ରାଜଧାନୀକୁ ନିୟନ୍ତ୍ରଣ କରିବ ବିଓସି

ଉଦ୍‌ଘାଟନ ହେଲା ଭୁବଶ୍ୱେର ଅପରେସନ୍ସ ସେଣ୍ଟର୍‌, ସ୍ୱଂଚାଳିତ ଟ୍ରାଫିକ୍‌ ସିଗ୍‌ନାଲ୍‌ ବ୍ୟବସ୍ଥା, ସ୍ମାର୍ଟ ପାର୍କ, ସେନ୍‌ସୋରି ପାର୍କ ଓ ସମନ୍ଵିତ ଜନସେବା କେନ୍ଦ୍ରର ଶିଳାନ୍ୟାସ

ଭୁବନେଶ୍ୱର : ସ୍ମାର୍ଟ ସିଟି ତାଲିକା ପ୍ରକାଶ ପାଇବାର ଅଢ଼େଇ ବର୍ଷ ପରେ ଭୁବନେଶ୍ୱରବାସୀ ଆଜି ଅନୁଭବ କରିବା ଭଳି ତିନିଟି ସ୍ମାର୍ଟ ସିଟି ପ୍ରକଳ୍ପ ଭେଟି ପାଇଛନ୍ତି। ଦୀର୍ଘ ଦିନ ହେଲା ଲୋକଙ୍କ ଅଭିଯୋଗ ଥିଲା ଯେ, ସ୍ମାର୍ଟ ସିଟି କେବଳ କାଗଜ କଲମରେ ଚାଲିଛି। କିଛି ବି କାର୍ଯ୍ୟକାରୀ ହେଉନି। କିନ୍ତୁ ସ୍ମାର୍ଟ ସିଟି କର୍ତ୍ତୃପକ୍ଷ ଆଜି ତିନିଟି ପ୍ରକଳ୍ପ ଭେଟି ଦେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଜି ଛକଠାରେ ଆଡାପ୍ଟିଭ୍‌ ଟ୍ରାଫିକ୍‌ ସିଗନାଲ୍‌ ସିଷ୍ଟମ (ସ୍ୱୟଂଚାଳିତ ଟ୍ରାଫିକ ସିଗନାଲ୍‌ ବ୍ୟବସ୍ଥା), ଭୁବନେଶ୍ୱର ଅପରେସନ୍ସ ସେଣ୍ଟର୍‌, ସହିଦନଗର ସ୍ମାର୍ଟ ପାର୍କକୁ ଉଦ୍‌ଘାଟନ କରିଛନ୍ତି। ଏହାସହ ସହିଦନଗରରେ ସେନସୋରି ପାର୍କ ଏବଂ ବାପୁଜୀ ନଗରରେ ସମନ୍ଵିତ ଜନସେବା କେନ୍ଦ୍ରର ଶିଳାନ୍ୟାସ କରିଛନ୍ତି।

ବିଏମ୍‌ସି ଭବାନୀ ମଲ୍‌ରେ ନିର୍ମାଣ ହୋଇଥିବା ‘ଭୁବନେଶ୍ୱର ଅପରେସନ୍ସ ସେଣ୍ଟର୍‌’ (ବିଓସି) ଏଣିକି ଭୁବନେଶ୍ୱର ଉପରେ ନଜର ରଖିବ। ରାଜଧାନୀର ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି, ଜିପିଏସ୍‌ ବ୍ୟବସ୍ଥାରେ ସମସ୍ତ ତଥ୍ୟ ବିଓସିକୁ ଆସିବ। ଏଠାରୁ ହିଁ ନିର୍ଦ୍ଦେଶ ଦିଆଯିବ ଓ ନିୟନ୍ତ୍ରଣ କରାଯିବ। ଏହି ବ୍ୟବସ୍ଥାରେ ଟ୍ରାଫିକ୍‌ ପରିଚାଳନା, ପାର୍କିଂ, ପବ୍ଲିକ ଟ୍ରାନ୍ସପୋର୍ଟ (ସିଟି ବସ୍‌), କମନ୍‌ ପେମେଣ୍ଟ କାର୍ଡ ବ୍ୟବସ୍ଥା, ଅଳିଆ ଗାଡ଼ି, ଡଷ୍ଟବିନ୍‌, ବିଏମ୍‌ସିର ଗାଡ଼ି, ଷ୍ଟ୍ରିଟ୍‌ ଲାଇଟ୍‌ ଆଦି ନିୟନ୍ତ୍ରଣ ହୋଇପାରିବ। ଏହାବାଦ୍‌ ବିଏମ୍‌ସି, ବିଡିଏ ସମ୍ପର୍କିତ ଅଭିଯୋଗଗୁଡ଼ିକ ଏବେ ଏଠାରେ ନିୟନ୍ତ୍ରଣ ହେବ ଏବଂ ନଜର ରହିବ।

ଯଦି କୌଣସି ସ୍ଥାନରେ ଟ୍ରାଫିକ୍‌ ଜାମ୍‌ ହୋଇଯିବ ତେବେ ଅପରେସନ୍ସ ସେଣ୍ଟର୍‌ରୁ ଏହାକୁ ପରିଚାଳନା ପାଇଁ ତୁରନ୍ତ ନିର୍ଦ୍ଦେଶ ଯିବ। ସେହିପରି ପାଣି ଜମିଲେ କି ରାସ୍ତା ଅବରୋଧ ହେଲେ ବି ଏହାକୁ ପରିଚାଳନା କରାଯିବ। ଏଥିପାଇଁ ବିଭିନ୍ନ କେନ୍ଦ୍ରରେ ୮୦ଫୁଟ ଚଉଡ଼ାର ଏକ ବିଶାଳ ଭିଡିଓ ସ୍କ୍ରିନ୍‌ ରହିଛି। ଯାହାକୁ ବ୍ୟବହାର କରି ବହୁସଂଖ୍ୟକ ସିସିଟିଭି ଭିଡିଓ ତଥା ଅତ୍ୟାଧୁିନକ ସେନ୍‌ସର୍‌ ତଥ୍ୟ ଉପରେ ନଜର ରଖାଯାଇପାରିବ।

ଆଜି ଉଦ୍‌ଘାଟିତ ହୋଇଥିବା ଆଡାପ୍ଟିଭ୍‌ ଟ୍ରାଫିକ୍‌ ସିଗନାଲ୍‌ ସିଷ୍ଟମ୍‌ରେ ସମସ୍ତ ଟ୍ରାଫିକ ସିଗନାଲ୍‌ ବ୍ୟବସ୍ଥା ସୌର ଶକ୍ତିରେ ଚାଲିବ। ଏହା ସ୍ୱୟଂଚାଳିତ ହେବ। ଭିଡ଼ ଦେଖି ଟ୍ରାଫିକ୍‌ ଛାଡ଼ିବ। ଏଥିରେ ୫୦ଟି ଜଙ୍କସନ୍‌, ୮ଟି ପେଲିକାନ୍‌ ଏବଂ ୫ଟି ବ୍ଲିଙ୍କର୍‌ରେ ଅତ୍ୟାଧୁନିକ ସିଗନାଲ୍‌ ବ୍ୟବସ୍ଥା ଲାଗିଛି।

ସହିଦ ନଗର ସ୍ମାର୍ଟ ପାର୍କ ସମୂହରେ ୬ଟି ପାର୍କକୁ ପୁନର୍ବିନ୍ୟାସ କରାଯାଇ ବିଭିନ୍ନ ଶିଶୁ ଅନୁକୂଳ ସୁବିଧା ସହିତ ପିଲାମାନଙ୍କ ପାଇଁ ଖେଳ ଓ ବିଭିନ୍ନ କାର୍ଯ୍ୟକ୍ରମର ଆକର୍ଷଣ କେନ୍ଦ୍ର ଭାବେ ବିକଶିତ କରାଯାଇଛି। ଏଥିରେ ସ୍ଲାସ୍‌ ପାର୍କ, ଓ୍ଵାଚ୍‌ ଟାଓ୍ଵାର, ମୁକ୍ତାକାଶ ଆମ୍ପିଥିଏଟର୍‌, ମୁକ୍ତାକାଶ ଆର୍ଟ ଗ୍ୟାଲେରି, ବାସ୍କେଟ ବଲ୍‌ କୋର୍ଟ, ପିଲାଙ୍କ ପାଇଁ ଖେଳ ଉପକରଣ, ମୁକ୍ତାକାଶ ଜିମ୍‌ ଏବଂ ପ୍ଲାଜା ଆଦି ରହିଛି। ସେହିଭଳି ସହିଦନଗର ସ୍ଥିତ ବିଡିଏ-ଓଏମ୍‌ସି ପାର୍କକୁ ଗେଟ୍‌ ଫିଟ୍‌ ଥିମ୍‌ରେ ଫିଟନେସ୍‌ ଓ ଖେଳର ଏକ ଉତ୍ତମ ସମନ୍ଵୟ ଭାବେ ପୁନର୍ବିନ୍ୟାସ କରାଯାଇଛି। ଏଥିରେ ପିଲା ଖେଳିବା ପାଇଁ ରବର ଚଟାଣ, ଖେଳ ଉପକରଣ, ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ହେଲ୍‌ଥ ପକେଟ୍‌ ରହିଛି। ତ୍ରିକୋଣୀୟ ପାର୍କକୁ ଗେଟ୍‌ ଗ୍ରିନ୍‌ ଥିମ୍‌ରେ ବିକଶିତ କରାଯାଇଛି। ଏଥିରେ ପାଦଚଲା ଟ୍ରାକ୍‌ ସହ ଅଧିକ ବସିବା ବ୍ୟବସ୍ଥା, ସ୍ଥାନୀୟ ବାସିନ୍ଦା ଏକାଠି ହେବା ପାଇଁ ପ୍ଲାଜା, ଯୋଗ ଓ ଧ୍ୟାନ ପାଇଁ ସ୍ଥାନ ରଖାଯାଇଛି।

ମୁଖ୍ୟମନ୍ତ୍ରୀ ଆଜି ସହିଦ ନଗରରେ ସେନସୋରି ପାର୍କର ଶିଳାନ୍ୟାସ କରିଥିବାବେଳେ ଏହା ସ୍ୱତନ୍ତ୍ର ଭାବେ ଭିନ୍ନକ୍ଷମ ପିଲାଙ୍କ ପାଇଁ ନିର୍ମାଣ କରାଯାଇଛି। ଏଠାରେ ର‍୍ୟାମ୍ପ ସମେତ ସ୍ୟାଣ୍ଡ ପିଟ୍‌, ବ୍ରେଲି ଓ୍ଵାଲ୍‌, ରବର ଚଟାଣ, ସାଉଣ୍ଡ ଓ୍ଵାଲ୍‌, ମାଟି-ଘାସ-ବାଲିଗରଡ଼ାରେ ସ୍ୱତନ୍ତ୍ର ରିଫ୍ଲେକ୍ସୋଲୋଜି ଚଲାପଥ ନିର୍ମାଣ ହେବ। ୦.୪ ଏକରରେ ନିର୍ମାଣ ହେବାକୁ ଥିବା ଏହି ପାର୍କ ପାଇଁ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ ହେବ। ବାପୁଜୀ ନଗରରେ ସମନ୍ଵିତ ଜନସେବା କେନ୍ଦ୍ରର ଶିଳାନ୍ୟାସ ହୋଇଥିବାବେଳେ ଏଠାରେ ସମସ୍ତ ବିଲ୍‌ ପେମେଣ୍ଟ, ଡିସପେନସାରି, କ୍ରେଚ୍‌, ଓ୍ଵାର୍ଡ ଅଫିସ୍‌, ବହୁମୁଖୀ ହଲ୍‌, ପାଠାଗାର, ପଠନ କକ୍ଷ ଓ ଦକ୍ଷତା ବିକାଶ କେନ୍ଦ୍ର ରହିବ। ୦.୩ ଏକର ଜମିରେ ଏହା ନିର୍ମାଣ କରାଯିବ।

ଆଜିର ଉଦ୍‌ଘାଟନୀ ଓ ଶିଳାନ୍ୟାସ କାର୍ଯ୍ୟକ୍ରମରେ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟସାଣୀ, ବିଧାୟକ ବିଜୟ ମହାନ୍ତି, ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାଥନନ୍‌, ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ କ୍ରିଷନ କୁମାର, ସିଇଓ ଭିନିଲ କ୍ରିଷ୍ଣା ଓ ସ୍ଥାନୀୟ କର୍ପୋରେଟର୍‌ମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର