ଭୁବନେଶ୍ବର: ହୋଇପାରିଲନି ସ୍ମାର୍ଟ ସିଟିରେ ସ୍ମାର୍ଟ ଟ୍ରାଫିକ୍ ବ୍ୟବସ୍ଥା। ଏବେ ବି ଲୋକେ ଟ୍ରାଫିକ୍ ଜାମ୍ରେ ଫସୁଥିବା ବେଳେ ଟ୍ରାଫିକ୍ ଛକରେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏବେ ବି ବହୁ ଟ୍ରାଫିକ୍ ଛକରେ ଆମ୍ବୁଲାନ୍ସ ଫସି ରହୁଛି। ଜେବ୍ରା କ୍ରସିଂ ଥାଇ ନଥିଲା ଭଳି। ବହୁ ଗାଡ଼ିଚାଳକ ଏହାକୁ ମାନୁନାହାନ୍ତି। ଟାଇମର୍ ନଥିବାରୁ ଗାଡ଼ିଚାଳକମାନେ ଦ୍ବନ୍ଦ୍ବରେ ପଡ଼ୁଛନ୍ତି। ସ୍ପାଇକ୍ ବ୍ୟାରିୟର୍ ବ୍ୟବସ୍ଥା ଲାଗୁ ହୋଇପାରୁନଥିବାରୁ ରଙ୍ଗ୍ ରୁଟ୍ ଗାଡ଼ିଚାଳନା ବନ୍ଦ ହୋଇପାରୁନାହିଁ। ଏମିତି ବିବିଧ ସମସ୍ୟା ଆଜି ବି ରାଜଧାନୀରେ ରହିଛି। ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଟ୍ରାଫିକ୍ ଭିତ୍ତିଭୂମି ବଦଳାଇଲେ ବି ସବୁ ଅର୍ଥ ପାଣିରେ ପଡ଼ିଲା। ଯୋଜନା କେବଳ କାଗଜପତ୍ରରେ ରହିଲା ଓ ଲୋକେ ତା’ର ସୁଫଳ ପାଇଲେ ନାହିଁ।
ଉଦ୍ବେଗର ବିଷୟ ଗତ ତିନି ବର୍ଷରେ ତିନି ତିନି ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କୁ ଟ୍ରାଫିକ୍ ଡିସିପି ଭାବେ ଦାୟିତ୍ବ ଦିଆଗଲେ ବି ଅସଜଡ଼ା ସ୍ଥିତିରେ ସୁଧାର ଆସିଲା ନାହିଁ। ୨୦୧୯ ମସିହାରେ ଆଇପିଏସ୍ ସାଗରିକା ନାଥଙ୍କୁ ଟ୍ରାଫିକ୍ ଡିସିପି ଭାବେ ଦାୟିତ୍ବ ଦିଆଗଲା। ସେ ରାଜଧାନୀର ଟ୍ରାଫିକ୍ ବ୍ୟବସ୍ଥାରେ ଏକ ନୂଆ ରୂପ ଦେଲେ। ତାଙ୍କ ସମୟରେ ଲେନ୍ ଡ୍ରାଇଭ୍ ଠାରୁ ଆରମ୍ଭ କରି ଜେବ୍ରା କ୍ରସିଂ ନିୟମ କଡ଼ାକଡ଼ି କରାଯାଇଥିଲା। ମାତ୍ର ମାସ କେଇଟା ପରେ ସବୁ ପୁଣି ପୁରୁଣା ସ୍ଥିତିକୁ ଫେରିଗଲା। ଆଇପିଏସ୍ ସାଗରିକା ନାଥଙ୍କ ବଦଳି ହୋଇଯିବା ପରେ ଲୋକେ ଲେନ୍ ଡ୍ରାଇଭ୍ ଭୁଲିଗଲେ। ଅଧିକାଂଶ ଟ୍ରାଫିକ୍ ଛକରୁ ଜେବ୍ରା କ୍ରସିଂ ଲିଭିଗଲା।
୨୦୨୦ ସେପ୍ଟେମ୍ବରରେ ଟ୍ରାଫିକ୍ ଡିସିପି ଭାବେ ଯୋଗଦେଲେ ଆଇପିଏସ୍ ସୌମ୍ୟା ମିଶ୍ର। କିନ୍ତୁ ସେ ବି ବେଶି ଦିନ ରହିଲେ ନାହିଁ। ୨୦୨୨ ଜାନୁଆରିରେ ଆଇପିଏସ୍ ଏସ୍ ସୁଶ୍ରୀ ଏହି ପଦବିରେ ଯୋଗଦେଇଥିଲେ। କିଛି ଦିନ ପୁଣି ଟ୍ରାଫିକ୍ ନିୟମ କଡ଼ାକଡ଼ି ହେଲା। ବିଶେଷକରି ଆମ୍ବୁଲାନ୍ସକୁ ରାସ୍ତା ଛାଡ଼ିବାକୁ ସେ ଗୁରୁତ୍ବ ଦେଇଥିଲେ ଓ ଟ୍ରାଫିକ୍ ଛକର ବାମ ପାର୍ଶ୍ବକୁ ଫାଙ୍କା ରଖିବାକୁ କଡ଼ା ନିର୍ଦ୍ଦେଶ ଦେଇଥିଲେ। ମାତ୍ର ତାଙ୍କ ବଦଳି ହୋଇଯିବା ପରେ ପୂର୍ବ କଥା ପୁଣି ଫେରିଲା। ଏବେ ବି ଅନେକ ସମୟରେ ଟ୍ରାଫିକ୍ ଛକରେ ଆମ୍ବୁଲାନ୍ସ ଅଟକିଯିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଗାଡ଼ିଚାଳକମାନେ ବାମ ପାର୍ଶ୍ବ କବ୍ଜା କରି ରଖୁଛନ୍ତି ଓ କେହି ସେମାନଙ୍କୁ ବାରଣ କରିବାକୁ ନାହିଁ। ଟ୍ରାଫିକ୍ ପୋଷ୍ଟରେ ନିୟୋଜିତ କର୍ମଚାରୀ ସବୁ ଦେଖି ନ ଦେଖିବା ଭଳି ଚୁପ୍ ରହୁଛନ୍ତି।
ସିଗ୍ନାଲ୍ରେ ବି ସମସ୍ୟା
ପୂର୍ବରୁ ରାଜଧାନୀର ସବୁ ଟ୍ରାଫିକ୍ ଛକରେ ଟାଇମର ବ୍ୟବସ୍ଥା ଥିଲା। ସବୁଜ ଲାଇଟ୍ ଜଳିବା ପୂର୍ବରୁ ଲୋକ ଟାଇମ୍ ଦେଖି ଟ୍ରାଫିକ୍ ଛକରୁ ବାହାରିବା ପାଇଁ ପ୍ରସ୍ତୁତ ରହୁଥିଲେ। ହେଲେ ଏବେ କୌଣସି ଟ୍ରାଫିକ୍ ଛକରେ ଟାଇମ୍ର ବ୍ୟବସ୍ଥା ନାହିଁ। ଗାଡ଼ିଚାଳକମାନେ ନାଲି, ସବୁଜ ଓ ହଳଦିଆ ରଙ୍ଗର ଲାଇଟ୍ ସିଗ୍ନାଲ ଦେଖି ପ୍ରସ୍ତୁତ ରହୁଛନ୍ତି। ରବୀନ୍ଦ୍ର ମଣ୍ଡପ, ଡମଣା, ପଟିଆ, ପାର୍ସପୋର୍ଟ, ହାଉସିଂବୋର୍ଡ ଭଳି ଟ୍ରାଫିକ୍ ଛକରେ ଖୁବ୍ କମ୍ ସମୟରେ ସବୁଜ ଲାଇଟ୍ ଲିଭି ନାଲି ଲାଇଟ୍ ଜଳୁଛି। ଫଳରେ ଲୋକଙ୍କୁ ଗୋଟିଏ ଟ୍ରାଫିକ୍ ଛକ ଅତିକ୍ରମ କରିବା ପାଇଁ ଦୁଇ ଥର ଅପେକ୍ଷା କରିବାକୁ ପଡ଼ୁଛି। ମାଷ୍ଟରକ୍ୟାଣ୍ଟିନ୍ ଭଳି କେତେକ ବଡ଼ ଟ୍ରାଫିକ୍ ଛକରେ ବି ସମାନ ଅବସ୍ଥା।
ସେଠାରେ ଅଟକିବା ପାଇଁ ଅଧିକ ସମୟ ରଖାଯାଇଥିଲେ ମଧ୍ୟ ନିହାତି ଦୁଇ ଥର ତ କେତେବେଳେ ୩ଥର ସବୁଜ ଲାଇଟ୍ ଜଳିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। କେତେକ ଟ୍ରାଫିକ୍ ଛକରେ ଗଛ ସମସ୍ୟା କରୁଛି। ଗଛ ଆଡ଼ୁଆଳରେ ଲାଇଟ୍ ଲୁଚିଯାଇଛି। ତେଣୁ ସିଗ୍ନାଲ୍ ଲାଇଟ୍କୁ ଦେଖି ନପାରି ଚାଳକମାନେ ଆଗକୁ ମାଡ଼ିଯାଉଛନ୍ତି ଓ ନିୟମ ଉଲ୍ଲଂଘନ କରି ଅକାରଣରେ ହଜାର ହଜାର ଟଙ୍କା ଜରିମାନା ଗଣୁଛି। ସେହିଭଳି ବହୁ ଗାଡ଼ିଚାଳକ ତରବରିଆ ଭାବେ ଆଗ ଗାଡ଼ି ପଛକୁ ବାଡ଼େଇ ଦେଉଛି। ସେମିତି ଟ୍ରାଫିକ୍ ପୁଲିସ ହାତରେ କୌଣସି ସିଗ୍ନାଲ୍ ନଥିବାରୁ ଲୋକ ବି ଦ୍ବନ୍ଦ୍ବରେ ପଡ଼ି ଯିଏ ଯୁଆଡ଼େ ପାରୁଛନ୍ତି ଗାଡ଼ି ପୂରାଇଦେଉଛନ୍ତି।
ଅଟୋ, ବସ୍ କବ୍ଜାରେ ଟ୍ରାଫିକ୍ ଛକ
ଟ୍ରାଫିକ୍ ଆଖାପାଖ ଅଞ୍ଚଳରେ ଅର୍ଥାତ ଅତି କମ୍ରେ ଟ୍ରାଫିକ୍ ଛକ ଠାରୁ ୨ଶହ ମିଟର ମଧ୍ୟରେ କୌଣସି ଗାଡ଼ି ପାର୍କିଂ କରିପାରିବ ନାହିଁ ବୋଲି ନିୟମ ରହିଛି। ପ୍ରଥମେ ପ୍ରଥମେ କିଛିଦିନ ଏହି ନିୟମକୁ କଡ଼ାକଡ଼ି କରାଗଲା। ତେଣୁ ଅଟୋ ବେ’ ଓ ବସ୍ ବେ’ ପାଇଁ ଜାଗା ଚିହ୍ନଟ ହେଲା। ନିୟମ ଉଲ୍ଲଂଘନକାରୀଙ୍କୁ ଜରିମାନାର ଭୟ ଦେଖାଗଲା। ହେଲେ ବର୍ତ୍ତମାନ ସେସବୁର କିଛି ଅର୍ଥ ନାହିଁ। ଅଧିକାଂଶ ଛକରେ ଅଟୋଗୁଡ଼ିକ ଜାଗା ମାଡ଼ିବସିଛନ୍ତି। ବହୁ ସମୟ ଧରି ଅଟୋ, ବସ୍ ଟ୍ରାଫିକ୍ ଛକ ଉପରେ ଛିଡ଼ାହୋଇରହୁଛନ୍ତି। ଫଳରେ ଟ୍ରାଫିକ୍ ଜାମ ସ୍ଥିତି ଉପୁଜୁଛି।
କୁଆଡ଼େ ଗଲା ସ୍ପାଇକ୍ ବ୍ୟାରିୟର?
ରଙ୍ଗ୍ ରୁଟ୍ ଗାଡ଼ିଚାଳନାରେ ରୋକ୍ ଲଗାଇବା ପାଇଁ କମିସନରେଟ୍ ପୁଲିସ ସ୍ପାଇକ୍ ବ୍ୟାରିୟର ଲଗାଇବା ପାଇଁ ଯୋଜନା କଲା। ଫଳରେ ଯେଉଁମାନେ ରଙ୍ଗ୍ ରୁଟ୍ରେ ଗାଡ଼ି ଚଳାଇବେ, ସେମାନଙ୍କ ଗାଡ଼ି ଟାୟାର ନଷ୍ଟ ହୋଇଯିବ। ବିପରୀତ ଦିଗରେ ଗାଡ଼ିଚାଳନା କଲେ ସ୍ବାୟଂଚାଳିତ ସ୍ପାଇକ୍ ଦ୍ବାରା ଚକା କଣା ହୋଇଯିବ। ୨୦୨୦ ମସିହାରେ ଏହି ଯୋଜନା କରାଯାଇଥିଲା। ମାତ୍ର ଦୁଇ ବର୍ଷ ବିତିବା ପରେ ବି ଏପର୍ଯ୍ୟନ୍ତ ଯୋଜନା ଆଗକୁ ବଢ଼ିପାରିନାହିଁ।