିବ। ଜାନୁଆରି ୫ରୁ ଆଦିବାସୀ ପଡ଼ିଆରେ ଆରମ୍ଭ ହେବ ଆଦିବାସୀ ମେଳା। ‘ଶିଶିର ସରସ’ ମଧ୍ୟ ସେହି ସମୟରେ କରାଯିବ। ସେହିପରି ଓଡ଼ିଶା ବ୍ୟଞ୍ଜନକୁ ନେଇ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯିବ। ଯେଉଁଥିରେ ଅତିଥିମାନେ ଓଡ଼ିଶାର ପାରମ୍ପରିକ ଖାଦ୍ୟର ମଜା ନେଇ ପାରିବେ। ଏକାମ୍ର ହାଟରେ ରାତ୍ରି ବଜାର ଖୋଲିବ। ଏଥିରେ ଓଡ଼ିଶାର ହସ୍ତତନ୍ତଠାରୁ ଆରମ୍ଭ କରି ହାତ ତିଆରି ଅନେକ ସାମଗ୍ରୀ ବିକ୍ରି କରାଯିବ। ଏହାଛଡ଼ା ସହରର ବିଭିନ୍ନ ସ୍ଥାନରେ ଚିତ୍ର ପ୍ରଦର୍ଶନୀ, ପାରମ୍ପରିକ ସଙ୍ଗୀତ, ନୃତ୍ୟର ଆସର ଜମିବ।