କାର୍ ଚାଳକଙ୍କ ସନ୍ଦେହଜନକ ମୃତ୍ୟୁ : ରାତିରେ ନିଖୋଜ, ସକାଳେ ମିଳିଲା ମୃତଦେହ

ସାଇଣ୍ଟିଫିକ୍ ଟିମ୍‌ର ତଦନ୍ତ, ଅପମୃତ୍ୟୁ ମାମଲା ରୁଜୁ

ଚନ୍ଦ୍ରଶେଖରପୁର : ଚନ୍ଦ୍ରଶେଖରପୁର ଥାନା ଅଧୀନ ଶ୍ରୀବିହାର ବର୍ଷା ଭିଲ୍ଲା ନିକଟରେ ଆଜି ସକାଳେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ। ଚନ୍ଦ୍ରଶେଖରପୁର ପୁଲିସ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍‌କୁ ପଠାଇଛି। ମୃତ ଯୁବକ ହେଲେ ପୁରୀ ଜିଲ୍ଲା ବ୍ରହ୍ମଗୀତିର ସୁନୀଲ ସେଠୀ(୨୫)। ସେ ପୁରୀ ସମୁଦ୍ର କୂଳରେ ଥିବା ଟ୍ରାଭେଲ୍‌ ଏଜେନ୍ସିରେ କାର୍ ଚାଳକ ଭାବେ କାର୍ଯ୍ୟ କରୁଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ପୁରୀରୁ ଯାତ୍ରୀ ଆଣି ପଟିଆ ଶ୍ରୀବିହାର ଆସିବା ପରେ ତାଙ୍କର କିପରି ମୃତ୍ୟୁ ହେଲା ସେ ନେଇ ଚନ୍ଦ୍ରଶେଖରପୁର ଥାନା ପୁଲିସ୍ ତଦନ୍ତ କରୁଛି। ସୁନୀଲଙ୍କ ପରିବାର ଲୋକ ମଧ୍ୟ ମୃତ୍ୟୁକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି। ପାରିପାର୍ଶ୍ବିକ ପରିସ୍ଥିତିରୁ ଏହା ଏକ ହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଛି। ଏନେଇ ସାଇଣ୍ଟିଫିକ୍ ଦଳ ଘଟଣାସ୍ଥଳର ତଦନ୍ତ କରିବା ସହ ସୁନୀଲଙ୍କ ପକେଟ୍‌ରୁ ମିଳିଥିବା ମୋବାଇଲ୍‌ର କଲ୍ ରେକର୍ଡ ଯାଞ୍ଚ କରିବା ସହ ପୁରୀ ଗୁଡୁ ଟ୍ରାଭେଲ୍ସ ସଂସ୍ଥା ସହ ଆଲୋଚନା କରୁଛି। ଏନେଇ ପୁଲିସ୍ ଏକ ଅପମୃତ୍ୟୁ ମାମଲା ରୁଜୁ କରି ପଟିଆ ବର୍ଷା ଭିଲ୍ଲା ଅଞ୍ଚଳକୁ ଭଡ଼ାରେ ଗାଡ଼ି ମଗାଇଥିବା ଏସ୍.ଏ ଖାନ୍‌ଙ୍କୁ ଥାନାକୁ ଡକାଇ ପଚରାଉଚରା କରିଛି।

ଘଟଣା ଅନୁଯାୟୀ ଗତକାଲି ଏସ୍.ଏ ଖାନ୍ ସମୁଦ୍ର କୂଳ ଥାନା ଅଞ୍ଚଳରୁ ଏକ କାର୍ ବୁକ୍ କରି ବାପା ଏମ୍.ଏ ଖାନ୍ ଓ ଭଉଣୀଙ୍କୁ ନିଜେ ରହୁଥିବା ପଟିଆ ଶ୍ରୀ ବିହାର ଘରକୁ ଆଣିଥିଲେ। ସଂଧ୍ୟାରେ ସେମାନେ ଶ୍ରୀବିହାର ଆସି ପହଞ୍ଚିଥିଲେ। ସେଠାରେ କିଛି ସମୟ ବିଶ୍ରାମ ନେଇ ପୁଣି କଟକ ଯାଇଥାନ୍ତେ। ସୁନୀଲ୍ ଫାଟaକ ନିକଟରେ ଗାଡ଼ି ରଖି କେଉଁଆଡ଼େ ପଳାଇଥିଲେ। ଶ୍ରୀ ଖାନ୍ କଟକ ଯିବାପାଇଁ ବାହାରିଲା ବେଳକୁ ଗାଡ଼ି ଚାଳକ ନଥିଲେ। ସେମାନେ ସୁନୀଲଙ୍କୁ ଖୋଜି ନିରାଶ ହେବା ପରେ ଟ୍ରାଭେଲ୍ସ ସଂସ୍ଥାକୁ ସୂଚନା ଦେଇ ଅନ୍ୟ ଏକ ଗାଡ଼ି ଭଡ଼ା କରି କଟକ ଯାଇଥିଲେ। ରାତି ପ୍ରାୟ ୧୨ଟାବେଳେ ଟ୍ରାଭେଲ୍ସ ସଂସ୍ଥାର ଆଉ ଜଣେ ଚାଳକ ଶ୍ରୀବିହାରରେ ପହଞ୍ଚି ସୁନୀଲ ଛାଡ଼ି ଯାଇଥିବା କାର୍ ନେଇଥିଲେ। ଆଜି ସକାଳେ ସୁନୀଲଙ୍କ ମୃତଦେହ ଶ୍ରୀ ଖାନ୍‌ଙ୍କ ଘର ନିକଟରେ ଥିବା ଏକ ଖାଲି ପ୍ଲଟ୍‌ରୁ ମିଳିଥିଲା। ଚନ୍ଦ୍ରଶେଖରପୁର ଥାନା ଅଇଆଇସି ବିଶ୍ବରଞ୍ଜନ ନାୟକ ଓ ଜୋନ୍ ଏସିପି ତରୁଣ କୁମାର ଦାସଙ୍କ କହିବା ଅନୁଯାୟୀ ନିଶାସକ୍ତ ଅବସ୍ଥାରେ ସୁନୀଲ୍ ପଥର ଗଦା ଉପରେ ପଡ଼ି ଛେଚି ହୋଇଯିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ।

ସମ୍ବନ୍ଧିତ ଖବର