ଭୁବନେଶ୍ବରର କାର୍‌ ଚାଳକଙ୍କୁ କୋରାପୁଟରେ ହତ୍ୟା ମାମଲା : ଢାବା ମାଲିକ, ଦମ୍ପତିଙ୍କୁ ପଚରାଉଚରା

ମିଳିଲା ସୁରାକ୍‌; ମିଳିନି କାର୍‌, ପର୍ସ ଓ ମୋବାଇଲ୍‌ ଫୋନ୍‌
କାର୍‌ ଚାଳକଙ୍କ ଭିତରେ କୋକୁଆ ଭୟ

ଭୁବନେଶ୍ବର : ଭୁବନେଶ୍ବରରୁ ଭଡ଼ାରେ ନେଇ କାର୍‌ ଚାଳକ ସୁଧୀର ସାହୁଙ୍କୁ କୋରାପୁଟ ବୋ‌ରିଗୁମ୍ମାରେ ହତ୍ୟା କରାଯାଇଥିବା ମାମଲାରେ କୋରାପୁଟ ପୁଲିସ ହାତରେ କିଛି ସୁରାକ୍‌ ଲାଗିଛି। କୋରାପୁଟ ପୁଲିସ ଏକ ଦମ୍ପତିକୁ ଠାବ କରିବା ସହ ସେମାନଙ୍କୁ ଥାନାରେ ପଚରାଉଚରା କରୁଥିବା ଜଣାପଡ଼ିଛି। ତେବେ ଏହି ଦମ୍ପତି କାର୍‌ ଚାଳକ ସୁଧୀରଙ୍କୁ ଭୁବନେଶ୍ବରରୁ ଭଡ଼‌ାରେ ନେଇଥିଲେ କି ନା, ତାହା ସ୍ପଷ୍ଟ ହୋଇନାହିଁ। ୨୫ ତାରିଖ ରାତିରେ ଏହି ଦମ୍ପତି ଶିବା ଢାବାରେ ଖାଇଥିବା ଜଣାପଡ଼ିବା ପରେ ପୁଲିସ ସେମାନଙ୍କୁ ପଚରାଉଚରା କରୁଛି। ଏମିତିକି ଢାବା ମାଲିକ ଶିବାକୁ ମଧ୍ୟ ପୁଲିସ ଥାନାକୁ ଡାକି ପଚରାଉଚରା କରୁଛି। ଶିବା ଢାବାର ସିସିଟିଭି ଫୁଟେଜ୍‌ ଓ ସପିଂ ମଲ୍‌ର ସିସିଟିଭି ଫୁଟେଜ୍‌କୁ ମିଶାଇ ପୁଲିସ ଉକ୍ତ ଦମ୍ପତିଙ୍କ ଉପରେ ଛାନ୍‌ଭିନ୍ ଆରମ୍ଭ କରିଛି। କିନ୍ତୁ ସୁଧୀରଙ୍କ କାର୍‌ ଓ ମୋବାଇଲ୍‌ ଫୋନ୍‌ ପୁଲିସ ହାତରେ ଲାଗି ପାରିନାହିଁ। ତେଣୁ ପୁଲିସର ସୁରାକ୍‌ ପାଇଥିବା ସୂଚନାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।

ସୂଚନାଯୋଗ୍ୟ, ୨୫ ତାରିଖ ରାତିରେ କାର୍‌ ଚାଳକ ସୁଧୀର ଓ ତାଙ୍କୁ ଭଡ଼ାରେ ନେଇଥିବା‌ ଜଣେ ପୁରୁଷ ଓ ଜଣେ ମହିଳା କୋରାପୁଟର ଏକ ଢାବାରେ ଖାଇଥିଲେ ଓ ରାୟଗଡ଼ାରେ ଏକ ସପିଂ ମଲ୍‌ରେ କିଣାକିଣି କରିଥିଲେ। ତେଣୁ ବୋରିଗୁମ୍ମା ପୁଲିସ ଢାବାରୁ ଓ ସପିଂ ମଲ୍‌ରୁ ସିସିଟିଭି ଫୁଟେଜ୍‌ ସଂଗ୍ରହ କରି କୋରାପୁଟରୁ ଉକ୍ତ ପୁରୁଷ ଓ ମହିଳାଙ୍କୁ ଠାବ କରିଛି। ସେମାନଙ୍କ ମୋବାଇଲ୍‌ ଫୋନ୍‌ କଲ୍‌ ରେକର୍ଡକୁ ଯାଞ୍ଚ କରାଯାଉଛି। ହତ୍ୟାକାଣ୍ଡରେ ସେହି ପୁରୁଷ ଓ ମହିଳାଙ୍କର ସମ୍ପୃକ୍ତି ଅଛି କି ନାହିଁ, ସେ ସମ୍ପର୍କରେ ଗଠନ ହୋଇଥିବା ସ୍ବତନ୍ତ୍ର ଟିମ୍ ଜେରା ଚଳାଇଛି। ସାଇଣ୍ଟିଫିକ୍‌ ଟିମ୍‌ ଦ୍ବାରା ସୁଧୀରଙ୍କ ମୃତଦେହରୁ ମିଳିଥିବା ଫିଙ୍ଗରପ୍ରିଣ୍ଟକୁ ଉକ୍ତ ପୁରୁଷ ଓ ମହିଳାଙ୍କ ଫିଙ୍ଗରପ୍ରିଣ୍ଟ ସହ ମେଳ କରାଯିବ ବୋଲି ପୁଲିସ ସୂଚନା ଦେଇଛି। ସେହିପରି ଅନ୍ୟ ଏକ ଟିମ୍ ସୁଧୀରଙ୍କ ମୋବାଇଲ ନମ୍ବର ସିଡିଆର(କଲ୍ ଡିଟେଲ୍ସ ରିପୋର୍ଟ)କୁ ଯାଞ୍ଚ ଚଳାଇଛି। ସେପଟେ କୋରାପୁଟ ପୁଲିସ ଖଣ୍ଡଗିରି ଥାନା ପୁଲିସ ସହ ନିୟମିତ ଯୋଗାଯୋଗରେ ରହିଛି। ପରିବାରଲୋକଙ୍କଠାରୁ ଆବଶ୍ୟକ ତଥ୍ୟ ସଂଗ୍ରହ କରାଯାଉଛି। ତେଣୁ ଖୁବ୍‌ ଶୀଘ୍ର ଏହି ଘଟଣାର ପର୍ଦ୍ଦାଫାସ୍ ହେବ ବୋଲି ପୁଲିସ ଆଶା ରଖିଛି। ଭଡ଼ାରେ ନେଇଥିବା ମହିଳା ଓ ପୁରୁଷ(ଦମ୍ପତି ବେଶଧାରୀ)ଙ୍କୁ ଚିହ୍ନଟ କରାଯିବା ପରେ ହତ୍ୟାକାଣ୍ଡ ପଛରେ ଥିବା ରହସ୍ୟ ଜଣାପଡ଼ିବ ବୋଲି କୁହାଯାଉଛି। ଲୁଟ୍ ଉଦ୍ଦେଶ୍ୟରେ ନା ଗଞ୍ଜେଇ ଚୋରା ଚାଲାଣକୁ ବିରୋଧ କରିବାକୁ ଯାଇ ସୁଧୀର ହତ୍ୟାର ଶିକାର ହୋଇଥିଲେ, ତାହା ସ୍ପଷ୍ଟ ହୋଇଯିବ। ଏପଟେ ଖଣ୍ଡଗିରି ଥାନା ପୁଲିସ ମଧ୍ୟ ସୁଧୀର ନିଖୋଜ ମାମଲାରେ ଛାନ୍‌ଭିନ୍ ଚଳାଇଛି। ସୁଧୀରଙ୍କ ମୋବାଇଲ୍‌ ଫୋନ୍‌ ନମ୍ବରକୁ ଟ୍ରାକିଂ କରୁଥିବା ଜଣାପଡ଼ିଛି। ଭୁବନେଶ୍ବରରୁ ଭଡ଼ାରେ ଯିବା ପୂର୍ବରୁ ସୁଧୀର କେଉଁ ପେଟ୍ରୋଲ୍‌ ପମ୍ପକୁ ଯାଇଥିଲେ, ସେ ସମ୍ପର୍କରେ ପୁଲିସ ଖୋଳତାଡ଼ କରୁଛି।

ଏହି ମାମଲା ପରେ ରାଜଧାନୀର କାର୍‌ ଚାଳକମାନଙ୍କ ଭିତରେ କୋକୁଆଭୟ ଖେଳି ଯାଇଛି। ପେଟପାଟଣା ଚିନ୍ତାରେ ଓ ଭଡ଼ା ଲୋଭରେ ଦୂର ଭଡ଼ାକୁ ଯାଇ ବିଚରା ଚାଳକମାନଙ୍କ ଜୀବନ ଚାଲି ଯାଉଥିବାରୁ ସେମାନେ ଭୟଭୀତ ହୋଇପଡ଼ିଛନ୍ତି। ବାରମ୍ବାର ଏଭଳି ଘଟଣା ଘଟୁଥିବାରୁ ଏଣିକି ଦୂରକୁ ଯାତ୍ରୀ ନେଇ ଯିବାକୁ ଚାଳକମାନେ ଭୟ କଲେଣି। ଗତ ଦୁଇ ମାସ ମଧ୍ୟରେ ଏଭଳି ୩ଟି ଘଟଣା ଘଟିଥିବା ଜଣାପଡ଼ିଛି। ଗତ ଡିସେମ୍ବର ୧୨ ତାରିଖ ଦିନ ବଲାଙ୍ଗୀରରେ ଏକ ବିବାହ ଭୋଜିରେ ଯୋଗ ଦେବାକୁ କହି ୮ ଜଣ ଯୁବକ ଭୁବନେଶ୍ୱରର ଏକ ଟ୍ରାଭେଲ୍‌ ଏଜେନ୍ସିରୁ ଇନୋଭା କାର୍‌ ଭଡ଼ାରେ ନେଇଥିଲେ। ବାଟରେ ସେମାନେ ଡ୍ରାଇଭର ଜିତେନ୍ଦ୍ର ନାୟକଙ୍କ ମୁଣ୍ଡରେ ବନ୍ଧୁକ ରଖି କାର୍‌ଟିକୁ ବୌଦ୍ଧ ଯାଏଁ ନେଇ ଯାଇଥିଲେ। ସେଠାରେ ବନ୍ଧୁକ କାରବାର କରିବା ସହ ମଦ୍ୟପାନ କରିଥିଲେ। ତେବେ ସୁଯୋଗ ଦେଖି ଜିତେନ୍ଦ୍ର କାର୍‌ ମାଲିକଙ୍କୁ ମେସେଜ୍‌ କରିଦେଇଥିଲେ। କାର୍‌ ମାଲିକ ସଙ୍ଗେସଙ୍ଗେ ବୌଦ୍ଧ ପୁଲିସକୁ ଜଣାଇବା ପରେ ପୁଲିସ ଅଭିଯୁକ୍ତମାନଙ୍କୁ ଧରିବାରେ ସକ୍ଷମ ହୋଇଥିଲା। ସେହିଭଳି ଗତ ବର୍ଷ ଖଣ୍ଡଗିରି ଅଞ୍ଚଳରୁ ଦୁର୍ବୃତ୍ତମାନେ ଏକ କାର୍‌କୁ ଭଡ଼ାରେ ନେଇଥିଲେ ଓ ଫୁଲନଖରାଠାରେ ଚାଳକକୁ କାର୍‌ ଭିତରୁ ଠେଲି ଦେଇ ପଳାଇଥିଲେ। ଅବଶ୍ୟ ପରେ ପୁଲିସ ଦୁର୍ବୃତ୍ତମାନଙ୍କୁ ଢ଼େଙ୍କାନାଳରୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର