ଗ୍ରୀଷ୍ମରେ ବଦଳିଲା ରାଜଧାନୀ ପାଣିପାଗ: କମ୍‌ ତାତି ବର୍ଷା ଅଧିକ

ଭୁବନେଶ୍ୱର: ବଦଳୁଛି ରାଜଧାନୀର ପାଣିପାଗ। ଯେଉଁଠି ଲଗାତାର ୧୫ରୁ ୨୦ ଦିନ ଧରି ଟାଇଁ ଟାଇଁ ଖରା ହେଉଥିଲା, ଏବର୍ଷ ସେଭଳି ଦେଖିବାକୁ ମିଳିନି। ମାର୍ଚ୍ଚରୁ ମେ’ ମାସ ମଧ୍ୟରେ ମାତ୍ର ୪ରୁ ୫ଥର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଟପିଛି। ଏହି ତିନି ମାସ ମଧ୍ୟରେ ସେଭଳି ଖରା ଦେଖିବାକୁ ମିଳି ନ ଥିବା ବେଳେ ବର୍ଷା ପରିମାଣ କିନ୍ତୁ ବଢ଼ିଛି। ଚଳିତବର୍ଷ ଗ୍ରୀଷ୍ମଦିନେ ଯେଉଁଭଳି ବର୍ଷା ହୋଇଛି, ଗତ କିଛି ବର୍ଷ ମଧ୍ୟରେ ଦେଖିବାକୁ ମିଳି ନ ଥିବା ପାଣିପାଗ ବିଶେଷଜ୍ଞମାନେ କହିଛନ୍ତି। ପରିବେଶବିତ୍‌ମାନେ ମଧ୍ୟ ଏଭଳି ପାଗକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି।

ମାର୍ଚ୍ଚରୁ ମେ’ ମଧ୍ୟରେ ୧୦୦ ମି.ମି. ଅଧିକ ବର୍ଷା
୩ ମାସରେ ୨୭ ଥର ଡରାଇଲା କାଳବୈଶାଖୀ
୪୨ ଡିଗ୍ରି ମଧ୍ୟରେ ରହିଲା ତାପମାତ୍ରା

ଦଶନ୍ଧି ହେଲା ମାର୍ଚ୍ଚରୁ ଜୁନ୍‌ ମାସ ମଧ୍ୟରେ ଡହ ଡହ ଖରାରେ ସିଝୁଥିଲା ସମ୍ପୂର୍ଣ୍ଣ ରାଜଧାନୀ। ହଜାର ହଜାର ବୃକ୍ଷ କଟାଯିବା ଫଳରେ ତାପମାତ୍ରା ଅହେତୁକ ବୃଦ୍ଧି ପାଉଥିବା ନେଇ ମତପ୍ରକାଶ ପାଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ ୨୦୧୬ ଏପ୍ରିଲ ୧୦ରେ ଏଠାରେ ୪୪.୧ ଡିଗ୍ରି ରେକର୍ଡ ହୋଇଥିଲା, ଯାହାକି ତିନି ଦଶନ୍ଧି ମଧ୍ୟରେ ଏପ୍ରିଲ୍‌ ମାସରେ ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ରହିଥିଲା। ଉଲ୍ଲେଖଯୋଗ୍ୟ, ୧୯୮୫ ଏପ୍ରିଲରେ ରାଜଧାନୀର ତାପମାତ୍ରା ୪୫ ଡିଗ୍ରି ଥିଲା। ସେହିପରି ୨୦୧୨ ଜୁନ୍‌ ୫ରେ ଏଠାରେ ୪୫.୯ ଡିଗ୍ରି ରହିଥିଲା। ଏହାପୂର୍ବରୁ ମାତ୍ର ଦୁଇଥର ରାଜଧାନୀର ତାପମାତ୍ରା ଜୁନ୍‌ ମାସରେ ୪୫ ଡିଗ୍ରି ଟପିଥିଲା। ୨୦୦୫ ଜୁନ୍‌ ୧୨ରେ ୪୬.୩ ଡିଗ୍ରି ରେକର୍ଡ ହୋଇଥିବା ବେଳେ ୧୯୬୭ ଜୁନ୍‌ ୫ରେ ୪୬.୩ ଡିଗ୍ରି ରହିଥିଲା। ମାର୍ଚ୍ଚ ମାସରେ ମଧ୍ୟ ରାଜଧାନୀର ତାପମାତ୍ରା ୪୨ ଡିଗ୍ରି ଛୁଇଁଥିବାର ନଜରି ରହିଛି। ୨୦୧୬ ମାର୍ଚ୍ଚ ୨୨ରେ ଭୁବନେଶ୍ୱର ତାପମାତ୍ରା ୪୨.୨ ଡିଗ୍ରିରେ ପହଞ୍ଚିଥିଲା। ଏହି ବର୍ଷ ଅଧିକାଂଶ ଲୋକ ଅଶୁଘାତରେ ବି ପଡ଼ିଥିଲେ। ଏହାର ଦୁଇ ବର୍ଷ ପୂର୍ବରୁ ଅର୍ଥାତ୍‌ ୨୦୧୪ ମାର୍ଚ୍ଚରେ ଭୁବନେଶ୍ୱରରେ ୪୨ ଡିଗ୍ରି ରହିଥିଲା। ପ୍ରତିବର୍ଷ ତାପମାତ୍ରା ଯେଉଁଭଳି ଭାବେ ବଢ଼ୁଥିଲା ଏଥର ୪୫ ଡିଗ୍ରି ପାର୍‌ ହୋଇଯିବ ବୋଲି ଆଶଙ୍କା ପ୍ରକାଶ ପାଇଥିଲା। କିନ୍ତୁ ସେମିତି କିଛି ହେଲା ନାହିଁ। ପାଗରେ ପରିବର୍ତନ ଘଟିଛି। ଗତ ମାର୍ଚ୍ଚରୁ ମେ’ ମାସରେ ମାତ୍ର ଦୁଇ ଥର ତାପମାତ୍ରା ୪୧ ଡିଗ୍ରି ଡେଇଁଛି। ଏହି ସମୟ ମଧ୍ୟରେ ତାପମାତ୍ରା ୪ରୁ ୫ ଥର ୪୦ ଡିଗ୍ରି ଉପରେ ରହିଥିଲା। ବାକି ସମୟରେ ୩୨ରୁ ୩୯ ଡିଗ୍ରି ମଧ୍ୟରେ ରହିଥିବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଏପ୍ରିଲ ୧୭ ତାରିଖରେ ଏଠାରେ ତାପମାତ୍ରା ୪୧.୨ ଡିଗ୍ରିରେ ପହଞ୍ଚିଥିଲା। ମେ’ ମାସରେ ବି ତାତି କମ୍‌ ରହିଥିଲା। ମାତ୍ର ୨ରୁ ୩ ଥର ୩୯ ଡିଗ୍ରି ପର୍ଯ୍ୟନ୍ତ ତାପମାତ୍ରା ଯାଇଥିବା ପାଣିପାଗ କେନ୍ଦ୍ର କହିଛି।

ଅନ୍ୟପକ୍ଷରେ ଏଥର ଗ୍ରୀଷ୍ମରେ ପ୍ରବଳ ବର୍ଷା ହୋଇଛି। ମାର୍ଚ୍ଚ ୧ରୁ ମେ’ ୩୧ ତାରିଖ ମଧ୍ୟରେ ଭୁବନେଶ୍ୱରରେ ହାରାହାରି ୧୫୬ ମିମି ବର୍ଷା ହୋଇଥାଏ। କିନ୍ତୁ ଏଥର ୨୫୬.୬ ମିମି ବର୍ଷା ରେକର୍ଡ କରାଯାଇଛି। ତା’ସାଙ୍ଗକୁ କାଳବୈଶାଖୀ ପ୍ରଭାବ ବି ବଢ଼ିଛି। ୩ ମାସ ମଧ୍ୟରେ ଛୋଟ ବଡ଼ ମିଶାଇ ୨୭ ଥର କାଳବୈଶାଖୀ ହୋଇଛି। ଏକାଧିକ ଥର ଅଧରାତିରେ ବର୍ଷା ହୋଇଛି। ମେ’ ମାସରେ ସବୁଠାରୁ ଅଧିକ ବର୍ଷା ହୋଇଥିବା ରେକର୍ଡ କରାଯାଇଛି। ମେ’ ୧୩ ରାତିରେ ରାତିରେ ଅଧଘଣ୍ଟାରେ ୩୦.୭ ମିମି ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।ପାଣିପାଗରେ ଏଭଳି ପରିବର୍ତନକୁ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ରର ପୂର୍ବତନ ନିର୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି ଯେ ଓଡ଼ିଶା ଉପରେ କାଳବୈଶାଖୀର ପ୍ରଭାବ ରହୁଥିବାରୁ ଚଳିତବର୍ଷ ଏଭଳି ସମସ୍ୟା ହୋଇଛି। ତାପମାତ୍ରା ବଢ଼ି ନ ଥିଲା। କିନ୍ତୁ ଗୁଳୁଗୁଳି ଅନୁଭୂତ ହୋଇଥିଲା। ଏବର୍ଷ ଅପରାହ୍ନ ସମୟରେ ଛତିଶଗଡ଼ ଓ ଝାଡ଼ଖଣ୍ଡ ନିକଟରେ ବାଦଲ ରହୁଛି। ତାହା ଧୀରେ ଧୀରେ ଉପକୂଳ ଓଡ଼ିଶାକୁ ଆସିଲା ବେଳକୁ ମଧ୍ୟରାତିରେ ବର୍ଷା ହେଉଛି। ଜଳବାୟୁ ପରିବର୍ତନର କୌଣସି ପ୍ରଭାବ ପଡ଼ିନି। ଏପ୍ରିଲ ୧ ପରେ ଦକ୍ଷିଣ-ପଶ୍ଚିମ ଦିଗରୁ ପବନ ହେବାରୁ କାଳବୈଶାଖୀ ପ୍ରଭାବ ବଢ଼ିଥିଲା।

ସମ୍ବନ୍ଧିତ ଖବର