ବାତ୍ୟାରେ ଭାସିବ ରାଜଧାନୀ! ବହୁ ଅଞ୍ଚଳରେ ଡ୍ରେନ୍‌ ସଫା ହୋଇନି

ପାଣି ନିଷ୍କାସନ ପାଇଁ ୨୬ଟି ପମ୍ପ ମୁତୟନ ହେବ, ଗଛ କାଟିବାକୁ ୧୦ କଟର୍‌

ଭୁବନେଶ୍ବର : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଭୀଷଣ ବାତ୍ୟାର ରୂପ ନେବ। ଏହା ପ୍ରଭାବରେ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାରେ ୨୫ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ। ୨୫, ୨୬ ଓ ୨୭ ତାରିଖରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଅଛି। ଏପରିକି ଭୁବନେଶ୍ବରରେ ୧୦୦ ମିଲିମିଟରରୁ ଅଧିକ ବର୍ଷା ହୋଇପାରେ। ଏହିପରି ପୂର୍ବାନୁମାନ ପାଣିପାଗ କେନ୍ଦ୍ର କରିଛି। ପାଣିପାଗ ବିଭାଗର ବାତ୍ୟା ଓ ବର୍ଷା ପୂର୍ବାନୁମାନ ଯଦି ସତ ହେଲା, ତେବେ ରାଜଧାନୀ ଅବସ୍ଥା ଯେ ସାଂଘାତିକ ହୋଇଯିବ, ତାହା ଜଳଜଳ ଦିଶିଲାଣି। କାରଣ ବର୍ଷା ଜଳ ନିଷ୍କାସନ ବାଟ ପୂରା ବନ୍ଦ ହୋଇଯାଇଛି। ଛୋଟ ଡ୍ରେନ୍‌ରୁ ଆରମ୍ଭ କରି ମୁଖ୍ୟ ଡ୍ରେନ୍‌ଗୁଡ଼ିକ ପର୍ଯ୍ୟନ୍ତ ସବୁ ଆବର୍ଜନା, ପଙ୍କରେ ଭର୍ତ୍ତି ହୋଇ ରହିଛି। ସ୍ଥିତି ଏପରି ହୋଇଛି ଯେ ଅସରାଏ ବଡ଼ ବର୍ଷାର ପାଣି ନିଷ୍କାସନ ହେବା କାଠିକର ପାଠ ହୋଇଯିବ। ଯଦି ୧୦୦ ମିଲିମିଟରରୁ ଅଧିକ ବର୍ଷା ହେଲା ବା ଲଗାଣ ବର୍ଷା ହେଲା ତେବେ ଏତେ ପାଣି କୁଆଡ଼େ ଯିବ, ତାହାକୁ ନେଇ ପ୍ରଶ୍ନ ଉଠିଲାଣି।

ବିଏମ୍‌ସି ମାସକ ତଳେ ପୂର୍ତ୍ତ, ବିଡିଏ, ଏନ୍‌ଏଚ୍‌ଏଆଇ, ଇଡ୍‌କୋ ଆଦିକୁ ଡ୍ରେନ୍ ସଫା କରିବାକୁ ଚିଠି ଲେଖିଥିଲା। ଏହାସହ ସଫେଇ ସଂସ୍ଥାକୁ ନିଜ ନିଜ ୱାର୍ଡରେ ଡ୍ରେନ୍ ସଫା କରିବାକୁ କହିଥିଲା। ହେଲେ ବିଏମ୍‌ସି ନିଜେ କଲାନି କି ବିଏମ୍‌ସି ଚିଠି ପାଇବା ପରେ କେହି ଡ୍ରେନ୍ ସଫା କଲେନି। ପୂର୍ତ୍ତ ବିଭାଗର ରାଜଧାନୀରେ ପ୍ରାୟ ୫୦୦ କିମିର ଡ୍ରେନ୍ ଥିବା ବେଳେ କାଁ ଭାଁ ଅଞ୍ଚଳରେ ଡ୍ରେନ୍ ସଫା ଆରମ୍ଭ ହୋଇଛି। ଏବେ ବହୁ ଅଞ୍ଚଳରେ ଡ୍ରେନ୍‌ରେ ଆବର୍ଜନା ଓ ପଙ୍କ ଭର୍ତ୍ତି ହୋଇ ରହିଛି। ପ୍ରମୁଖ ଅଞ୍ଚଳରେ ପୂର୍ତ୍ତ ବିଭାଗର ଡ୍ରେନ୍ ଥିବାରୁ ଏଗୁଡ଼ିକୁ ଯଦି ଯୁଦ୍ଧକାଳୀନ ଭିତ୍ତିରେ ସଫା କରାନଯାଏ, ତେବେ ବହୁ ଅଞ୍ଚଳ ଜଳାଣ୍ଣବ ହୋଇଯିବ। ଏହାବାଦ୍ ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଇଡ୍‌କୋ, ବିଡିଏ ମଧ୍ୟ ଡ୍ରେନ୍‌ ସଫା କରିନାହାନ୍ତି, ଯାହା ଜଳବନ୍ଦୀର କାରଣ ସାଜିବ।

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ବିଏମ୍‌ସି ନିଜେ ୧୦ଟି ଯାକ ମୁଖ୍ୟ ଡ୍ରେନ୍ ସଫା କରିନି। ସବୁ ମୁଖ୍ୟ ଡ୍ରେନ୍ ପୋତି ହୋଇ ରହିଛି। ଏପରିକି କିଛି ସ୍ଥାନରେ ବାଲି ବସ୍ତା ବନ୍ଦ ହୋଇଥିବା ବେଳେ କେତେକ ସ୍ଥାନରେ ଆବର୍ଜନା ଗଦା ହୋଇଥିବାରୁ ପାଣି ନିଷ୍କାସନ ହୋଇପାରୁନି। ସଫେଇ ସଂସ୍ଥାଗୁଡ଼ିକ ଅଧାପନ୍ତରା କରି ଡ୍ରେନ୍ ସଫା କରିଛନ୍ତି। ହେଲେ ବିଏମ୍‌ସି ଅଧୀନରେ ଯେଉଁ ୧୦ଟି ୱାର୍ଡର ସଫେଇ ବ୍ୟବସ୍ଥା ଅଛି, ସେଠାରେ ଡ୍ରେନ୍ ସଫା କରାଯାଇନି। ସେଥିପାଇଁ ବହୁ ଅଞ୍ଚଳ ଏବେ ଜଳମଗ୍ନ ହେବା ସ୍ଥିତିରେ। ଅପରପକ୍ଷେ ଆଜି ବାତ୍ୟା ‘ୟାସ୍‌’ ନେଇ ପ୍ରସ୍ତୁତ ରହିବାକୁ ସ୍ବତନ୍ତ୍ର ରିଲିଫ କମିସନର୍‌ କହିବା ପରେ ବିଏମ୍‌ସି ନଗର ଯନ୍ତ୍ରୀ ବାତ୍ୟା ମୁକାବିଲା ନେଇ ବୈଠକ ଡାକି ପ୍ରସ୍ତୁତ ରହିବାକୁ ଇଞ୍ଜିନିୟରମାନଙ୍କୁ କହିଛନ୍ତି।

ବିଏମ୍‌ସିର ଡ୍ରେନେଜ୍‌ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଗୌତମ ଚରଣ ଦାସ କହିଛନ୍ତି ଯେ ବାତ୍ୟା ମୁକାବିଲା ପାଇଁ ଆମେ ପ୍ରସ୍ତୁତ ଅଛୁ। ମୌସୁମୀ ପୂର୍ବରୁ ଅର୍ଥାତ୍ ଜୁନ୍ ୧ ପୂର୍ବରୁ ଆମେ ପ୍ରଥମ ପର୍ଯ୍ୟାୟ ଡ୍ରେନ୍ ସଫା କରିବାକୁ ଟାର୍ଗେଟ୍ ରଖିଥିଲୁ। କିନ୍ତୁ ହଠାତ୍ ବାତ୍ୟା ଆସିବାରୁ ଆମେ ଜୋରଦାର୍ ପ୍ରସ୍ତୁତି କରିବାକୁ ପଡ଼ୁଛି। ଗତ ୪ଦିନ ହେଲା ଆମର ଡ୍ରେନ୍ ସଫା ଆରମ୍ଭ ହୋଇଛି। ଆସନ୍ତା ଚାରି/ପାଞ୍ଚ ଦିନରେ ସବୁ ସମ୍ବେଦନଶୀଳ ଅଞ୍ଚଳରେ ଡ୍ରେନ୍ ଓ ମୁଖ୍ୟ ଡ୍ରେନ୍ ସଫା କରିଦେବୁ। ଏହାବାଦ୍ ରାଜଧାନୀର ଯେପରି କୌଣସି ସ୍ଥାନରେ ଜଳବନ୍ଦୀ ନ ହେବ, ସେଥିପାଇଁ ଆମେ ୨୬ଟି ପାଣି ପମ୍ପ ମୁତୟନ କରିବୁ। ବିଏମ୍‌ସି ଓ ଅଗ୍ନିଶମ ବିଭାଗର ଏହି ପମ୍ପଗୁଡ଼ିକ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଆଗୁଆ ମୁତୟନ କରାଯିବ। ଏହାପରେ ଯେଉଁଠି ପାଣି ଜମିବ, ସେଗୁଡ଼ିକୁ ସେହି ଅନୁଯାୟୀ ସ୍ଥାନାନ୍ତର କରିବୁ। ଆମର ଇଞ୍ଜିନିୟରମାନଙ୍କୁ ବିଭିନ୍ନ ୱାର୍ଡ ଦାୟିତ୍ବ ଦିଆଯାଇଛି। ରାଜଧାନୀରେ ‌ଯେପରି ଜଳବନ୍ଦୀ ସମସ୍ୟା ହେବନି, ସେଥିପାଇଁ ଆମେ ସଜାଗ ଅଛୁ। ଏହାବାଦ୍ ଗଛ ଭାଙ୍ଗିଲେ ତାକୁ ତୁରନ୍ତ କାଟି ରାସ୍ତା ସଫା କରିବାକୁ ୧୦ଟି କଟର୍‌ ମେସିନ୍ ଅଛି। ଅଧିକ ଗଛ ଭାଙ୍ଗିଲେ, ଅଗ୍ନିଶମ ବିଭାଗ ଓ ଓଡ୍ରାଫ୍‌ର ସହାୟତା ନିଆଯିବ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର