ରାଜଧାନୀରେ କାର୍‌ କାଚଭଙ୍ଗା ଲୁଟେରା ଆତଙ୍କ, ଆଉ ୫ କାର୍‌ରୁ ଲୁଟିଲେ

୨୪ ଘଣ୍ଟାରେ ୬ ଲୁଟ୍‌, ୪ କାର୍‌ରୁ ଲୁଟିଲେଣି ୩ ଲକ୍ଷ ୭୦ହଜାର

ଭୁବନେଶ୍ବର: ରାଜଧାନୀରେ ମାତିଛନ୍ତି କାର୍ କାଚ ଭାଙ୍ଗି ଲୁଟୁଥିବା ଲୁଟେରା। ଭୁବନେଶ୍ବରରୁ ଜଟଣୀ ପର୍ଯ୍ୟନ୍ତ ବୁଲି ବୁଲି କାର୍‌କୁ ଟାର୍ଗେଟ୍‌ କରିବା ସହ ଡୋର୍‌ କାଚ ଭାଙ୍ଗି ଲୁଟିବାରେ ଲାଗିଛନ୍ତି ଦୁର୍ବୃତ୍ତ। ପୁଲିସକୁ ଚ୍ୟାଲେଞ୍ଜ ଦେବା ଭଳି ଗୋଟିକ ପରେ ଗୋଟିଏ କରି ଲୁଟ୍‌ କରି ଚାଲିଛନ୍ତି। ଦୁଇ ଦିନ ଭିତରେ ୬ଟି ଲୁଟ୍‌ ମାମଲା କରି କମିସନରେଟ୍‌ ପୁଲିସର ମୁଣ୍ଡ ବିନ୍ଧା ବଢ଼ାଇ ଦେଇଛନ୍ତି। ପୁଲିସ ସିସିଟିଭି ଫୁଟେଜ୍ ଦରାଣ୍ଡୁ ଦରାଣ୍ଡୁ ଦୁର୍ବୃତ୍ତମାନେ ପୁଣି ଗୋଟିଏ ଘଟଣା ଘଟାଉଛନ୍ତି।

ଗତକାଲି ଶ୍ରୀୟା ଟକିଜ୍‌ ଛକରେ କାର୍‌ କାଚ ଭାଙ୍ଗି ଲକ୍ଷେ ୨୦ ହଜାର ଟଙ୍କା ଲୁଟ୍‌ ହୋଇଥିଲା। ଏହି ଘଟଣା ବିତିବାକୁ ୨୪ ଘଣ୍ଟା ନ ପୂରୁଣୁ ଆଜି ପାତ୍ରପଡ଼ା ଛକରେ ଘଟିଛି ଆଉ ଏକ ଘଟଣା। ଆଜି ପୂର୍ବାହ୍ଣ ପ୍ରାୟ ୧୧ଟାବେଳେ ଜେ ସିଂଙ୍କ କାର୍‌ କାଚ ଭାଙ୍ଗି ଦୁର୍ବୃତ୍ତମାନେ ଲକ୍ଷେ ୨୦ ହଜାର ଟଙ୍କା ଲୁଟି ନେଇଛନ୍ତି। ଏନେଇ ଶ୍ରୀ ସିଂ ଖଣ୍ଡଗିରି ଥାନାରେ ଅଭିଯୋଗ କରିବା ପରେ ପୁଲିସ ଖୋଳତାଡ୍‌ ଆରମ୍ଭ କରିଛି। ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍‌ ସଂଗ୍ରହ କରୁଛି। ତେବେ ଆଜି ଏହି ଘଟଣା ସହ ଜଟଣୀ, କ୍ୟାପିଟାଲ ଥାନା, ଲକ୍ଷ୍ମୀସାଗର ଓ ଏୟାର୍‌ଫିଲ୍‌ଡ ଥାନା ଅଞ୍ଚଳରେ ମଧ୍ୟ ଏଭଳି ଲୁଟ୍‌ ଘଟିଛି। ଜଟଣୀରୁ ୫୦ ହଜାର ଟଙ୍କା ଓ କ୍ୟାପିଟାଲ ଥାନା ଅଞ୍ଚଳରୁ ୭୫ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ସେହିଭଳି ଏୟାର୍‌ଫିଲ୍‌ଡ ଥାନା ଓ ଲକ୍ଷ୍ମୀସାଗର ଥାନା ଅଞ୍ଚଳରୁ ଦୁଇଟି କାର୍‌ରୁ ଲକ୍ଷାଧିକ ଟଙ୍କା ଲୁଟ୍‌ ହୋଇଥିବା ଜଣାପଡ଼ିଛି। ଗୋଟିଏ ଦିନରେ ଭିନ୍ନ ଭିନ୍ନ ସମୟରେ ୫ଟି ସ୍ଥାନରୁ ଲୁଟ୍‌ ହୋଇଥିବାରୁ ଆଜି ରାଜଧାନୀରେ ଏହି ଗ୍ୟାଙ୍ଗ୍‌କୁ ନେଇ କୋକୁଆଭୟ ସୃଷ୍ଟି ହୋଇଛି। ସବୁଠାରେ ସମାନ ତରିକାରେ ଲୁଟ୍‌ ହୋଇଥିବାରୁ ଏହା କୌଣସି ଗୋଟିଏ ଗ୍ୟାଙ୍ଗ୍‌ର କାମ ବୋଲି ସନ୍ଦେହ କରାଯାଉଛି। ପୁଲିସ ମାସ୍କ ଓ ହେଲମେଟ୍‌ ଯାଞ୍ଚରେ ବ୍ୟସ୍ତ ରହୁଥିବାବେଳେ ଲୁଟେରାମାନେ ସେମାନଙ୍କ ଜାଲ ବିଛାଇ ଲୋକଙ୍କୁ ଲୁଟୁଥିବାରୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର