ଭାସିବ ରାଜଧାନୀ! ନିଷ୍କାସନ ହୋଇପାରୁନି ବର୍ଷା ପାଣି

ଅଧପନ୍ତରିଆ ପଙ୍କ ଉଦ୍ଧାର, କେବୁଲ୍‌ ବିଛା ନାଁରେ ଖୋଳା ଚାଲିଛି

ଭୁବନେଶ୍ବର: ଏବେଠାରୁ କାଳବୈଶାଖୀ କରାଳ ରୂପ ଦେଖାଉଛି। କେତେବେଳେ ସନ୍ଧ୍ୟାରେ ତ ଆଉ କେତେବେଳେ ରାତିରେ ରାଜଧାନୀକୁ ବୁଡ଼ାଉଛି। ଗଳି କନ୍ଦିରେ ପାଣି ଲହଡ଼ି ଭାଙ୍ଗୁଛି। କେଉଁଠି ଆଣ୍ଠୁଏ ତ ଆଉ କେଉଁଠି ଅଣ୍ଟାଏ। ତା’ସାଙ୍ଗକୁ ରାସ୍ତାପାର୍ଶ୍ବରେ ଜମା ହୋଇଥିବା ମାଟି କାଦୁଅରେ ନସର ପସର ହେଉଛନ୍ତି ଲୋକେ। ମୌସୁମୀ ଆସିବା ପୂର୍ବରୁ ରାଜଧାନୀ ଭୁବନେଶ୍ବରରେ ଏଭଳି ଚିତ୍ର। ନୂଆପଲ୍ଲୀରେ ଡ୍ରେନ୍‌ ସଫେଇ ଲାଗି ମାଟି ତଡ଼ା ଯାଉଛି ତ ନାଲକୋ ଛକ ନିକଟରେ ବିଦ୍ୟୁତ୍‌ କେବୁଲ୍‌ ବିଛାଇବାକୁ ମାଟି କଢ଼ାଯାଇ ରାସ୍ତାରେ ଜମା ହୋଇଛି। ସେପଟେ ଭାରତୀୟ ପାଣିପାଗ ବିଭାଗ ଆକଳନ କଲାଣି ଯେ ୧୦ ତାରିଖ ବେଳକୁ ଓଡ଼ିଶା ଉପକୂଳକୁ ବାତ୍ୟା ଛୁଇଁପାରେ। ଯଦିଓ କେଉଁ ସ୍ଥାନରେ ବାତ୍ୟା ଲ୍ୟାଣ୍ଡ ଫଲ୍‌ କରିବ ସେନେଇ ସ୍ପଷ୍ଟ ଚିତ୍ର ଆସି ନ ଥିଲେ ମଧ୍ୟ ୯ ତାରିଖଠାରୁ ଓଡ଼ିଶା ଉପକୂଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗିରହିବା ନେଇ ପୂର୍ବାନୁମାନ ଲଗାଯାଇଛି ବିଭାଗ। ସେମିତି ହେଲେ ପ୍ରତିଥର ପରି ଏଥର ମଧ୍ୟ ରାଜଧାନୀ ବୁଡ଼ିବା ଏକପ୍ରକାର ଥୟ।

ଏବେଠାରୁ କାଳବୈଶାଖୀ ବର୍ଷା ଡରାଉଥିବା ବେଳେ ଜୁନ୍ ପ୍ରଥମ ସପ୍ତାହରୁ ପ୍ରାକ୍ ମୌସୁମୀ ବର୍ଷା ହେବ। ତା’ପୂର୍ବରୁ ଡ୍ରେନ୍‌ ସଫେଇ ଏବଂ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଲାଗି ସହର ସାରା ଖୋଳାଯାଇଥିବା ଗାତରେ ମାଟି ଭର୍ତ୍ତି କରିବା ଏବେ ବଡ଼ ଆହ୍ବାନ ସୃଷ୍ଟି କରିଛି। ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ବିଏମ୍‌ସି କର୍ତ୍ତୃପକ୍ଷ ମାତିଥିବା ବେଳେ ମୌସୁମୀ ମୁକାବିଲା ପାଇଁ ସେଭଳି ଆଖି ଦୃଶିଆ ପ୍ରସ୍ତୁତି ହୋଇ ନାହିଁ। ଅବଶ୍ୟ ଗତ ମାସରେ ବିଏମ୍‌ସି ମେୟର ସୁଲୋଚନା ଦାସ ସମୀକ୍ଷା ବୈଠକ କରି ଯୁଦ୍ଧକାଳୀନ ଭିତ୍ତିରେ ଡ୍ରେନ୍‌ଗୁଡ଼ିକୁ ସଫେଇ କରିବାକୁ ନିର୍ଦେଶ ଦେଇଛନ୍ତି। ମାତ୍ର ଉନ୍ନୟନମୂଳକ କାର୍ଯ୍ୟ ଲାଗି ‌ସହର ସାରା ଖୋଳାଯାଇଥିବା ରାସ୍ତା ସମସ୍ୟାର ସମାଧାନ ନେଇ ସେଭଳି କୌଣସି ଠୋସ୍‌ ପଦକ୍ଷେପ ନେଇନାହାନ୍ତି। ଏବେ ମୁଖ୍ୟ ଡ୍ରେନ୍‌ରୁ ଆରମ୍ଭ କରି ଗଳିକନ୍ଦିର ଡ୍ରେନ୍ ପର୍ଯ୍ୟନ୍ତ ସବୁଠି ଅବସ୍ଥା ଯାହା ଅଛି ତାହା ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼ୁଛି ଅସରାଏ ବଡ଼ ବର୍ଷା ପୂରା ରାଜଧାନୀକୁ ଜଳମଗ୍ନ କରିଦେବ।

ଜୟଦେବ ବିହାରରୁ ଆରମ୍ଭ କରି ରସୁଲଗଡ଼, ୟୁନିଟ-୯ରୁ ଆରମ୍ଭ କରି ୟୁନିଟ-୬, ୟୁନିଟ-୨, ଖାରବେଳ ନଗର, ଚନ୍ଦ୍ରଶେଖରପୁର, ସହିଦନଗର ସବୁଠି ଏବେ ଡ୍ରେନ୍‌ଗୁଡ଼ିକର ବିପର୍ଯ୍ୟସ୍ତ ସ୍ଥିତି। କେଉଁଠି ବି ପାଣି ଯିବାକୁ ବାଟ ନାହିଁ। କଂକ୍ରିଟ୍‌ ଆବର୍ଜନାରେ ଡ୍ରେନ୍ ପୋତି ହୋଇପଡ଼ିଥିବା ବେଳେ ଭଙ୍ଗା ଡ୍ରେନ୍‌ର ନିର୍ମାଣ କରିବା ଦୂର କଥା ଏହାକୁ ସଫା କରିବାକୁ ବି ବିଏମ୍‌ସି କର୍ତ୍ତୃପକ୍ଷ ପଦକ୍ଷେପ ନେଇ ପାରୁନାହାନ୍ତି। ସେପଟେ ନିର୍ବାଚନ ଜିତିବା ପାଇଁ କର୍ପୋରେଟର ପ୍ରାର୍ଥୀମାନେ ବହୁ ପ୍ରତିଶ୍ରୁତି ଦେଇଥିଲେ। ଏବେ ଜିତିବା ପରେ ପ୍ରଶ୍ନ ଉଠିଲାଣି ନିର୍ବାଚନ ପୂର୍ବରୁ ପ୍ରାର୍ଥୀମାନେ ଡ୍ରେନ୍ ସମସ୍ୟା ସୁଧାରିବା ନେଇ ଯେଉଁ ଲମ୍ବା ଚଉଡ଼ା ପ୍ରତିଶ୍ରୁତି ଦେଇଥିଲେ ତାକୁ ପୂରଣ କରିବେ ତ। ବିଶେଷକରି ଆଗକୁ ବର୍ଷା ଋତୁ ଆସୁଥିବାରୁ ଏବେ ଡ୍ରେନେଜ୍ ସମସ୍ୟା ସୁଧାରିବା ନିତାନ୍ତ ଆବଶ୍ୟକ ହୋଇପଡ଼ିଛି। ପୂର୍ବ ବର୍ଷଗୁଡ଼ିକ ପରି ଏଥର ସହରବାସୀ ଜଳବନ୍ଦୀ ସମସ୍ୟା ଭୋଗିବେନି ବୋଲି ଯେଉଁ ପ୍ରତିଶ୍ରୁତି ଲୋକ ପ୍ରତିନିଧିମାନେ ଦେଇଥିଲେ ତାକୁ କେମିତି ପାଳନ କରୁଛନ୍ତି ତାହାକୁ ଏବେ ଲୋକ ଚାତକ ଭଳି ଚାହିଁ ବସିଛନ୍ତି। ରାଜଧାନୀବାସୀଙ୍କ ନିଦ ହଜାଇ ଦେଉଥିବା ବର୍ଷାର ମୁକାବିଲା କେମିତି ବିଏମ୍‌ସି କରୁଛି ଓ ଲୋକପ୍ରତିନିଧିମାନେ ବିଏମ୍‌ସି ଅଧିକାରୀଙ୍କୁ କେମିତି କାମ କରାଉଛନ୍ତି ତାହା ଉପରେ ସମସ୍ତଙ୍କ ନଜର।

ଗତ ମାସ ୧୩ ତାରିଖରେ ବିଏମ୍‌ସି ମେୟରଙ୍କ ନିର୍ଦେଶ ପରେ ଡ୍ରେନ୍‌ରୁ ପଙ୍କ ଉଦ୍ଧାର କାର୍ଯ୍ୟ କିଛିଟା ଆଗେଇଛି। ମାତ୍ର ମାସକ ମଧ୍ୟରେ ଯେଉଁଭଳି ହେବା କଥା ତାହା ହୋଇ ନାହିଁ। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ସ୍ବେରେଜ ନିର୍ମାଣ ଓ ବିଦ୍ୟୁତ୍‌ କେବୁଲିଂ ବିଛା ଏବେ ରାଜଧାନୀବାସୀଙ୍କ ନିଦ ହଜାଇ ସାରିଲାଣି। ଜାଗମରା ହେଉ କି ଜାଭିଅର ଛକ। କିମ୍ବା ଜୟଦେବ ବିହାର-ନନ୍ଦନକାନନ ବାମପାର୍ଶ୍ବ ରାସ୍ତାରେ ବିଦ୍ୟୁତ୍‌ କେବୁଲ୍‌ ବିଛା କାର୍ଯ୍ୟ। ହଂସପାଳ ଛକ ଜାତୀୟ ରାଜପଥରେ ଓଭରବ୍ରିଜ୍‌ ନିର୍ମାଣ ଚାଲିଥିବାରୁ ସେଠାରେ ବି ଅସାରାଏ ବର୍ଷାରେ ସ୍ଥିତି ସାଂଘାତିକ ହୋଇପଡ଼ୁଛି। ପ୍ରତିଦିନ ସହରର କେଉଁଠି କେଉଁଠି ରାସ୍ତାପାର୍ଶ୍ବ ଖେଳାଯାଇ କେବୁଲ୍‌ ବିଛା ହେଉଛି। ଏବେ କାଳବୈଶାଖୀ ବର୍ଷା ହେଉଥିବାରୁ ସମସ୍ୟା ଦିନକୁ ଦିନ ଅଧିକ ଜଟିଳ ହେଉଛି। ବର୍ଷା ପାଣି ଠିକ୍‌ ଭାବେ ନିଷ୍କାସନ ହେଉ ନାହିଁ। ଖୋଳାଯାଇଥିବା ମାଟି ଅନ୍ୟତ୍ର ସ୍ଥାନାନ୍ତର ହେଉ ନ ଥିବାରୁ ତାହା ରାସ୍ତାରେ ଭାସୁଛି। ପ୍ରମୁଖ ରାସ୍ତାପାର୍ଶ୍ବ ଅବସ୍ଥା ଏଭଳି ହୋଇଥିବା ବେଳେ ଗଳିକନ୍ଦି କଥା ନ କହିବା ଭଲ। ଯେଉଁ ସଂସ୍ଥା ରାସ୍ତା ଖୋଳି କେବୁଲ୍‌ କିମ୍ବା ସ୍ବେରେଜ ନିର୍ମାଣ କରୁଛନ୍ତି ପରବର୍ତୀ ସମୟରେ ତାହାକୁ ମରାମତି କରୁନାହାନ୍ତି। ଯାହାକି ଏବେ ସବୁଠାରୁ ବଡ଼ ସମସ୍ୟା ସୃଷ୍ଟି ହୋଇଛି। ଡ୍ରେନ୍‌ରୁ ପଙ୍କ ଉଦ୍ଧାର କାର୍ଯ୍ୟରେ ବିଏମ୍‌ସି ଲାଗିଥିବା ବେଳେ ଅନ୍ୟ ଦିଗକୁ ସମ୍ପୂର୍ଣ୍ଣ ପାସୋରି ଦେଇଛି।

ସମ୍ବନ୍ଧିତ ଖବର