ଭୁବନେଶ୍ବର: ସୋମବାର ବିଳମ୍ବିତ ରାତିରେ ପୁରୀ ଜାତୀୟ ରାଜପଥରେ ଟଙ୍କପାଣି ଛକ ସାଇମନ୍ଦିର ନିକଟରେ ଘଟିଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଏକ ବାଇକ୍ରେ ଥିବା ୩ଜଣଙ୍କ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବାଣପୁର ଅଞ୍ଚଳର ଅରକ୍ଷିତ ବେହେରା(୧୮), ଲକ୍ଷ୍ମୀସାଗର ହଳଦୀପଡ଼ିଆ ବସ୍ତିର ଶୁଭମ ମହାନ୍ତି ଓରଫ ଶିବୁ(୧୫) ଓ ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଅଞ୍ଚଳର କାହ୍ନା ଖୁଣ୍ଟିଆ(୧୮)। ଏମାନେ ସମସ୍ତେ ଲକ୍ଷ୍ମୀସାଗର ଥାନା ହଳଦୀପଡ଼ିଆ ବସ୍ତିରେ ରହୁଥିଲେ। ଏକ କାର୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଏହି ଭୟଙ୍କର ଦୁର୍ଘଟଣା ହୋଇଥିଲା।
କିଛି ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ମୁତାବକ ରାତି ପାଖାପାଖି ୨ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା। ରସୁଲଗଡ଼ ପଟୁ ବାଇକ୍ରେ ୩ଯୁବକ ଟଙ୍କପାଣି ଛକ ଦିଗରେ ଯାଉଥିଲେ। ସେମାନେ ରଙ୍ଗ୍ ରୁଟ୍ରେ ଯାଉଥିବାରୁ ରାସ୍ତା କଡ଼େକଡ଼େ ଯାଉଥିଲେ। ପୁରୀ ପଟୁ ଠିକ୍ ପାର୍ଶ୍ବରେ ଟାଟା ହାରିୟର୍ଟି ବେଶ୍ ଦ୍ରୁତବେଗରେ ଆସୁଥିଲା। କାର୍ର ବେଗ ୧୦୦ କିମି/ଘଣ୍ଟାରୁ ଅଧିକ ଥିଲା। କୌଣସି କାରଣରୁ ବିନାୟକ ଜେସିବି ସୋ ରୁମ୍ ନିକଟରେ ବାଇକ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ଲାଗିଥିଲା। ଧକ୍କାରେ ବାଇକ୍ଟି ପ୍ରାୟ ୧୦/୧୨ ଫୁଟ୍ ଉପରକୁ ଉଡ଼ିଯାଇଥିଲା ଏବଂ ୫୦ ଫୁଟ୍ ଦୂରକୁ ଯାଇ ତଳେ ପଡ଼ିଥିଲା। ବାଇକ୍ରେ ଥିବା ତିନିଜଣ ଯାକ ଏଣେତେଣେ ବିଛାଡ଼ି ହୋଇ ପଡ଼ିଥିଲେ। ପ୍ରଚଣ୍ଡ ଶବ୍ଦ ଶୁଣି ପାଖ ଦୋକାନୀମାନେ ଧାଇଁ ଆସିଥିଲେ। ସେତେବେଳକୁ କାର୍ ଛାଡ଼ି ଚାଳକ ଅନ୍ତର୍ଦ୍ଧାନ ହୋଇ ଯାଇଥିଲା।
ଲୋକମାନେ ଚୁର୍ମାର ହୋଇଯାଇଥିବା ବାଇକ୍ ପାଖକୁ ଯାଇ ସେଥିରେ ଥିବା ଯୁବକମାନଙ୍କୁ ଖୋଜାଖୋଜି କରିଥିଲେ। ସେମାନଙ୍କୁ ବାଇକ୍ ନିକଟରୁ ପ୍ରାୟ ୨୦/୩୦ ଫୁଟ୍ ଦୂରରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଘଟଣାସ୍ଥଳରେ ହିଁ ସେମାନଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଖବର ପାଇ ବଡ଼ଗଡ଼ ଥାନା ପୁଲିସ ପହଞ୍ଚି ସେମାନଙ୍କୁ କ୍ୟାପିଟାଲ୍ ହସ୍ପିଟାଲ୍ ନେଇଥିଲା। ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଆଜି ବ୍ୟବଚ୍ଛେଦ ପରେ ପୁଲିସ ମୃତଦେହଗୁଡ଼ିକୁ ସେମାନଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ତିନିଜଣ ଯାକ ଶ୍ରମିକ ଭାବେ କାମ କରୁଥିଲେ ଏବଂ ଗତକାଲି ରାତିରେ କାମ ସାରି ହୋଟେଲ୍ରେ ଖାଇବେ ବୋଲି ଯାଉଥିଲେ। କାର୍ ଚାଳକ ପାରାଦ୍ବୀପ ଅଞ୍ଚଳର ସତ୍ୟପ୍ରକାଶ କର(୨୭)କୁ ବଡ଼ଗଡ଼ ଥାନା ପୁଲିସ ଗିରଫ କରିଛି।