ଧରାପଡ଼ିଲା ମୋଷ୍ଟ ୱାଣ୍ଟେଡ୍‌ ପ୍ରକାଶ

ଚକରା ଗ୍ୟାଙ୍ଗ୍‌ର ଅନ୍ୟତମ ସାରଥୀ, ୨ ଦେଶୀ ବନ୍ଧୁକ, ଗୁଳି ଏବଂ ୪ ସୁନା ମୁଦି ଜବତ

ଭୁବନେଶ୍ବର: କୁଖ୍ୟାତ ଚକରା ଗ୍ୟାଙ୍ଗ୍‌ର ଅନ୍ୟତମ ସାରଥୀ ଦୁର୍ଦ୍ଦାନ୍ତ ପ୍ରକାଶ ନାଏକ(୨୭)ର ପୁଲିସ ସହ ଲୁଚକାଳି ସରିଛି। ଲୁଟ୍‌ପାଟ୍‌, ଡକାୟତି, ଛିନ୍‌ତାଇ ଭଳି ଅପରାଧ ଘଟାଇ କମିସନରେଟ୍‌ ପୁଲିସର ନିଦ ହଜାଇଦେଇଥିବା ଖୋର୍ଦ୍ଧା ବେଗୁନିଆ ଥାନା ବଡ଼ନୂଆପଲ୍ଲୀର ଏହି କୁଖ୍ୟାତ ଅପରାଧୀକୁ ଗତକାଲି ରାତିରେ ଖୋର୍ଦ୍ଧାରୁ ଗିରଫ କରାଯାଇଛି। ତା’ଠାରୁ ଦୁଇଟି ଦେଶୀ ବନ୍ଧୁକ, ଗୋଟିଏ ଗୁଳି, ୪ଟି ସୁନା ମୁଦି ଓ ବାଇକ୍‌ ଜବତ କରାଯାଇଛି। ଏନେଇ ଆଜି ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ପ୍ରକାଶ ନାଁରେ ୨୨ରୁ ଅଧିକ ସଂଗିନ୍‌ ମାମଲା ରହିଛି। ତା’ର ଆଉ ଦୁଇ ସହଯୋଗୀ ଫେରାର୍ ଅଛନ୍ତି। ସେମାନଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଛି। ପ୍ରକାଶକୁ ରିମାଣ୍ଡରେ ଆଣି ପଚରା ଉଚରା କରାଯାଇପାରେ ବୋଲି ସେ କହିଛନ୍ତି।

ଗତ ମେ ମାସ ୧୧ ତାରିଖରେ ଚକରା ଓ ପ୍ରକାଶ ସେମାନଙ୍କ ଗ୍ୟାଙ୍ଗ୍‌ ସହ ବରମୁଣ୍ଡା ଖେଳ ପଡ଼ିଆରେ ଏକାଠି ହୋଇଥିଲେ। ଖୋର୍ଦ୍ଧାରେ ଏକ ବଡ଼ଧରଣର ଡକାୟତି କରିବା ପାଇଁ ସେମାନେ ଯୋଜନା କରୁଥିଲେ। କୌଣସି ସୂତ୍ରରୁ ଖବର ପାଇ ସ୍ପେସାଲ୍‌ ସ୍କ୍ବାଡ୍‌ ଓ ଖଣ୍ଡଗିରି ଥାନା ପୁଲିସ ମିଳିତ ଭାବେ ଚଢ଼ଉ କରିଥିଲେ। ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲା ଓ ଚକରା ପୁଲିସ ଗୁଳିମାଡ଼ରେ ଘାଇଲା ହୋଇ ଧରାପଡ଼ିଯାଇଥିଲା। କିନ୍ତୁ ଦୁର୍ଦ୍ଦାନ୍ତ ପ୍ରକାଶ ବୋମାମାଡ଼ କରି ଖସି ପଳାଇଥିଲା। ସେହିଦିନଠାରୁ ପ୍ରକାଶ ଥିଲା ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ୍‌। ଚକରାକୁ ପୁଲିସ ଜେଲ୍‌ରେ ପୂରାଇଥିଲେ ବି ପ୍ରକାଶ ଚକରା ଗ୍ୟାଙ୍ଗ୍‌ର ଅନ୍ୟମାନଙ୍କୁ ଧରି ଅପରାଧ ସାମ୍ରାଜ୍ୟ ଚଳାଇଥିଲା। ଗତ କିଛି ଦିନ ହେଲା ସେ ଖୋର୍ଦ୍ଧାରେ ଡେରା ପକାଇଥିବା ଜଣାପଡ଼ିଥିଲା। ଜଣେ ବିବାହିତା ମହିଳାଙ୍କ ସହ ସେ ଖୋର୍ଦ୍ଧାରେ ଭଡ଼ା ଘରେ ରହୁଥିଲା। ତେଣୁ ସ୍ପେସାଲ୍‌ ସ୍କ୍ବାଡ୍‌ ଗତକାଲି ବିଳମ୍ବିତ ରାତିରେ ସେହି ଭଡ଼ା ଘରେ ଚଢ଼ଉ କରିଥିଲା। ପ୍ରକାଶ ବନ୍ଧୁକ ବାହାର କରିବାକୁ ଉଦ୍ୟତ ହେବା ବେଳକୁ ତାକୁ ପୁଲିସ ଟିମ୍‌ ଘେରି ସାରିଥିଲା।

ସୁପାରି ନେଇ ବିଜେଡି ନେତାଙ୍କୁ ହତ୍ୟା କରିଥିଲା

ଡିସିପି ଶ୍ରୀ ସିଂ କହିଛନ୍ତି ଯେ ଢ଼େଙ୍କାନାଳ କାମାକ୍ଷାନଗର ଅଞ୍ଚଳର ବିଜେଡି ନେତା ଯଶୋବନ୍ତ ପରିଡ଼ାଙ୍କୁ ହତ୍ୟା କରିବା ପାଇଁ ରବି ରାଓ ଓ ପ୍ରକାଶ ସୁପାରି ନେଇଥିଲେ। ଅବଶ୍ୟ ସେମାନେ ହତ୍ୟାକାଣ୍ଡ ଭିଆଇବା ପରେ ଗିରଫ ହୋଇଥିଲେ। କିନ୍ତୁ ପ୍ରକାଶ ପାରୋଲ‌୍‌ରେ ଆସିଥିଲା ଓ ଚକରା ଗ୍ୟାଙ୍ଗ୍‌ର ମଙ୍ଗୁଆଳ ସାଜିଥିଲା। ଚକରା ଗ୍ୟାଙ୍ଗ୍‌ ସହ ମିଶିବା ପରେ ପ୍ରକାଶ ତା’ର ନୂଆ ଇନିଂସ୍‌ରେ ଗହଣା ଦୋକାନସବୁକୁ ଟାର୍ଗେଟ୍‌ କରିଥିଲା। ୨୦୨୧ ଡିସେମ୍ବର ୩୧ ତାରିଖରେ ନୟାଗଡ଼ ରଣପୁରରେ ଏକ ସୁନା ଦୋକାନରେ ବୋମାମାଡ଼ କରି ଲୁଟ୍‌ କରିବାରେ ସଫଳ ହୋଇଥିଲା। ଏହା ପରେ ସେ ରାଜଧାନୀ ମୁହାଁ ହୋଇଥିଲା।

ମାର୍ଚ୍ଚରେ ଯାଁଳା ବଜାର ସାଗରିକା ଜୁଏଲର୍ସରେ ଗୁଳି ମାଡ଼ କରି ଲୁଟ୍ କରିବା ପରେ ସୌଭାଗ୍ୟନଗର ଓଁ ଲକ୍ଷ୍ମୀନାରାୟଣ ଜୁଏଲର୍ସର ମାଲିକଙ୍କୁ ଖଣ୍ଡାରେ ଆକ୍ରମଣ କରି ଲୁଟ୍ କରିଥିଲା। ପୁଣି ମେ’ ମାସରେ ଯାଁଳା ବଜାର ସ୍ବାତୀ ଜୁଏଲର୍ସ ମାଲିକଙ୍କ ପୁଅକୁ ଗୁଳି କରି ଲୁଟ୍‌ ଉଦ୍ୟମ କରିଥି‌ଲା। ସେହିଭଳି ଲିଙ୍ଗରାଜ ଥାନା ସାମନ୍ତରାପୁର ବଜାରସ୍ଥିତ ଦୁର୍ଗାଦେବୀ ଜୁଏଲ‌ର୍ସ ମାଲିକ ଓ କାରିଗରଙ୍କୁ ଗୁଳିମାଡ଼ କରି ଲୁଟ୍ ଉଦ୍ୟମ କରିଥିଲା। ତେବେ ଚକରା ଏନ୍‌କାଉଣ୍ଟର ପରେ ସେ ଆଉ ଗହଣା ଦୋକାନକୁ ଟାର୍ଗେଟ୍‌ ନକରି ଚୋରି ଓ ଛିନ୍‌ତାଇ କରୁଥିଲା। ନୟାଗଡ଼ରୁ ଦେଶୀ ବନ୍ଧୁକ ଆଣି ସେ ବେପାର କରୁଥିଲା। ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳରେ ବନ୍ଧୁକ ତିଆରି ହେଉଛି ବୋଲି ସେ ପୁଲିସକୁ କହିଛି। ତେଣୁ ବନ୍ଧୁକ ରୢାକେଟ୍‌ର ଗୁମର ଖୋଲିବାକୁ କମିସନରେଟ୍‌ ପୁଲିସ ଲାଗିପଡ଼ିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର