ପିପିଲି: ଭୁବନେଶ୍ବର-ପୁରୀ ଜାତୀୟ ରାଜପଥ ଭୋଗୁଅବାଙ୍କ ବରାଗଡ଼ ନିକଟରେ ଏକ କାର୍ ବିପରୀତ ଦିଗରୁ ଆସୁଥିବା ଅଟୋକୁ ଧକ୍କା ଦେଇ ଓଲଟି ପଡ଼ିବାରୁ କାର୍ରେ ଥିବା ଜଣେ ଯୁବକଙ୍କର ମୃତ୍ୟୁ ହୋଇଯାଇଛି। ଅନ୍ୟ ୪ଜଣ ଗୁରୁତର ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଭୁବନେଶ୍ବର ଲକ୍ଷ୍ମୀସାଗର ଅଞ୍ଚଳରୁ ଏକ କାର୍ ଦ୍ରୁତ ଗତିରେ ପୁରୀ ଅଭିମୁଖେ ଯାଉଥିବାବେଳେ ଅପରାହ୍ଣ ପ୍ରାୟ ସାଢ଼େ ୨ଟାରେ ବରାଗଡ଼ ନିକଟରେ ଭାରସାମ୍ୟ ହରାଇ ମେଡିଆନ୍ରେ ଚଢ଼ିଯିବା ସହ ବିପରୀତ ଦିଗରୁ ଆସୁଥିବା ଏକ ଚୁଡ଼ା ବୋଝେଇ ଅଟୋ ସହ ଧକ୍କା ହୋଇ ଓଲଟି ପଡ଼ିଥିଲା।
ଫଳରେ କାର୍ ମଧ୍ୟରେ ଥିବା ଲକ୍ଷ୍ମୀସାଗର ଅଞ୍ଚଳର କବୀର ସାହୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। କାର୍ର ଅନ୍ୟ ଯାତ୍ରୀ ଲକ୍ଷ୍ମୀସାଗର ଅଞ୍ଚଳର ରାକେଶ କୁମାର ବେଉରା, ସମ୍ବିତ ପରିଡ଼ା ଓ ଖଣ୍ତପଡ଼ା ଅଞ୍ଚଳର ଦିଲୀପ ରାଉତ ଗୁରୁତର ଆହତ ହୋଇ ପ୍ରଥମେ ପିପିଲି ହସ୍ପିଟାଲ ଓ ପରେ କ୍ୟାପିଟାଲ୍ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ। ତେବେ ସମ୍ବିତଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏମାନେ ଏକ ଏକ କୁକୁର କିଣିବାକୁ ପୁରୀ ଯାଉଥିଲେ ବୋଲି ଆହତ ଦିଲୀପ ସୂଚନା ଦେଇଛନ୍ତି। ସେହିପରି ଅଟୋ ଚାଳକ ଚନ୍ଦନପୁର ଅଞ୍ଚଳର ସର୍ବେଶ୍ବର ବେହେରା(୩୪)ଙ୍କ ମୁଣ୍ତରେ ଗୁରୁତର ଆଘାତ ଲାଗିଛି। ତାଙ୍କୁ ପ୍ରଥମେ ମଙ୍ଗଳପୁର ସରକାରୀ ହସ୍ପିଟାଲ ଓ ପରେ କ୍ୟାପିଟାଲ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପିପିଲି ପୁଲିସ ଦୁର୍ଘଟଣାଗ୍ରସ୍ଥ ଗାଡ଼ି ଦୁଇଟିକୁ ଜବତ କରି ଏକ ମାମଲା ରୁଜୁ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/56f4h56fs456h4f5s6hfshfshhhfs.jpg)