୩୦ ଫୁଟ୍‌ ତଳକୁ ଓଲଟିଲା କାର୍‌

ଅଳ୍ପକେ ବର୍ତିଲେ ୪ ଯାତ୍ରୀ

ବାଲିଅନ୍ତା : ରାତି ପ୍ରାୟ ୮ଟା ବେଳେ ଭୁବନେଶ୍ୱର -ବନମାଳିପୁର ମୁଖ୍ୟ ରାସ୍ତାର ବାଳକାଟି ଫାଣ୍ଡି ଅଧୀନ ପୂରଣଗ୍ରାମସ୍ଥିତ ଏକ ଘରୋଇ ନର୍ସିଂ କଲେଜ୍‌ ନିକଟରେ ଏକ କାର ଓଲଟି ପଡ଼ିଛି। ତେବେ ସୌଭାଗ୍ୟବଶତଃ ଏଥିରେ ଥିବା ଗାଡ଼ି ଚାଳକ ସମେତ ୪ଜଣ ଯାତ୍ରୀ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ହେଲେ ରାସ୍ତାରୁ ତଳକୁ ଦୀର୍ଘ ୩୦ ଫୁଟ୍‌ ଦୂରରେ ପଡ଼ିଥିବା ଦୁର୍ଘଟଣାଗ୍ରସ୍ତ ଉକ୍ତ କାର୍‌ଟି ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇଛି। ସେମାନଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତୁରନ୍ତ ସେଠାରେ ପହଞ୍ଚି ସମସ୍ତ ଯୁବକମାନଙ୍କୁ ଡୋର ଭାଙ୍ଗି କାର ଭିତରୁ ଉଦ୍ଧାର କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଯୁବକର ଘର ବୁଦ୍ଧିପଡ଼ା ହୋଇଥିବା ବେଳେ ଅନ୍ୟମାନଙ୍କ ଘର ବାଳକାଟି ଅଞ୍ଚଳରେ ବୋଲି ସୂଚନା ମିଳିଛି। ଦୁର୍ଘଟଣା ସଂପର୍କରେ ସ୍ଥାନୀୟ ଲୋକ ପୁଲିସ କଣ୍ଟ୍ରୋଲ ରୁମ୍‌କୁ ଯୋଗାଯୋଗ କରିଥିଲେ। ବାଳକାଟି ଫାଣ୍ଡି ପିସିଆର୍‌ ଭ୍ୟାନ୍‌ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ କାରଟିକୁ ଜବତ କରିଛି। ଆଉ ଗୋଟିଏ କାର୍‌କୁ ଅତିକ୍ରମ କରିବା ବେଳେ ଭାରସାମ୍ୟ ହରାଇ ଏହି ଦୁର୍ଘଟଣା ଘଟିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ। କାର୍‌ଟି ବାଳକାଟି ପାର୍ଶ୍ୱରୁ ବୁଦ୍ଧିପଡ଼ା ଗ୍ରାମକୁ ଫେରୁଥିବା ବେଳେ ଏହି ଅଘଟଣ ଘଟିଥିଲା।

ସମ୍ବନ୍ଧିତ ଖବର