କେନାଲରେ ଭାସିଗଲା କାର୍‌, ଗ୍ରାମବାସୀ ବଞ୍ଚାଇଲେ ଅଧ୍ୟାପକଙ୍କ ଜୀବନ

ବାଲିପାଟଣା: ଶୁକ୍ରବାର ଅପରାହ୍‌ଣ ୪ଟା। ହଠାତ୍‌ ହଂସପାଳ-ନିମାପଡ଼ା କେନାଲ ବନ୍ଧ ରାସ୍ତାର ମହୁଖଣ୍ଡାଠାରେ ଭାରସାମ୍ୟ ହରାଇ ଏକ କାର୍‌ କେନାଲ ଭିରକୁ ଖସିପଡ଼ିଲା। ଭିତରୁ ଚିତ୍କାର ଶୁଭୁଥିଲା ପହଁରା ଶିଖିନି ମୋତେ ବଞ୍ଚାଅ..। ତୁରନ୍ତ ସ୍ଥାନୀୟ ମହୁଖଣ୍ଡା ଗ୍ରାମର କିଛି ଯୁବକ ବୁଡ଼ି ଯାଉଥିବା କାର୍‌ ଭିତରୁ ଜଣେ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ। ଉଦ୍ଧାର ପାଇଥିବା ବ୍ୟକ୍ତି ଜଣକ ହେଲେ ଅଭୟମୁଖୀ ଗ୍ରାମର ଶୁଭ୍ରମନ୍ୟୁ ଶତପଥୀ। ସେ ଜଣେ ଅଧ୍ୟାପକ ବୋଲି ଜଣାପଡ଼ିଛି।

ହଂସପାଳ-ନିମାପଡ଼ା କେନାଲ ବନ୍ଧ ରାସ୍ତାର ମହୁଖଣ୍ଡା ରାସ୍ତା ଦେଇ ଶୁଭ୍ରମନ୍ୟୁ ଅପରାହ୍‌ଣରେ ନିଜ ଗ୍ରାମକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ କାର୍‌ଟି କେନାଲ ଭିତରକୁ ଖସି ଯାଇଥିଲା। କେନାଲରେ ପାଣି ଅଧିକ ଥିବାରୁ କାର୍‌ଟି ବୁଡ଼ିଯାଇଥିଲା। ଏହି ସମୟରେ ଶୁଭ୍ରମନ୍ୟୁଙ୍କ ଚିତ୍କାର ଶୁଣି ମହୁଖଣ୍ଡା ଗ୍ରାମର ମିଟୁ ମୁଖି, କାହ୍ନୁ ଖଟୁଆ, ପ୍ରମୋଦ ରାଉତ, ରାଜା ମୁଖି, ବୁବା ମୁଖି, ବାହୁଡ଼ି ଖଟୁଆ, କାହ୍ନୁ ରାଉତ ପ୍ରମୁଖ ପହଞ୍ଚି ଶୁଭ୍ରମନ୍ୟୁଙ୍କୁ ଉଦ୍ଧାର କରିଥିଲେ। କାର୍‌ଟି ଭାସି ଯାଇ ମହୁଖଣ୍ଡା ମୁଖିସାହି ବ୍ରିଜରେ ଲାଗିଥିଲା। ଅଗ୍ନିଶମ କର୍ମଚାରୀ ପହଞ୍ଚି ପାଣିରୁ କାର୍‌ଟିକୁ ଉଦ୍ଧାର କରିଥିବା ବାଲିପାଟଣା ଅଗ୍ନିଶମ ବିଭାଗ ମୁଖ୍ୟ ଅନ୍ତର୍ଯ୍ୟାମୀ ରଥ କହିଛନ୍ତି। ଗ୍ରାମବାସୀଙ୍କ ଉପସ୍ଥିତ ବୁଦ୍ଧି ଏବଂ ଅଦମ୍ୟ ସାହସ ଯୋଗୁଁ ଅଧ୍ୟାପକ ଶୁଭ୍ରମନ୍ୟୁଙ୍କ ଜୀବନ ବଞ୍ଚି ଯାଇଛି। ମହୁଖଣ୍ଡା ଗ୍ରାମବାସୀଙ୍କ ଏହି ଦୁଃସାହାସିକ କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ପ୍ରଶଂସା କରିଛନ୍ତି।

ସମ୍ବନ୍ଧିତ ଖବର