କ୍ୟାପିଟାଲ ହସ୍‌ପିଟାଲରେ ପୁଲିସକୁ ମାଡ଼ ପ୍ରସଙ୍ଗ : ଜଗିଲେ ବନ୍ଧୁକଧାରୀ

ଭୁବନେଶ୍ୱର : ଗତ ୮ ତାରିଖରେ କ୍ୟାପିଟାଲ୍‌ ହସ୍‌ପିଟାଲ ପରିସରରେ ୪ଜଣ ପୁଲିସ କର୍ମଚାରୀଙ୍କୁ ଆକ୍ରମଣ ଘଟଣା ଭିନ୍ନ ମୋଡ଼ ନେଇଛି। ପ୍ରବଳ ଚାପରେ ପୁଲିସ ଆକ୍ରମଣକାରୀ ଆଇନଜୀବୀଙ୍କୁ ବାନ୍ଧି ପାରିନାହିଁ। ଉଭୟଙ୍କ ମଧ୍ୟରେ ଆପୋସ ସମାଧାନ ହୋଇଛି। ତେବେ ଏହି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ହସ୍ପିଟାଲ ପରିସରରେ କମିସନରେଟ୍‌ ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଠାରେ ଗୋଟିଏ ସେକ୍ସନ ଫୋର୍ସ ମୁତୟନ କରାଯାଇଛି। ରାତି ୧୦ରୁ ସକାଳ ପର୍ଯ୍ୟନ୍ତ ଏଠାରେ ବନ୍ଧୁକଧାରୀ ପୁଲିସ ପହରା‌ ଦେଉଛନ୍ତି। କାଜୁଆଲିଟି, ମୁଖ୍ୟ ଫାଟକ ପ୍ରଭୃତି ପ୍ରମୁଖ ଜାଗାରେ ଏହି କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ମଦ୍ୟପ ଓ ଦୁର୍ବ୍ୟବହାର କରୁଥିବା ରୋଗୀ ତଥା ରୋଗୀଙ୍କ ପରିଜନ ଉପରେ ନଜର ରଖାଯାଇଛି।

ସୂଚନାଯୋଗ୍ୟ ଯେ ଗତ ୮ ତାରିଖ ବିଳମ୍ବିତ ରାତିରେ କେତେକ ରୋଗୀଙ୍କ ସହଯୋଗୀ କ୍ୟାପିଟାଲ ହସ୍‌ପିଟାଲରେ ଗଣ୍ଡଗୋଳ କରିଥିଲେ। ସେଠାରେ କାର୍ଯ୍ୟରତ ଫାଣ୍ଡି ପୁଲିସକୁ ମାଡ଼ ମାରିଥିଲେ। ମାଡ଼ ମାରିଥିବା ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ଓକିଲ ଥିଲେ। ମାଡ଼ ମାରିବା ନେଇ କ୍ୟାପିଟାଲ ଥାନାରେ ଏତଲା ହୋଇଥିଲେ ମଧ୍ୟ ପରେ ବୁଝାମଣା ହୋଇଥିଲା। କିନ୍ତୁ ବିଭିନ୍ନ ସମୟରେ ଗଣ୍ଡଗୋଳ ହେବା ସହ ପୁଲିସ ଓ ମେଡିକାଲ କର୍ମଚାରୀଙ୍କୁ ଆକ୍ରମଣ ହେଉଥିବା ନେଇ ଉଦ୍‌ବେଗ ପ୍ରକାଶ ପାଇଥିଲା। ସେଠାରେ ପୁଲିସ ମୁତୟନ ପାଇଁ କମିସନରେଟ୍‌ ପୁଲିସ ପକ୍ଷରୁ ଯୋଜନା ହୋଇଥିଲା।

ସମ୍ବନ୍ଧିତ ଖବର