ବାରଙ୍ଗ/ତ୍ରିଶୂଳିଆ: ଗୁରୁବାର ବିଳମ୍ବିତ ରାତିରେ ମୁଣ୍ଡଳୀ ବ୍ରିଜ୍‌ ଉପରେ କାର୍‌ ରଖି ଜଣେ ଯୁବକ ଅନ୍ତର୍ଦ୍ଧାନ ହୋଇଯାଇଛନ୍ତି। ସେ ହେଲେ ନୟାପଲ୍ଲୀରେ ରହୁଥିବା କେନ୍ଦୁଝରର ଶକ୍ତିକାନ୍ତ ସାହୁ(୩୪)। କାର୍‌ ଭିତରୁ ସୁଇସାଇଡ୍‌ ନୋଟ୍‌ ମିଳିଥିବାରୁ ଶକ୍ତିକାନ୍ତ ମହାନଦୀକୁ ଡେଇଁ ପଡ଼ିଥିବା ସନ୍ଦେହ କରାଯାଉଛି। ମାତ୍ର ଆଜି ଦିନତମାମ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍ ଟିମ୍‌ ନଦୀରେ ଖୋଜିବା ପରେ ମଧ୍ୟ ମୃତଦେହ ମିଳିନଥିବାରୁ ଶକ୍ତିଙ୍କ ମୃତ୍ୟୁ ଘଟିଛି ବୋଲି ସ୍ପଷ୍ଟ ହୋଇନାହିଁ। ପୂର୍ବରୁ ଏମିତି କିଛି ଘଟଣା ଘଟିଥିଲା ଏବଂ ପରେ ନାଟକ ବୋଲି ଜଣାପଡ଼ିଥିଲା। ତେଣୁ ମୃତଦେହ ଜବତ ନ ହେବା ପର୍ଯ୍ୟନ୍ତ କିଛି ସ୍ପଷ୍ଟ ନୁହେଁ ବୋଲି ବାରଙ୍ଗ ଥାନା ପୁଲିସ କହିଛି। ଏଥିପାଇଁ ନିହାତି ୨୪ ଘଣ୍ଟା ଅର୍ଥାତ୍ ଆସନ୍ତାକାଲି ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ବୋଲି ପୁଲିସ ପରିବାର ଲୋକଙ୍କୁ କହିଛି।  

Advertisment

ନଦୀରେ ଖୋଜିଖୋଜି ଦିନ ବିତିଲା
କାର୍‌ରୁ ସୁଇସାଇଡ୍‌ ନୋଟ୍‌ ଜବତ

ଗତ ରାତିରେ ଗୋଡ଼ିସାହି ଫାଣ୍ଡିର ପାଟ୍ରୋଲିଂ ଗାଡି ମୁଣ୍ଡଳୀ ବ୍ରିଜ୍‌ ଉପରେ ଏକ କାର୍‌( ଓଡି ୩୩ ଏକେ ୦୫୦୦) ଥୁଆ ହୋଇଥିବା ଦେଖି ପାଖକୁ ଯାଇଥିଲା। କାର୍‌ରେ କେହି ନଥିଲେ। ଡୋର୍‌ ଲକ୍‌ ପଡ଼ି ନଥିଲା। ତେଣୁ ଫାଣ୍ଡି ଅଧିକାରୀ ସୌମ୍ୟଶ୍ରୀ ପାଣି ଡୋର୍‌ ଖୋଲି ଭିତରୁ ମୋବାଇଲ ଫୋନ୍‌ ଓ ଏକ ସୁଇସାଇଡ୍‌ ନୋଟ୍ ପାଇଥିଲେ। ‘ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହନ୍ତି’ ବୋଲି ସେଥିରେ ଲେଖାଥିଲା। ତୁରନ୍ତ ପୁଲିସ ଜବତ ମୋବାଇଲ୍‌ରେ କଲ୍‌ ଯାଞ୍ଚ କରି ପରିବାର ଲୋକଙ୍କୁ ଜଣାଇଥିଲା। ପରିବାର ଲୋକେ ପହଞ୍ଚିବା ପରେ ଜଣାପଡ଼ିଥିଲା ଯେ ଶକ୍ତି କେନ୍ଦୁଝରରୁ ଆଠଗଡ଼ ଦେଇ ଭୁବନେଶ୍ବର ଫେରିବା ବେଳେ ତାଙ୍କ ଶଳାଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କ ଭଉଣୀ ଓ ଭାଣିଜୀ ତାଙ୍କୁ ଲାଗିଲା ବୋଲି କହି ଫୋନ୍‌ କାଟି ଦେଇଥିଲେ। ଆଜି ସକାଳୁ ସକାଳୁ ବାରଙ୍ଗ ଅଗ୍ନିଶମ ବାହିନୀ ଓ ଓଡ୍ରାଫ୍‌ ଟିମ୍‌ ଆସି ମହାନଦୀର ଉଭୟ ପାର୍ଶ୍ବରେ ବେଶ୍ କିଛି ଦୂର ପର୍ଯ୍ୟନ୍ତ ଖୋଜିଥିଲେ। ଦିନସାରା ଦୁଇ ଟିମ୍‌ ଖୋଜିଖୋଜି ନୟାନ୍ତ ହୋଇଥିଲେ ହେଁ ଶକ୍ତିଙ୍କ ପତ୍ତା ମିଳିନଥିଲା। ପରିବାର ଲୋକଙ୍କ କହିବା କଥା ଶକ୍ତି ଭଲ ଭାବେ ପହଁରା ଜାଣିଛନ୍ତି। କିନ୍ତୁ ଭରା ନଦୀରେ ପ୍ରଖର ଜଳସ୍ରୋତରେ ଜଣେ କେତେ ସମୟ ପହଁରିପାରିବ ବୋଲି ପ୍ରଶ୍ନ ଉଠୁଛି। ଆତ୍ମହତ୍ୟା କଲା ଭଳି କିଛି ଅଘଟଣ ଘଟିନାହିଁ ବୋଲି ପତ୍ନୀ ମଧ୍ୟ ପୁଲିସକୁ ସୂଚନା ଦେଇଛନ୍ତି। ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ ଶକ୍ତି ଏକ ବିଲ୍‌ଡର୍‌ ସଂସ୍ଥାରେ କାମ କରୁଥିଲେ ଏବଂ କିଛି ଲୋକଙ୍କଠାରୁ ବହୁତ ଟଙ୍କା ନେଇଛନ୍ତି। ତେଣୁ ଟଙ୍କା ଶୁଝିବାକୁ ନେଇ କିଛି ଅଘଟଣ ଘଟିବା କଥାକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ। ଏଥିପାଇଁ ପୁଲିସ ଶକ୍ତିଙ୍କ ମୋବାଇଲ୍‌ରୁ କଲ୍‌ ଡିଟେଲସ୍‌ ଯାଞ୍ଚ କରୁଛି। ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ସବୁ କିଛି ସ୍ପଷ୍ଟ ହୋଇଯିବ ବୋଲି ପୁଲିସ କହିଛି।