ଆଜିକୁ ଠିକ୍ ୭୫ ବର୍ଷ ତଳେ ରାଜଧାନୀର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଥିଲା। ପ୍ରଥମେ ପ୍ରଥମେ କଟକ (ତତ୍କାଳୀନ ରାଜଧାନୀ)ରୁ କର୍ମଚାରୀମାନେ ଆସିବା ଅମଙ୍ଗ ହୋଇଥିଲେ। ଲୋକମାନେ ଏଠାରେ ରହିବା ପସନ୍ଦ କରୁନଥିଲେ। ସରକାର ଗୃହ ନିର୍ମାଣକୁ ପ୍ରୋତ୍ସାହନ ଦେବା ପାଇଁ ସରକାରୀ ଜମି ୯୯ ବର୍ଷିଆ ଲିଜ୍ ଦେଲେ। ଏହା ପରେ କ୍ୟାପିଟାଲ ସିଟି ପ୍ରତି ଲୋକଙ୍କ ମୋହ ବଢ଼ିଥିଲା। ଏକଦା ୪୦ ହଜାର ଜନସଂଖ୍ୟା ବିଶିଷ୍ଟ ପ୍ରାଶାସନିକ ରାଜଧାନୀ ସହର ଭାବେ ଭୁବନେଶ୍ବରକୁ କଳ୍ପନା କରାଯାଇଥିଲା। କିନ୍ତୁ ରାଜଧାନୀର ବୟସ ବଢ଼ିବା ସହ ଏହା ରାଜ୍ୟର ରାଜନୈତିକ ଓ ସାଂସ୍କୃତିକ ପ୍ରାଣକେନ୍ଦ୍ର ଭାବେ ଉଭା ହେଲା। ସହରର ଚାରିପଟୁ ଆକାର ବି ବଢ଼ିଲା। ନଭଶ୍ଚୁମ୍ଭୀ ଅଟ୍ଟାଳିକା ଛିଡ଼ା ହୋଲା। ବହୁରାଷ୍ଟ୍ରୀୟ କମ୍ପାନି ଭୁବନେଶ୍ବରରେ କାର୍ଯ୍ୟାଳୟ ଖୋଲିଲେ। ସହରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେଲା। ଦେଶର ଯେ କୌଣସି ବିକଶିତ ସହରର ସମକକ୍ଷ ହେବା ପାଇଁ ଭୁବନେଶ୍ବର ଉଦ୍ୟମ କରୁଛି। ଏସବୁ ଭିତରେ କିଛି ମୌଳିକ ସମସ୍ୟା ସହରବାସୀଙ୍କୁ କଲବଲ ବି କରୁଛି। କଂକ୍ରିଟ୍‌ ଜଙ୍ଗଲ ଜଳବନ୍ଦୀ ସମସ୍ୟା‌ ସୃଷ୍ଟି କରିଛି। ଅତ୍ୟାଧୁନିକ ଜ୍ଞାନ କୌଶଳ ବ୍ୟବହାରରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, ହେଲେ ଭୁବନେଶ୍ବର ସଫା ହୋଇ ପାରୁନି। ଏମିତି ଖଟା ମିଠା ଅନୁଭବ ନେଇ ରାଜଧାନୀ ଏଥର ୭୫ ବର୍ଷରେ ପଦାର୍ପଣ କରିଛି। ଏକ ସୁନ୍ଦର ସହର ପାଇଁ ସମସ୍ତେ ଆଶାବାଦୀ। ଏହି ଅବସରରେ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା...
ପ୍ରସ୍ତୁତି: ବିବୁଧ, କେଶବ, ସସ୍ମିତା, ଲିଙ୍ଗରାଜ, ଦେବାଶିଷ, ହରପ୍ରିୟା
ଫଟୋ: ଅସିତ, ଅଳଙ୍କରଣ: ନିଶାନ୍ତ

Advertisment

ଭୁବନେଶ୍ବର: ଚତୁର୍ଦ୍ଦିଗରେ ଭୁବନେଶ୍ବର ବଢ଼ିବାରେ ଲାଗିଛି। ଶିକ୍ଷାନୁଷ୍ଠାନ, ଆବାସିକ ପ୍ରକଳ୍ପ, ହସ୍‌ପିଟାଲ୍‌, ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ଗଢ଼ା ହେବାରେ ଲାଗିଛି। ପୂର୍ବରେ ସୁନ୍ଦରପଦା ଦେଇ ଜଟଣୀ ଛୁଇଁଥିବା ବେଳେ ପିପିଲି ଏନ୍‌ଏସି ବି ଏବେ ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିୟନ୍ତ୍ରଣରେ। ସେହିଭଳି ନନ୍ଦନକାନନ ଅତିକ୍ରମ କରି କାଠଯୋଡ଼ି ନଦୀ ପର୍ଯ୍ୟନ୍ତ ଭୁବନେଶ୍ବର ବଢ଼ି ଯାଇଥିବା ବେଳେ ଏପଟେ ପାହାଳ ଡେଇଁ ନଖରାକୁ ଛୁଇଁଲାଣି। ଅପରପାର୍ଶ୍ବରେ ଖୋର୍ଦ୍ଧା ବ୍ଲକ୍‌ର ପାଖାପାଖି ଶହେ ରାଜସ୍ବ ଗ୍ରାମ ବିଡିଏ ନିଜ ନିୟନ୍ତ୍ରଣକୁ ଆଣିସାରିଲାଣି। ୧୦ ବର୍ଷ ମଧ୍ୟରେ ୧ଲକ୍ଷ ୭୦ ହଜାର ୮୩୦ ଏକର ନୂଆ ଅଞ୍ଚଳ ପାଇଁ ନୀଳ-ନକ୍ସା ପ୍ରସ୍ତୁତ ହେଉଛି। ଏଥିରେ ଖୋର୍ଦ୍ଧା ବ୍ଲକ୍‌, ପିପିଲି ଏନ୍‌ଏସି ଓ ବାଲିଅନ୍ତା ବ୍ଲକ୍‌ର ୩୫୧ରାଜସ୍ବ ଗ୍ରାମ ରହିଛି।

ଏହି ସବୁ ଅଞ୍ଚଳର ଉନ୍ନତି ପାଇଁ ବିଡିଏ ପକ୍ଷରୁ ବିସ୍ତୃତ ବିକାଶ ଯୋଜନା (ସିଡିପି) ପ୍ରସ୍ତୁତ ହେଉଛି। ଖୁବ୍‌ଶୀଘ୍ର ଏହା ଆତ୍ମପ୍ରକାଶ କରିବାକୁ ଯାଉଛି। ସିଡିପି-୨୦୧୦ରେ ବିଡିଏ ନିୟନ୍ତ୍ରଣରେ ୪୧୯ ବର୍ଗ କିମି ଥିବା ବେଳେ ଏବେ ନୂଆ ସିଡିପିରେ ୬୯୧ ବର୍ଗକିମି ଅଞ୍ଚଳ ସାମିଲ ହୋଇଛି। ସେତେବେଳେ ୨୦୪ଟି ନୂଆ ମୌଜା ଏହି ଯୋଜନାରେ ସାମିଲ ହୋଇଥିବା ବେଳେ ଏବେ ୩୫୧ ରାଜସ୍ବ ଗ୍ରାମ ସାମିଲ ହୋଇଛି। ଅର୍ଥାତ୍‌ ପ୍ରତ୍ୟେକ ସମୟରେ ଉପକଣ୍ଠରେ ଥିବା ନୂଆ ନୂଆ ରାଜସ୍ବ ଗ୍ରାମ ଏହି ଉନ୍ନୟନ ଯୋଜନାରେ ସାମିଲ ହେବାରେ ଲାଗିଛି। ୧୯୯୪ ଓ ୨୦୧୦ ମସିହାରେ ଦୁଇ ଦୁଇ ଥର କାର୍ଯ୍ୟକ୍ଷମ ହୋଇଥିବା ସିଡିପି ଫେଲ୍‌ ମାରିଛି। କୌଣସି ଅଞ୍ଚଳରେ ଯୋଜନା ମୁତ‌ାବକ କୌଣସି କାମ ହୋଇ ନାହିଁ। କେହି ବିଡିଏ କଥା ମାନୁ ନାହାନ୍ତି। ଯିଏ ଯେଉଁଠି ପାରୁଛି ମନ ମୁତାବକ ନିର୍ମାଣ କରୁଛି। ଏଥିରେ କେବଳ ଲୋକଙ୍କର ଯେ ଦୋଷ ତାହା ମଧ୍ୟ କହିହେବ ନାହିଁ। କାରଣ ଯାହା ଯାହା ପ୍ଲାନ୍‌ ହେଉଛି ବା ଅଞ୍ଚଳର ଉନ୍ନତି ପାଇଁ ଯାହା ସବୁ ଯୋଜନା ହେଉଛି ତାହା ହେଉନଥିବାରୁ ଅଧିକାରୀମାନଙ୍କ ଉପ‌ରେ ଜନସାଧାରଣ ଭରସା କରିପାରୁ ନାହାନ୍ତି।

ଠିକ୍‌ ସେହିଭଳି ବିଏମ୍‌ସି କଳେବର ମଧ୍ୟ ବଢ଼ୁଛି। ପାଇକରାପୁର, ଶଙ୍କରପୁର, ଭଗବାନପୁର, ପାତ୍ରପଡ଼ା ଓ କଳାରାହାଙ୍ଗ ଆଦି ୫ଟି ନୂଆ ଅଞ୍ଚଳ ବିଏମ୍‌ସି ଅଞ୍ଚଳରେ ସାମିଲ ହୋଇଛନ୍ତି। କିନ୍ତୁ ସହରର ଅନୁଭୂତି ତ ଦୂରର କଥା, ମୌଳିକ ସମସ୍ୟା ମଧ୍ୟ ସମାଧାନ ହୋଇ ପାରୁ ନାହିଁ।

କେବଳ ଏଠାକାର ବାସିନ୍ଦା ନୁହନ୍ତି, ବରଂ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଲୋକମାନେ ରାଜଧାନୀମୁହାଁ ହୋଇଛନ୍ତି। ଯେଉଁ ସବୁ ଅଞ୍ଚଳରେ ଜମି ଅଛି ତାହା ଅମୂଲମୂଲ ହୋଇଛି। ଯେଉଁମାନେ ବି କିଣିବାକୁ ସକ୍ଷମ ହେଉଛନ୍ତି ସେମାନଙ୍କ ମଧ୍ୟରୁ ଅନେକେ ଦଲାଲଙ୍କ ହାବୁଡ଼ରେ ପଡ଼ି ଯାଉଛନ୍ତି। ଫଳରେ ବର୍ଷ ବର୍ଷ ଧରି କୋର୍ଟ କଚେରୀ ଦଉଡ଼ିବାକୁ ପଡ଼ୁଛି। ଗୋଟିଏ ପଟେ ମୌଳିକ ସେବା ଉପଲବ୍ଧ ହେଉନଥିବା ବେଳେ ତା’ ଉପରେ ଦଲାଲଙ୍କ ଉତ୍ପାତ ଜନସାଧାରଣଙ୍କୁ ଅତିଷ୍ଠ କରିଛି। ଆଧୁନିକ ଜ୍ଞାନ କୌଶଳ ଜରିଆରେ ଅନେକ ଠକେଇ ରୋକି ହେଉଛି। କିନ୍ତୁ ଜମି ବାଡ଼ି କାରବାରରେ ଠକେଇ ଆଜି ପର୍ଯ୍ୟନ୍ତ ରୋକି ହୋଇ ନାହିଁ। ଫଳରେ ସାଧାରଣ ଲୋକ ଦଲାଲଙ୍କ ଜାଲରେ ସହଜରେ ପଡ଼ି ଯାଉଛନ୍ତି। ସହର ବଢ଼ିବା ସାଙ୍ଗକୁ ସାଧାରଣ ଲୋକଙ୍କୁ ନ୍ୟାୟ ଦେବା ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ ନ କଲେ ରାଜଧାନୀ ସହର ପ୍ରତି ଥିବା ମୋହ ତୁଟି ଯିବ ବୋଲି ବୁଦ୍ଧିଜୀବୀ ଆଶଙ୍କା କରିଛନ୍ତି।

publive-image ଆଲୋକମାଳାରେ ଝଲସୁଛି ବିଡିଏ କାର୍ଯ୍ୟାଳୟ

ଇତିହାସ ପୃଷ୍ଠାରୁ... ବଡ଼ଗଡ଼ରେ ବସିଥିଲା ରାଜଧାନୀ ପ୍ରତିଷ୍ଠା ବୈଠକ

ରାଜଧାନୀ ପ୍ରତିଷ୍ଠା ଦିବସ ନିମନ୍ତେ ତତ୍‌କାଳୀନ ଓଡ଼ିଶାର ପ୍ରଧାନମନ୍ତ୍ରୀ ଡ. ହରେକୃଷ୍ଣ ମହତାବ ଦୃଢ଼ ନିଷ୍ପତ୍ତି ନେଲେ। ପୁରୀ ଜିଲ୍ଲାବୋର୍ଡ ଅଧ୍ୟକ୍ଷ ସତ୍ୟପ୍ରିୟ ମହାନ୍ତିଙ୍କୁ ସେ ଏ ବିଷୟରେ କହିଲେ। ସ୍ବଳ୍ପ ଜନବସତି ଥିବା ବଣ ଜଙ୍ଗଲ ଘେରା ଭୁବନେଶ୍ବରରେ ରାଜସ୍ବ ଗ୍ରାମ ବଡ଼ଗଡ଼ର ମୁରବୀ ଶ୍ରେଣୀୟ ଲୋକମାନଙ୍କ ସହ ଅନ୍ୟକିଛି ସ୍ଥାନୀୟ ଅଧିବାସୀଙ୍କୁ ସତ୍ୟପ୍ରିୟ ମହାନ୍ତି ଯୋଗାଯୋଗ କରିଥି‌ଲେ। ତା’ ପରେ ବଡ଼ଗଡ଼ସ୍ଥିତ ପତିତପାବନ ମନ୍ଦିରରେ ପ୍ରସ୍ତୁତି ବୈଠକ ପାଇଁ ନିଷ୍ପତ୍ତି ନିଆଯାଇଥିଲା। କଟକରୁ ଶ୍ରୀ ମହତାବ ରେଳଗାଡ଼ିରେ ଆସି ବୁଦ୍ଧେଶ୍ବରୀ ଷ୍ଟେସନରେ ପହଞ୍ଚିଥିଲେ। ତାଙ୍କୁ ଗୋକୁଳାନନ୍ଦ ଜେନା ତାଟଲଗା ଶଗଡ଼ ଗାଡ଼ିରେ ବସାଇ ସଭାସ୍ଥଳକୁ ଆଣିଥିଲେ। ସେ ଗାଁ ମୁଣ୍ଡରେ ପହଞ୍ଚିବା ପରେ ଢୋଲ ଓ ମହୁରୀ ବାଜା ସହ ସଂକୀର୍ତ୍ତନ କରି ତାଙ୍କୁ ସ୍ବାଗତ କରାଯାଇଥିଲା। ତା’ ପରେ ସଭା ଆରମ୍ଭ ହେଲା।

ଉପସ୍ଥିତ ସମସ୍ତ ବ୍ୟକ୍ତି ଶପଥ ନେଲେ ଯେ ହରେକୃଷ୍ଣ ମହତାବ ରାଜଧାନୀ ପ୍ରତିଷ୍ଠା ପାଇଁ ଯାହା ଉଦ୍ୟମ କରିବେ, ତାହାକୁ ସମସ୍ତେ ସ୍ବୀକାର କରିବେ। ପତିତପାବନଙ୍କ ପାଖରେ ସମସ୍ତେ ଶପଥ ଗ୍ରହଣ କରିଥିଲେ। ସତ୍ୟପ୍ରିୟ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମକଦ୍ଦମି ଇଲାକାର କେତେ ଜଣଙ୍କ ସହ ବଡ଼ଗଡ଼ ଗାଁର ସ୍ବର୍ଗତ ମହେନ୍ଦ୍ର ସୁନ୍ଦରାୟ, ତାଙ୍କ ଭାଇ ସୁରେନ୍ଦ୍ର ସୁନ୍ଦରାୟ, ଗୋକୁଳାନନ୍ଦ ଜେନା, ପୁରୁଣା ଭୁବନେଶ୍ବରର ସଂଗ୍ରାମୀ ରଘୁନାଥ ମହାପାତ୍ର, ଦୀନବନ୍ଧୁ ଗରାବଡୁ, ଭିଙ୍ଗାରପୁର ଜମିଦାର ଚୌଧୁରୀ ନୀଳକଣ୍ଠ ଦାସ, ଚୌଧୁରୀ ଗଙ୍ଗାଧର ଦାସ, ବାଲିଅନ୍ତା-ବେଣୁପୁରର କଂଗ୍ରେସ ନେତା ଦାଶରଥୀ ମହାନ୍ତି, ବୀରବର ଲେଙ୍କା, ଜୟକୃଷ୍ଣ ସାହୁ, ଧମିଲୋର ମାଧବାନନ୍ଦ ମହାନ୍ତି, ନହରକଣ୍ଟା ଜମିଦାର ଦିବ୍ୟସିଂହ ମହାରଥା ମହାପାତ୍ର, ନୂଆପାଟଣାର ଭଗବାନ ମହାନ୍ତି, ମେଣ୍ଢାଶାଳର ବନମାଳୀ ପଟ୍ଟନାୟକ, ରଘୁନାଥ ବଡ଼ଜେନା ପ୍ରମୁଖ ସଭାରେ ଯୋଗ ଦେଇଥିଲେ। ଏହାଥିଲା ରାଜଧାନୀ ପ୍ରତିଷ୍ଠା ପାଇଁ ଉଦ୍ଦିଷ୍ଟ ପ୍ରଥମ ବୈଠକ। ଏହା ପରେ କେତେକ ଆଞ୍ଚଳିକ ବୈଠକ ବସିଥିଲା।