କାର୍‌ ଧକ୍କାରେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ

ଚିକିତ୍ସା ବେଳେ ଆହତ ଡ୍ରାଇଭର୍‌ ଫେରାର

ପୁରୁଣା ଭୁବନେଶ୍ୱର: ଏୟାରଫିଲ୍‌ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗି ମୁଖ୍ୟ ରାସ୍ତାରେ ଏକ କାର୍‌ ଧକ୍କାରେ ଜଣେ ସରକାରୀ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ହେଲେ ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ କପିଳେଶ୍ୱର କୈବର୍ତ୍ତସାହିର ଲକ୍ଷ୍ମୀଧର ମଲିଆ(୫୨)। ତେବେ ଆହତ ଡ୍ରାଇଭର୍‌ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ବେଳେ ଫେରାର ହୋଇଯାଇଛି। ପୁଲିସ ଏନେଇ ଏକ ମାମଲା ରୁଜୁକରି ଘଟଣାର ଅନୁସନ୍ଧାନ ଚଳାଇଛି। ଲକ୍ଷ୍ମୀଧର ଥିଲେ ଜଣେ ସରକାରୀ ଚାକିରିଆ। ପ୍ରତିଦିନ ପରି ଆଜି ବି ସେ ମର୍ଣ୍ଣି ୱାକ୍‌ କରିବାକୁ ଯାଇଥିଲେ। ତେବେ ଆଜି ଭୋର ପ୍ରାୟ ୫ଟାବେଳେ ପୁନାମା ଗେଟ୍‌ ଛକ ଆଡ଼ୁ ଏକ କାର୍‌(ଓଆର୍‌-୦୨ଏଇୟୁ-୫୫୫୫) ଭୀମଟାଙ୍ଗି ଆଡ଼କୁ ମୁଖ୍ୟ ରାସ୍ତାରେ ଯାଉଥିବାବେଳେ ସେଠାରେ ଥିବା ହନୁମାନ ମନ୍ଦିର ସମ୍ମୁଖରେ ଡ୍ରାଇଭର୍‌ ଜଣକ ଭାରସାମ୍ୟ ହରାଇ ଏକ ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇଥିଲା। ଫଳରେ ଖୁଣ୍ଟଟି ସମ୍ପୂର୍ଣ୍ଣ ବଙ୍କା ହୋଇଯିବା ସହ କାର୍‌ଟି ଓଲଟି ପଡ଼ିଥିଲା। ଏହି ସମୟରେ ମର୍ଣ୍ଣିଂଓ୍ଵାକ୍‌ ସାରି ଫେରୁଥିବା ଲକ୍ଷ୍ମୀଧର କାର୍‌ ତଳେ ଚାପି ହୋଇଯିବାରୁ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏଥିରେ କାର୍‌ ଚାଳକ ଜଣକ ମଧ୍ୟ ଆହତ ହୋଇଥିଲେ। ଖବରପାଇ ପୁଲିସ ଲକ୍ଷ୍ମୀଧରଙ୍କ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଡ୍ରାଇଭରକୁ ଚିକିତ୍ସା ପାଇଁ ହସ୍ପିଟାଲ ପଠାଇଥିଲା।

ହସ୍ପିଟାଲରୁ ଫେରାର ହୋଇଗଲେ ଡ୍ରାଇଭର
ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଆଜି ହସ୍ପିଟାଲରୁ ଚମ୍ପଟ ମାରିବା ଘଟଣା ରାଜଧାନୀରେ ଚର୍ଚାର ବିଷୟ ପାଲଟିଛି। ଘଟଣାସ୍ଥଳରେ କାର୍‌ଟି ଓଲଟିବା ପରେ ଲକ୍ଷ୍ମୀଧର କାର୍‌ ତଳେ ଚାପି ହୋଇ ଯାଇଥିଲେ। ତେବେ ସେଠାରେ ଲୋକଙ୍କ ରୋଷରୁ ବର୍ତିବା ପାଇଁ କାର୍‌ ଚାଳକ ଆହତ ହୋଇଥିଲେ ମଧ୍ୟ ବେହୋସ୍‌ ହେବାର ଅଭିନୟ କରିଥିଲେ। ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତି କରାଯିବା ପରେ ସେଠାରୁ ସେ କୌଶଳକ୍ରମେ ଫେରାର ହୋଇ ଯାଇଥିଲେ। ଯାହା ପୁଲିସ ପାଇଁ ଏବେ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। କାର୍‌ଟିର ମାଲିକ ଗୋଲକ ନାୟକ ଭୀମଟାଙ୍ଗି ଅଞ୍ଚଳରେ ରହୁଥିବା ବେଳେ ପୁଲିସ ତାଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି।

ସମ୍ବନ୍ଧିତ ଖବର