ଖଣ୍ଡଗିରି : ମାତ୍ର ୧୦ ଦିନର ବ୍ୟବଧାନ ପରେ କାର୍ ଲୁଟେରାମାନେ କ୍ରାଇମ୍ ଜୋନ୍ ଖଣ୍ଡଗିରିରେ ପୁଣି ଏକ କାରନାମା କରିଛନ୍ତି। ଗତ ୧୦ ତାରିଖ ଦିନର ଘଟଣା ଭଳି ଗୁରୁବାର ରାତି ପ୍ରାୟ ସାଢ଼େ ୯ଟା ବେଳେ ଜୟଦେବ ବାଟିକା ନିକଟରୁ ଏକ ସ୍ବିଫ୍ଟ ଡିଜାୟାର୍ କାର୍ ଲୁଟି ନେଇଛନ୍ତି। ଚାଳକକୁ ବନ୍ଧୁକ ଦେଖାଇ ଅପହରଣ କରି ଦୁର୍ବୃତ୍ତମାନେ କାର୍ ନେଇ ଚମ୍ପଟ୍ ମାରିଛନ୍ତି। ଖବର ପାଇ ରାଜଧାନୀର ସବୁ ଥାନା ପୁଲିସ ସହରର ପ୍ରମୁଖ ସ୍ଥାନ ତଲାସି କରୁଛନ୍ତି। ମାତ୍ର ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ପୁଲିସ କାର୍ ଚାଳକ କିମ୍ବା ଦୁର୍ବୃତ୍ତମାନଙ୍କ ପତ୍ତା ପାଇନାହିଁ।
ସୂଚନାନୁସାରେ, ଜୟଦେବ ବାଟିକା ଓ ଆମ୍ରି ହସ୍ପିଟାଲ ମଝିରେ ଚାରି ଜଣ ଯୁବକ ଏକ ସ୍ବିଫ୍ଟ୍ ଡିଜାୟାର୍ କାର୍ ଚାଳକଙ୍କୁ ମାଡ଼ ମାରୁଥିବା କିଛି ଲୋକ ଦେଖିଥିଲେ। ହଠାତ୍ ସେମାନେ କାର୍ ଚାଳକକୁ ଗାଡ଼ି ଭିତରେ ପୂରାଇ ଚନ୍ଦକା ଦିଗରେ ପଳାଇଥିଲେ। ଜଣେ ଦୁର୍ବୃତ୍ତ ଏକ ବନ୍ଧୁକ ଧରିଥିବା ଲୋକେ ଦେଖିଛନ୍ତି। ତେଣୁ ଏହା ଏକ ଅପହରଣ ଓ କାର୍ ଲୁଟ୍ ବୋଲି ଖବର ପ୍ରଚାରିତ ହୋଇ ଯାଇଥିଲା। ଖବର ପୁଲିସ କଣ୍ଟ୍ରୋଲ ରୁମ୍ ଓ ଖଣ୍ଡଗିରି ଥାନାରେ ପହଞ୍ଚିଥିଲା। ତୁରନ୍ତ ସମସ୍ତ ଥାନାକୁ ସତର୍କ କରି ଦିଆଯିବା ସହ ଖଣ୍ଡଗିରି ଥାନା ପୁଲିସ ଚନ୍ଦକା ପର୍ଯ୍ୟନ୍ତ ଗୋଡ଼ାଇ ଗୋଡ଼ାଇ ଯାଇଥିଲା। କିନ୍ତୁ କିଛି ବି ପତ୍ତା ମିଳି ନଥିଲା। ଖଣ୍ଡଗିରି ଥାନା ସୂତ୍ରରୁ ମିଳିଥିବା ସୂଚନାନୁସାରେ, କାର୍ ମାଲିକ ଓ ଚାଳକଙ୍କ ବାବଦରେ କୌଣସି ସୂଚନା ନାହିଁ। ପ୍ରଚାରିତ ଖବରକୁ ନେଇ ଛାନଭିନ୍ ଚାଲିଛି।
ଉଲ୍ଲେଖଯୋଗ୍ୟ ଯେ ଗତ ୧୦ ତାରିଖରେ ଅନୁରୂପ ଭାବେ ଏହି ସ୍ଥାନରୁ ୪ ଜଣ ଦୁର୍ବୃତ୍ତ ଏକ ଇନୋଭା କାର୍ ଲୁଟି ନେଇଥିଲେ। ଚାଳକ ଦିଲ୍ଲୀପ ଦେହୁରୀକୁ ଅପହରଣ କରି ପରେ ଫୁଲନଖରା ନିକଟରେ ତାଙ୍କୁ ଗାଡ଼ିରୁ ଠେଲି ଦେଇ ପଳାଇଥିଲେ। ଏ ପର୍ଯ୍ୟନ୍ତ ପୁଲିସ ସେହି ମାମଲାର ଟେର୍ ପାଇନାହିଁ।