ରାଜଧାନୀ ପ୍ରତିଷ୍ଠା ଦିବସ: କେକ୍‌ କାଟିଲେ, ଶୁଭେଚ୍ଛା ଜଣାଇଲେ

ଭୁବନେଶ୍ବର: ରାଜଧାନୀର ୭୧ତମ ପ୍ରତିଷ୍ଠା ଦିବସ ଆଜି ଜୟଦେବ ଭବନରେ ପାଳିତ ହୋଇଯାଇଛି। ସୂଚନା ଓ ଲୋକସଂପର୍କ ବିଭାଗ ଓ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ଲୋକସଂପର୍କ ବିଭାଗର ସଚିବ ସଂଜୟ କୁମାର ସିଂହ ଯୋଗ ଦେଇ କେକ୍ କାଟି ଶୁଭେଚ୍ଛା ଜଣାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଭାଗୀୟ ନିର୍ଦେଶକ ଲକ୍ଷ୍ମୀଧର ମହାନ୍ତି, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସଭାପତି ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ଉପସଭାପତି ପ୍ରଦ୍ୟୁମ୍ନ ମହାନ୍ତି, ଆଇନ ଉପଦେଷ୍ଟା ମାନସ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ। ହାପି ବାର୍ଥ ଡେ କ୍ୟାପିଟାଲ ସିଟି ଭୁବନେଶ୍ବର, ହାପି ବାର୍ଡ ଡେ ଟେମ୍ପଲ ସିଟି ଭୁବନେଶ୍ବର ସଂଗୀତରେ ‌ପ୍ରେକ୍ଷାଳୟ କମ୍ପି ଉଠିଥିଲା। ପରେ ସଂସ୍କୃତି ବିଭାଗ ପକ୍ଷରୁ ପ୍ରଶାନ୍ତ ପାଢ଼ୀ ଓ ତାଙ୍କ ଦଳ, ବିଦିଶା ଦାସ ଓ ତାଙ୍କ ଦଳ ଭଜନ ପରିବେଷଣ କରିଥିଲେ। ବଲାଙ୍ଗୀର ଢୋଲ ମହୁରୀ ଅନୁଷ୍ଠାନ ପକ୍ଷରୁ ସମ୍ବଲପୁରୀ ନୃତ୍ୟ ଓ ଭୁବନେଶ୍ବର ତ୍ରିଧାରା ଅନୁଷ୍ଠାନ ପକ୍ଷରୁ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଥିଲା। ପରେ ୟୁନିଟ୍-୬ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟର ଛାତ୍ରୀମାନେ ଡାଲଖାଇ, ପଟିଆସ୍ଥିତ ସେଣ୍ଟ ଜାଭିୟର ଇଣ୍ଟରନାସନାଲ ସ୍କୁଲର ଛାତ୍ରଛାତ୍ରୀ ଓମ୍ ନମଃ ଶିବାୟ, ସତ୍ୟନଗରସ୍ଥିତ ସେଣ୍ଟ ଜାଭିୟର ଇଣ୍ଟରନାସନାଲ ସ୍କୁଲର ଛାତ୍ରଛାତ୍ରୀ ବନ୍ଦେ ଉତ୍କଳ ଜନନୀ ଓ ଅମିତ କଲେଜର ଛାତ୍ରୀ ସୁଶ୍ରୀ ସଂଗୀତା ସମ୍ବଲପୁରୀ ନୃତ୍ୟ ପରିବେଷଣ କରିଥିଲେ। ଆଜି ସକାଳେ ପିଏମ୍‌ଜି ଛକସ୍ଥିତ ସଚିବାଳୟ ସମ୍ମୁଖରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହାରଲାଲ ନେହରୁଙ୍କ ଦ୍ବାରା ଭିତ୍ତିପ୍ରସ୍ତର ଫଳକ ନିକଟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଭାଗୀୟ ସଚିବ ଶ୍ରୀ ସିଂହ ରାଜଧାନୀବାସୀଙ୍କୁ ‌ଶୁଭେଚ୍ଛା ଜଣାଇଥିଲେ। ବିଭାଗୀୟ ନିର୍ଦେଶକଙ୍କ ସମେତ ଯୁଗ୍ମ ଶାସନ ସଚିବ ଶୁଭେନ୍ଦ୍ର କୁମାର ନାୟକ, ଉପ-ନିର୍ଦେଶକ ବିପିନ ବିହାରୀ ବାରିକ, ବରଦା ପ୍ରସନ୍ନ ଦାସ, ସହକାରୀ ନିର୍ଦେଶକ(କ୍ଷେତ୍ର) ସନ୍ତୋଷ କୁମାର ଦାସ, ଭୁବନେଶ୍ବର ଜିଲ୍ଲା ସୂଚନା ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, କମିଟିର ଉପସଭାପତି ପ୍ରଦ୍ୟୁମ୍ନ ମହାନ୍ତି ଓ ସାଧାରଣ ସଂପାଦକ ସନତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର