ଫୁଟ୍‌ପାଥ୍‌ରେ ଚଢ଼ିଗଲା କାର୍‌ : ବୃଦ୍ଧା ଗୁରୁତର, ବର୍ତିଗଲେ ୩

ଭୁବନେଶ୍ୱର : ନାଲ୍‌କୋ ଛକରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ଘଟଣା ଲୋକଙ୍କ ମନରୁ ନ ଲିଭିନାହିଁ। କିନ୍ତୁ ଆଜି ପୁଣି ରାଜଧାନୀରେ ଘଟିଛି ଆଉ ଏକ ଭୟଙ୍କର ଦୁର୍ଘଟଣା। ରାତି ପ୍ରାୟ ୯ଟା ବେଳେ ୟୁନିଟ୍-୬ କାଳୀମନ୍ଦିର ନିକଟରେ ଏକ ଦ୍ରୁତଗାମୀ କାର୍‌ ଫୁଟ୍‌ପାଥରେ ଚଢ଼ି ଯିବାରୁ ଏହି ଦୁର୍ଘଟଣା ଘଟିଛି। ଏଥିରେ ଜଣେ ବୃଦ୍ଧା ଗୁରୁତର ଆହତ ହୋଇଥିବା ବେଳେ ସୌଭାଗ୍ୟକୁ ଅନ୍ୟ ୩ଜଣ ଅଳ୍ପକେ ବର୍ତି ଯାଇଛନ୍ତି। ଆହତ ବୃଦ୍ଧା ଏନ୍‌ କାନ୍ତାମା ବୋଲି ଜଣାପଡ଼ିଛି। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନାନୁସାରେ, ଏନ୍ କାନ୍ତାମା ରାସ୍ତା ପାର୍‌ ହେଉଥିଲେ। ଏତିକିବେଳେ ଏକ କାର୍‌ (ଓଆର୦୨ଆର୍ ୩୯୫୨) ଦ୍ରୁତ ଗତିରେ ଆସି ତାଙ୍କୁ ଧକ୍କା ଦେଲା। ପରେ ଭାରସାମ୍ୟ ହରାଇ କାର୍‌ଟି ଫୁଟ୍‌ପାଥ ଉପରକୁ ଚଢ଼ି ଯାଇଥିଲା। ସେତିକିବେଳେ ଫୁଟ୍‌ପାଥରେ ବସିଥିବା ୩ ଜଣ ଦୌଡ଼ି ପଳାଇବାରୁ ବର୍ତ୍ତି ଯାଇଥିଲେ। କିନ୍ତୁ କାର୍‌ ଧକ୍କାରେ କାନ୍ତାମାଙ୍କ ଗୋଡ଼, ଅଣ୍ଟା ସହ ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିଲା। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ଓ ଲୋକମାନେ କାର୍ ଚାଳକଙ୍କୁ କାବୁ କରି ନେଇଥିଲେ। ଖବର ପାଇ କ୍ୟାପିଟାଲ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି କାର୍ ଜବତ କରିବା ସହ ଚାଳକଙ୍କୁ ଧରି ଥାନାକୁ ଆଣିଥିଲା।

ଟ୍ରକ୍‌ ଚାପାରେ ବିଏମ୍‌ସି କର୍ମଚାରୀ ଗୁରୁତର
ଭୁବନେଶ୍ୱର : ଆଇଗିଣିଆ ଫ୍ଲାଏଓଭର୍‌ ଉପରେ ଆଜି ସଂଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଜଣେ ବିଏମ୍‌ସି କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ସେ ହେଲେ, ଖୋର୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳର ସରସ୍ବତୀ ସାହୁ। ସେ ଭୁବନେଶ୍ୱର ମହାନଗର ନିଗମର ସାଉଥ ୱେଷ୍ଟ ଜୋନ୍‌ ଅଫିସରେ କମ୍ୟୁନିଟି ଅର୍ଗାନାଇଜର୍‌ ଭାବେ କାମ କରନ୍ତି। ଗୁରୁତର ଅବସ୍ଥାରେ ପ୍ରଥମେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲ ଓ ପରେ କଟକ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଅଛି। ଖଣ୍ଡଗିରି ପୁଲିସ ଦୁର୍ଘଟଣାଗ୍ରସ୍ତ ଟ୍ରକ୍ ଓ ସ୍କୁଟିକୁ ମଧ୍ୟ ଜବତ କରି ତଦନ୍ତ ଚଳାଇଛି। ତେବେ ଦୁର୍ଘଟଣା ପରେ ଟ୍ରକ୍ ଛାଡି ଡ୍ରାଇଭର ଫେରାର୍‌ ହୋଇଯାଇଥିବା ଜଣାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଅଫିସ ସାରି ସରସ୍ୱତୀ ତାଙ୍କ ସ୍କୁଟି (ଓଡ଼ି୦୨-ବିଭି-୭୫୭୨) ଯୋଗେ ଘରକୁ ଫେରୁଥିଲେ। ଆଇଗିଣିଆ ଛକ ଫ୍ଲାଏଓଭର ଉପରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍ ତାଙ୍କୁ ଧକ୍କା ଦେଇଥିଲା। ସେ ପଡ଼ିଯିବା ପରେ ସ୍କୁଟି ଓ ତାଙ୍କ ଉପରେ ଟ୍ରକ୍‌ଟି ଚଢ଼ି ଯାଇଥିଲା ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା।

ସମ୍ବନ୍ଧିତ ଖବର