କ୍ୟାପିଟାଲ୍‌ ଥାନା ଘେରିଲା କଂଗ୍ରେସ: ଟାୟାର ଜାଳି ରାସ୍ତା ଅବରୋଧ

ଭୁବନେଶ୍ବର: ଏକ ମାଡ଼ପିଟ୍‌ ମାମଲାରେ ଗିରଫ ହୋଇଥିବା ଛାତ୍ର କଂଗ୍ରେସ କର୍ମୀଙ୍କୁ ଛାଡ଼ିବା ଦାବିରେ ଆଜି କ୍ୟାପିଟାଲ ଥାନା ନିକଟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ବହୁ ସଂଖ୍ୟାରେ ଯୁବ ଓ ଛାତ୍ର କଂଗ୍ରେସ କର୍ମୀ କ୍ୟାପିଟାଲ୍‌ ଥାନାରେ ପହଞ୍ଚି ଅଟକ ଥିବା ଯୁବକଙ୍କୁ ଛାଡ଼ିବାକୁ ଜିଦ୍‌ ଧରିଥିଲେ। କିନ୍ତୁ ପୁଲିସ ନ ଛାଡ଼ିବାରୁ ସେମାନେ ଥାନା ଘେରାଉ କରିବା ସହ ଟାୟାର ଜାଳି ପାଖାପାଖି ଦୁଇ ଘଣ୍ଟାକାଳ ରାସ୍ତା ଅବରୋଧ କରିଥିଲେ। ବିଳମ୍ବିତ ରାତିରେ ପୁଲିସ୍‌ କିଛି କଂଗ୍ରେସ କର୍ମୀଙ୍କୁ ଡାକି ବୁଝାସୁଝା କରିଥିଲେ ବି ବିକ୍ଷୋଭକାରୀମାନେ ଜିଦ୍‌ରେ ଅଡ଼ି ବସିଛନ୍ତି। ଶେଷ ଖବର ଲେଖା ହେବା ବେଳକୁ ଉତ୍ତେଜନା ଜାରି ରହିଛି।

ସୂଚନା ମୁତାବକ, ଗତ ଜାନୁଆରି ୭ ତାରିଖରେ କେତେକ ଦୁର୍ବୃତ୍ତ କଂଗ୍ରେସ ଭବନରେ ଭଙ୍ଗାରୁଜା ଓ ପୋଡ଼ାଜଳା କରିଥିଲେ। ସେହି ସମୟରେ ସେଠାରେ ଥିବା ଦୁର୍ଗାମାଧବ ମହଲା ନାମକ ଜଣେ ଯୁବକଙ୍କୁ ସେମାନେ ଆକ୍ରମଣ କରି ରକ୍ତାକ୍ତ କରିଥିଲେ। ଏ ସଂପର୍କରେ ଦୁର୍ଗାମାଧବ କ୍ୟାପିଟାଲ ଥା‌ନା‌ରେ ଅଭିଯୋଗ କରିଥିଲେ। ପୋଡ଼ାଜଳା ମାମଲାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଥିବା ବେଳେ ଦୁର୍ଗାଙ୍କୁ ଆକ୍ରମଣ କରିଥିବା ଦୁର୍ବୃତ୍ତ ଧରା ପଡ଼ି ନଥିଲା। ଆକ୍ରମଣକାରୀ ଯୁବକକୁ ପୁଲିସ ଚିହ୍ନଟ କରିଥିଲେ ହେଁ ସେ ଫେରାର୍‌ ଥିଲା। ତେବେ ଆଜି ସେ ୟୁନିଟ୍‌-୧ ମାର୍କେଟ୍‌କୁ ଆସିଥିବା ପୁଲିସ ଜାଣିବାକୁ ପାଇଥିଲା। ତୁରନ୍ତ ପୁଲିସର ଏକ ଟିମ୍‌ ସେଠାରେ ଚଢ଼ଉ କରି ତାକୁ ଗିରଫ କରିଥିଲା। ସେ ଛାତ୍ର କଂଗ୍ରେସର ଜଣେ କର୍ମୀ ହୋଇଥିବାରୁ ତା’ ଗିରଫ ଖବର ଖେଳିଯିବା ପରେ ଛାତ୍ର ଓ ଯୁବ କଂଗ୍ରେସ କର୍ମୀ ଥାନାରେ ପହଞ୍ଚି ତାକୁ ଛାଡ଼ିବାକୁ ଜିଦ୍‌ ଧରିଥିଲେ।

ସମ୍ବନ୍ଧିତ ଖବର