ଭୁବନେଶ୍ବର: କାର୍ ଧକ୍କାରେ ପଥରବନ୍ଧ ବସ୍ତିର ନାବାଳକ କୁଳମଣି ମହନ୍ତ(୧୨)ଙ୍କ ମୃତ୍ୟୁ ଆଜି ବିସ୍ଫୋରକ ମୋଡ଼ ନେଇଥିଲା। ମୃତକଙ୍କ ପରିବାରକୁ ୧୫ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଚାଳକକୁ ଗିରଫ ଦାବିରେ ଶତାଧିକ ବସ୍ତିବାସିନ୍ଦା ଆଜି ସକାଳେ ସହିଦନଗର ଥାନା ଭିତରକୁ ଧସେଇ ପଶିଥିଲେ। ଏହାକୁ ନେଇ ସେଠାରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏସିପି କିଶୋର ଚନ୍ଦ୍ର ମୁଣ୍ଡ ଓ ଆଇଆଇସି ପଦ୍ମନାଭ ପ୍ରଧାନ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବାରୁ ପାଖାପାଖି ୨ ଘଣ୍ଟା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ଅପରପକ୍ଷେ ଗତକାଲିର ଘଟଣାରେ ପୁଲିସ ଏକ ମାମଲା ରୁଜୁ କରି ଜଣଙ୍କୁ ଅଟକ ରଖିଛି। ବୁଧବାର ଅପରାହ୍ଣ ପ୍ରାୟ ସାଢ଼େ ୫ଟାରେ ଉତ୍କଳ ବିଶ୍ବବିଦ୍ୟାଳୟ ହଷ୍ଟେଲ୍ ନଂ-୪ ପଡ଼ିଆରେ କୁଳମଣି କ୍ରିକେଟ୍ ଖେଳୁଥିଲେ। ଏହି ସମୟରେ ହଷ୍ଟେଲ୍ର ଜଣେ କର୍ମଚାରୀ(ଶିବ) ଓ ତାଙ୍କର ସହଯୋଗୀ ଏକ ଇନୋଭା କାର୍ ନେଇ ପଡ଼ିଆକୁ ବାହାରିଥିଲେ। ସେଠାରେ କାର୍ ଚଳାଇବା ଶିଖୁଥିଲେ। ସେତିକିବେଳେ ଚାଳକ ନିୟନ୍ତ୍ରଣ ହରାଇ କୁଳମଣିଙ୍କ ଉପରେ ଚଢ଼ି ଯାଇଥିଲା। ପରେ ଉଭୟ ଚାଳକ ଓ ଶିବ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ପରେ ସେଠାରୁ କଳିଙ୍ଗ ହସ୍ପିଟାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ତେବେ ହସ୍ପିଟାଲ କର୍ତୃପକ୍ଷଙ୍କ ଯୋଗୁଁ କୁଳମଣିଙ୍କ ମୃତ୍ୟୁ ଘଟିଥିବା ନେଇ ପରିବାରଲୋକ ଅଭିଯୋଗ ଆଣିବାରୁ ସେଠାରେ ମଧ୍ୟ ଉତ୍ତେଜନା ଦେଖା ଦେଇଥିଲା।
କାର୍ ଧକ୍କାରେ ନାବାଳକଙ୍କ ମୃତ୍ୟୁ ଘଟଣା, ଥାନା ଘେରିଲେ ଉତ୍ତ୍ୟକ୍ତ ବସ୍ତିବାସିନ୍ଦା
/sambad/media/post_attachments/wp-content/uploads/2019/01/Untitled-17-7.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)