ରାଜଧାନୀରେ ଚାଞ୍ଚଲ୍ୟ : ଭଡ଼ାରେ ନେଇ ମାରିଦେଲେ

ବୋରିଗୁମାରୁ ଉଦ୍ଧାର ହେଲା ଶବ, ଦମ୍ପତି ବେଶରେ ଥିଲେ ଲୁଟେରା

ଭୁବନେଶ୍ବର : ଭୁବନେଶ୍ବରରୁ କୋରାପୁଟକୁ ଭଡ଼ାରେ ନେଇ ଦମ୍ପତି ବେଶରେ ଥିବା ଜଣେ ଯୁବକ ଓ ଜଣେ ଯୁବତୀ କାର୍‌ ଚାଳକଙ୍କୁ ନିର୍ମମଭାବେ ହତ୍ୟା କରି କାର୍‌କୁ ଲୁଟି ନେଇଛନ୍ତି। ହତ୍ୟାକାଣ୍ଡ ଶିକାର ହୋଇଥିବା କାର୍‌ଚାଳକ ହେଲେ ଖଣ୍ଡଗିରି ଜାଗମରାରେ ରହୁଥିବା ଖୋର୍ଦ୍ଧା ଥାନା ବେଗୁନିଆର ସୁଧୀର କୁମାର ସାହୁ(୪୫)। ବୁଧବାର କୋରାପୁଟ ପୁଲିସ ସୁଧୀରଙ୍କ ମୃତଦେହକୁ ବୋରିଗୁମ୍ମା ଥାନା ଅନ୍ତର୍ଗତ ଛତର୍ଲା ଗ୍ରାମ ନିକଟସ୍ଥ ଗୋଟିଏ ବିଲରୁ ଜବତ କରିଛି। ନିକଟରେ କାର୍‌ ନଥିବାରୁ ଲୁଟ୍ ଉଦ୍ଦେଶ୍ୟରେ ତାଙ୍କୁ ହତ୍ୟା କରାଯାଇଥିବା ପ୍ରାଥମିକ ତଦନ୍ତରୁ ପୁଲିସ ଜାଣିବାକୁ ପାଇଛି। ଘଟଣାସ୍ଥଳରେ କୋରାପୁଟ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ଗତ ରବିବାର ଦିନ ଭୁବନେଶ୍ବର ବିମାନ ବନ୍ଦର ଅଞ୍ଚଳରେ ଜଣେ ଯୁବକ ଓ ଜଣେ ଯୁବତୀ ସୁଧୀରଙ୍କୁ ଭେଟିଥିଲେ। ସେମାନେ ସ୍ବାମୀ-ସ୍ତ୍ରୀ ବୋଲି ପରିଚୟ ଦେବା ସହ ସୋମବାର ଦିନ କୋରାପୁଟ ଯିବାକୁ ଭଡ଼ା ବାବଦରେ କଥା ହୋଇଥିଲେ। ସୋମବାର ଦିନ ସେମାନେ ସୁଧୀରଙ୍କୁ ଫୋନ୍‌ କରି ସନ୍ଧ୍ୟାରେ କୋରାପୁଟ ବାହାରିବାକୁ କହିଥିଲେ। ସେହି ଅନୁସାରେ ସୁଧୀର ଘରୁ ବାହାରି ଯାଇଥିଲେ। ଗତକାଲି ମଧ୍ୟାହ୍ନ ପର୍ଯ୍ୟନ୍ତ ସୁଧୀରଙ୍କ ଫୋନ୍‌ ଅନ୍‌ ଥିଲା। ସେ କୋରାପୁଟ ପେଟ୍ରୋଲ ପମ୍ପ ନିକଟ ଶିବା ଢ଼ାବାରେ ଖାଇବା ପରେ ସ୍ତ୍ରୀଙ୍କ ସହ ଫୋନ୍‌ରେ କଥା ହୋଇଥିଲେ ଓ କୋରାପୁଟର ବଲାଙ୍ଗୀର ହୋଇ ସେ ବୁଧବାର ଭୁବନେଶ୍ବରରେ ପହଞ୍ଚିବେ ବୋଲି କହିଥିଲେ। ମାତ୍ର ସନ୍ଧ୍ୟାବେଳେ ତାଙ୍କ ଫୋନ୍ ଅଫ୍ ହୋଇ ଯାଇଥିଲା। ତାଙ୍କ ସ୍ତ୍ରୀ ବାରମ୍ବାର ଫୋନ୍‌ କରିବା ପରେ ବି ଯୋଗାଯୋଗ ସମ୍ଭବ ହେଲା ନାହିଁ। କାର୍‌ରେ ମୋବାଇଲ୍‌ ଚାର୍ଜ କରିବା ବ୍ୟବସ୍ଥା ଥିବାରୁ ଫୋନ୍‌ ବନ୍ଦ ରହିବା ଘଟଣା ତାଙ୍କ ସ୍ତ୍ରୀଙ୍କ ମନରେ ସନ୍ଦେହ ସୃଷ୍ଟି କରିଥିଲା। ତେଣୁ ସେ ଗତକାଲି ରାତିରେ ଖଣ୍ଡଗିରି ଥାନାରେ ଜଣାଇଥିଲେ। ଖଣ୍ଡଗିରି ପୁଲିସ ତାଙ୍କ ମୋବାଇଲ ନମ୍ବରକୁ ଟ୍ରାକ୍‌ କରିବା ପରେ କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅଞ୍ଚଳରେ ତାଙ୍କ ମୋବାଇଲ୍‌ ଫୋନ୍‌ ବନ୍ଦ ହୋଇଥିବା ଜଣାପଡ଼ିଲା। ଏହି ଖବର ପାଇବା ପରେ ରାୟଗଡ଼ାରେ ରହୁଥିବା ସୁଧୀରଙ୍କ ସାନଭାଇ କେଦାର ସାହୁ ବୁଧବାର ସକାଳେ ବୋରିଗୁମ୍ମା ଥାନାକୁ ଯାଇ ପୁଲିସକୁ ଜଣାଇଥିଲେ। ତେବେ ଅପରାହ୍ଣ ୨ଟାବେଳେ ଛତର୍ଲା ଗ୍ରାମ ନିକଟସ୍ଥ ଏକ ବିଲରେ ଜଣେ ଯୁବକଙ୍କ ରକ୍ତାକ୍ତ ମୃତଦେହ ପଡ଼ିଥିବା ଖବର ବୋରିଗୁମ୍ମା ଥାନା‌ରେ ପହଞ୍ଚିଥିଲା। ପୁଲିସ କେଦାରଙ୍କୁ ଧରି ଘଟଣାସ୍ଥଳକୁ ଯିବା ପରେ ତାହା ସୁଧୀରଙ୍କ ମୃତଦେହ ବୋଲି ଜଣାପଡ଼ିଥିଲା। ମୃତଦେହଠାରୁ କିଛି ଦୂରରେ ତାଙ୍କ ଜୋତା ପଡ଼ିଥିବା ଦେଖିବାକୁ ମିଳିଥିଲା।

ସୁଧୀରଙ୍କ ସ୍ତ୍ରୀଙ୍କ କହିବା କଥା ଗତକାଲି ସକାଳେ ସୁଧୀର ତାଙ୍କୁ ଫୋନ୍‌ କରିଥିଲେ ଓ ରାୟଗଡ଼ାସ୍ଥିତ ଏକ ମଲ୍‌ ନିକଟରେ ଅପେକ୍ଷା କରିଥିବା କହିଥିଲେ। ଭଡ଼ାରେ ନେଇଥିବା ଦମ୍ପତି ଉକ୍ତ ମଲ୍‌ରେ ସପିଂ କରୁଥିଲେ ବୋଲି ସେ କହିଥିଲେ। ତେଣୁ କୋରାପୁଟ ଶିବା ଢ଼ାବା ଓ ରାୟଗଡ଼ା ମଲ୍‌ର ସିସିଟିଭି ଫୁଟେଜ୍ ଯାଞ୍ଚ କଲେ, ଉକ୍ତ ଦମ୍ପତି ବେଶରେ ଥିବା ଯୁବକ-ଯୁବତୀଙ୍କୁ ଚିହ୍ନଟ କରିବା ସମ୍ଭବ ହେବ। ସାଧାରଣ କାର୍‌ ଲୁଟିବା ପାଇଁ ଯେ ସୁଧୀରଙ୍କୁ ହତ୍ୟା କରାଯାଇଛି ବୋଲି ସାଧାରଣରେ ବିଶ୍ବାସ ହେଉନାହିଁ। ଦମ୍ପତି ବେଶରେ ଥିବା ଯୁବକ-ଯୁବତୀ ଗଞ୍ଜେଇ ଚାଲାଣ କରୁଥିବା ସନ୍ଦେହ କରାଯାଉଛି। ତେଣୁ ସୁଧୀର ତାଙ୍କ କାର୍‌ରେ ଗଞ୍ଜେଇ ଚାଲାଣକୁ ବିରୋଧ କରିଥିବାରୁ ହୁଏତ ସେମାନେ ତାଙ୍କୁ ହତ୍ୟା କରିଥାଇପାରନ୍ତି ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର