ସୋଡ଼ା ଗାଡ଼ି ଜଳିଗଲା, ଅଳ୍ପକେ ବର୍ତ୍ତିଲେ ଚାଳକ

ଭୁବନେଶ୍ୱର : ଆଜି ଅପରାହ୍ନ ସମୟରେ ରସୁଲଗଡ଼ ଅଞ୍ଚଳରେ ଏକ ଭୟାବହ ଅଗ୍ନିକାଣ୍ଡ ଯୋଗୁଁ ଗୋଟିଏ ବସ୍ତି ପୋଡ଼ି ପାଉଁଶ ହୋଇ ଯାଇଥିବା ବେଳେ ରାତିରେ ୟୁନିଟ୍‌-୩ ସ୍ଥିତ ପ୍ରଦର୍ଶନୀ ପଡ଼ିଆ ନିକଟରେ ଏକ ଚଳନ୍ତା ସୋଡ଼ା ଗାଡ଼ିରେ ଅଗ୍ନିକାଣ୍ଡ ଘଟି କାର୍‌ଟି ସମ୍ପୂର୍ଣ୍ଣ ଜଳି ଯାଇଛି। ହେଲେ କାର୍‌ ଚାଳକ ଜଣଙ୍କ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ରାତି ପ୍ରାୟ ସାଢ଼େ ୮ଟା ସମୟରେ ଚାଳକ ଜଣଙ୍କ ପ୍ରଦର୍ଶନୀ ପଡ଼ିଆରୁ ଘରକୁ ଫେରୁଥିଲେ। ସେଠାରୁ କିଛିବାଟ ଯାଇଥିବା ବେଳେ ହଠାତ୍‌ ଗାଡ଼ି ପଛପଟୁ ପ୍ରଚୁର ଧୂଆଁ ବାହାରିଥିଲା। ବାଟରେ ଯାଉଥିବା ଲୋକମାନେ ପାଟି କରିବାରୁ ଚାଳକ ଜଣଙ୍କ ଗାଡ଼ିକୁ ରାସ୍ତା କଡ଼ରେ ଛାଡ଼ି ଡେଇଁ ପଡ଼ିଥିଲେ। କିଛି କ୍ଷଣ ମଧ୍ୟରେ ଗାଡ଼ିଟି ଜଳିବାକୁ ଲାଗିଥିଲା। ଫଳରେ ସେଠାରେ କିିଛି ସମୟ ପାଇଁ ଯାତାୟାତ ଠପ୍‌ ହୋଇଯାଇଥିଲା। ଲୋକମାନେ ତୁରନ୍ତ ଅଗ୍ନିଶମ ବିଭାଗକୁ ଫୋନ୍‌ କରି ଘଟଣା ବିଷୟରେ ଜଣାଇଥିଲେ। ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପରେ ଯାତାୟତ ସ୍ୱାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର