ଖଣ୍ଡଗିରି: ରାଜଧାନୀରେ ଗତ ୩ ଦିନ ମଧ୍ୟରେ ପରିବା ଦର ଦୁଇଗୁଣ ହୋଇଯାଇଛି। ବିଶେଷ କରି ସହରର ବିଭିନ୍ନ ସ୍ଥାନରେ ଥିବା ହାଟରେ ପରିବା ଦର ପ୍ରତିଦିନ ବଢ଼ିବାରେ ଲାଗିଛି। ପରିବା ଦର ଉପରେ ପ୍ରଶାସନର ନିୟନ୍ତ୍ରଣ ନଥିବାରୁ ବ୍ୟବସାୟୀମାନେ ମନଇଚ୍ଛା ମୂଲ୍ୟ କଷୁଛନ୍ତି। ଓଡ଼ିଶାର ଆଠଗଡ଼, ବାରବାଟି, ତେଇଶିପୁର, ନୟାଗଡ଼ର ବିଭିନ୍ନ ସ୍ଥାନରୁ ରାଜଧାନୀକୁ ପରିବା ଆସେ। ଏବେ ବର୍ଷା ଯୋଗୁ ସେଠାରୁ ପରିବା ଆସିବା କମି ଯାଇଛି। ଫଳରେ ପରିବା ପାଇଁ ଏବେ କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ ଉପରେ ନିର୍ଭର କରିବାକୁ ପଡ଼ୁଛି।
ଗାଡ଼ି ଭଡ଼ା ଓ ଅନ୍ୟ ଖର୍ଚ୍ଚ ଆଳ କରି ପରିବା ବ୍ୟବସାୟୀମାନେ ଦର ବଢ଼ାଉଛନ୍ତି।ଏକ ନମ୍ବର ହାଟରେ ବାଇଗଣ କେଜି ପିଛା ଦର୫୦ରୁ ୬୦ ଟଙ୍କା ଥି ବୋ ବେଳେ ସହରର ଅନ୍ୟ ହାଟରଏହା ୮୦ ଟଙ୍କାରେ ପହଞ୍ଚିଛି। ସେହିପରି କଲରା୪୦ରୁ ୫୦ ଟଙ୍କାରେ ଏକ ନମ୍ବର ହାଟରେ ବିକ୍ରି ହେଉଥିବା ବେଳେ ଅନ୍ୟ ହାଟରେ ୮୦ ଟଙ୍କା, କାଙ୍କଡ଼ ୮୦, ଦେଶୀ କାଙ୍କଡ଼ ୧୬୦, ବିନ୍ ୧୪୦ ହୋଇ ଯାଇଛି। ଟମାଟୋ ୩ ଦିନ ତଳେ ୨୫ରୁ ୩୦ ଟଙ୍କା ଥିବା ବେଳେ ଏବେ ୪୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ପୋଟଳ ୫୦ରୁ ୬୦ ଟଙ୍କା, କାକୁଡ଼ି ୪୦ରୁ ୬୦ ଯଙ୍କା, ଭେଣ୍ଡି ୪୦ରୁ ୫୦ ଟଙ୍କା, ସଜନା ଛୁଇଁ ୧୦୦ରୁ ୧୨୦ ଟଙ୍କା, କଖାରୁ ୨୦ରୁ ୩୦ ଟଙ୍କା, ଗାଜର ୪୦ରୁ ୫୦ ଟଙ୍କା ଦରରେ ବିକ୍ରି ହେଉଛି।
ମୂଲ୍ୟ ବୃଦ୍ଧି ରୋକିବା ନେଇ କିଛି ବ୍ୟବସ୍ଥା ନଥିବାରୁ ଏହାର ଫଳ ଖାଉଟିଙ୍କୁ ଭୋଗିବାକୁ ପଡ଼ୁଛି। ଏ ନେଇ ପଟିଆର ଜଗୁ ବେହେରା କହିଛନ୍ତି ମଧ୍ୟବିତ୍ତ ଶ୍ରେଣୀର ଲୋକେ ଏହାଦ୍ୱାରା ବେଶି ପ୍ରଭାବିତ ହେଲେଣି। ଆଗକୁ ଶ୍ରାବଣ ମାସ ଆସୁଛି। ପରିବା ଦର ଏବେଠାରୁ ଏମିତି ହେଲେ ସେତେବେଳେ ଆଉ ସମ୍ଭାଳିବା ପରିସ୍ଥିତି ରହିବ ନାହିଁ। ବ୍ୟବସାୟୀଙ୍କ କହିବା କଥା ହେଉଛି ଯେ, ବର୍ଷା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ପନିପରିବା ଚାଷ ପ୍ରଭାବିତ ହୋଇଛି। ଉତ୍ପାଦନ ମଧ୍ୟ କମିଛି। ଜିଲ୍ଲା ବାହାରୁ ଆବଶ୍ୟକ ପରିମାଣର ପରିବା ଆସୁନାହିଁ।ଏହାଦ୍ବାରା ଭୁବନେଶ୍ବରର ବିଭିନ୍ନ ବଜାରରେ ପନିପରିବା ଦର ଆକାଶଛୁଆଁ ହୋଇଛି। ବାହାରୁ ଆସୁଥିବା ପରିବା ଆମଦାନୀ ଦର ଅନୁଯାୟୀ ଏଠାରେ ବିକ୍ରି କରିବାକୁ ବେପାରୀମାନେ ବାଧ୍ୟ ହେଉଛନ୍ତି। ତେବେ ଆଳୁ ଓ ପିଆଜ ପୂର୍ବ ଭଳି ସ୍ଥିର ରହିଛି। ଆଳୁ କେଜି ପିଛା ୨୦ ଟଙ୍କା ଥିବା ବେଳେ ପିଆଜ ୨୫-୩୦ ଟଙ୍କା ରହିଛି।