ଧରାପଡ଼ିଲା କାର୍‌ ଲୁଟେରା, ୧୦ କାର୍‌ ଜବତ

ଭଡ଼ା ନାଁରେ ନେଇ ଚମ୍ପଟ ମାରୁଥିଲା

ଭୁବନେଶ୍ବର,: ହାଇଟେକ୍‌ ଉପାୟରେ ରାଜଧାନୀରୁ କାର୍‌ ଲୁଟୁଥିବା ଜଣେ ଧୂର୍ତ୍ତକୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ହେଲା ବାଲେଶ୍ବର ସିମୁଳିଆ ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁରର ମାନସ ରଂଜନ ବିଶ୍ବାଳ(୨୬)। ତା’ ପାଖରୁ ୧୦ଟି କାର୍ ଓ ଗୋଟିଏ ସ୍କୁଟି ଜବତ କରାଯାଇଛି। ଏହି ମାମଲାରେ ମାନସ ସ୍ତ୍ରୀର ମଧ୍ୟ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି। କିନ୍ତୁ ଅଧିକ ତଦନ୍ତ ଚାଲିଥିବାରୁ ପୁଲିସ ତା’ ସ୍ତ୍ରୀ ନାଁରେ ମାମଲା ରୁଜୁ କରିନଥିବା ସୂଚନା ମିଳିଛି। ରେଳବାଇରେ ଭଡ଼ା ଲଗାଇ ଦେବ କହି ମାନସ କାର୍‌ ମାଲିକମାନଙ୍କୁ ଚୁନ ଲଗାଉଥିବା ଜଣାପଡ଼ିଛି। ତେବେ ଜଣେ ଠକ ବହୁ ଦିନ ହେଲା ରାଜଧାନୀରେ ଏମିତି କାରନାମା କରୁଥିଲେ ବି କେହି କେମିତି ତା’ର ଟେର୍ ପାଉନଥିଲେ, ତାହା ସମସ୍ତଙ୍କୁ ବିସ୍ମିତ କରିଛି।

ମାନସ ନିଜକୁ ଜଣେ ରେଲୱେ ଅଧିକାରୀ ବୋଲି ପରିଚୟ ଦେଉଥିଲା। ଯେଉଁ କାର୍‌ ମାଲିକମାନେ ବ୍ୟବସାୟ ପାଇଁ ଭଡ଼ା ଦେବାକୁ ଚାହୁଥିଲେ, ମାନସ ସେମାନଙ୍କୁ ଟାର୍ଗେଟ୍‌ କରୁଥିଲା। କିଛି ମାଲିକ ସ୍ପିଡ୍‌-ଟଏଜ୍‌ ସଂସ୍ଥାରୁ ମାନସର ପରିଚୟ ପାଇଥିଲେ। କାରଣ ସେ ଉକ୍ତ ସଂସ୍ଥାରେ ନିଜକୁ ରେଳବାଇ ଅଧିକାରୀ ବୋଲି ଲେଖି କାର୍ ଭଡ଼ା ଦେବାକୁ ଇଛା କରୁଥିବା ଲୋକଙ୍କୁ ଫୋନ୍‌ କରିବାକୁ ସୂଚନା ଦେଇଥିଲା। କାର୍‌ ମାଲିକମାନେ ତାକୁ ଫୋନ୍‌ କରିବା ପରେ ଫସୁଥିଲେ। ଗତ ଫେବ୍ରୁଆରି ୧୭ରେ ଖଣ୍ଡଗିରିର ପୂର୍ଣ୍ଣଚନ୍ଦ୍ର ସାହୁ ତାଙ୍କ କାର୍‌କୁ ଭଡ଼ାରେ ଲଗାଇବା ପାଇଁ ମାନସ ସହ ଯୋଗାଯୋଗ କରିଥିଲେ। ଭଡ଼ା ବାବଦରେ ମାସିକ ୨୭ ହଜାର ଟଙ୍କା ମିଳିବ ବୋଲି ଚୁକ୍ତି ହୋଇଥିଲା। ପୂର୍ଣ୍ଣଚନ୍ଦ୍ରଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ମାନସ ଏକ କୋର୍ଟ ପେପର୍ ଆଣି ଲିଖିତ ଚୁକ୍ତି କରିଥିଲା ଓ ନିଜର ନକଲି ରେଳବାଇ ଆଇଡି ଦେଖାଇଥିଲା। ପୂର୍ଣ୍ଣଚନ୍ଦ୍ର କାର୍ ଦେବା ପରେ ପ୍ରଥମ ମାସରେ ୨୭ ହଜାର ଟଙ୍କା ପାଇଥିଲେ। ଏହା ପରେ ପୂର୍ଣ୍ଣଚନ୍ଦ୍ର ତାଙ୍କର ଆଉ ଦୁଇଟି କାର୍‌କୁ ସମାନ ଚୁକ୍ତି କରି ମାନସକୁ ଦେଇଥିଲେ। କିନ୍ତୁ ଏହାପରେ ମାନସ ଆଉ ଧରାଛୁଆଁ ଦେଇନଥିଲା। ଏମିତି ଅଭିନବ ଉପାୟରେ ମାନସ ରାଜଧାନୀର କାର୍‌ ମାଲିକଙ୍କୁ ଚୁନ ଲଗାଉଥିଲା।

ଏନେଇ ପୂର୍ଣ୍ଣଚନ୍ଦ୍ର ନୂଆପଲ୍ଲୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଥିଲା। ପୂର୍ଣ୍ଣଚନ୍ଦ୍ରଙ୍କ ପରେ ପରେ ଅନ୍ୟ ଚାରି ଜଣ ମଧ୍ୟ ମାନସ ନାଁରେ ସମାନ ଅଭିଯୋଗ ଆଣିଥିଲେ। ତେଣୁ ପୁଲିସ ଏହି ମାମଲାକୁ ଗୁରୁତ୍ବର ସହ ନେଇଥିଲା ଓ ଧୂର୍ତ୍ତ ମାନସକୁ ଧରିବା ପାଇଁ ଜାଲ ବିଛାଇଥିଲା। ପୁଲିସ ମାନସର ମୋବାଇଲ୍‌ ନମ୍ବର ଟ୍ରାକ୍‌ କରି ତାକୁ ଠାବ କରିଥିଲା। ତେବେ ସେ କାର୍‌ ଫେରାଇବ ବୋଲି କହି ପୁଲିସକୁ ବି ଧରାଛୁଆଁ ଦେଲା ନାହିଁ। ତେଣୁ ପୁଲିସ ତାକୁ ପିଛା କରି ବାଲେଶ୍ବରରୁ ଉଠାଇଥିଲା। ଗିରଫ ହେବା ପରେ ସେ ବିଭିନ୍ନ ସ୍ଥାନରେ ବନ୍ଧକ ଦେଇଥିବା କାର୍‌ ଗୁଡ଼ିକୁ ଉଦ୍ଧାର କରାଯାଇଥିଲା। ଏମିତିକି ତା’ ସ୍ତ୍ରୀକୁ ଏକ ସ୍କୁଟିର ମାଲିକାଣୀ ବୋଲି ଦର୍ଶାଇ ସେ ଜଣକଠାରୁ ୩୦ ହଜାର ଟଙ୍କା ବନ୍ଧକ ସୂତ୍ରରେ ଆଣି ଆଉ ଫେରାଇନଥିଲା। ପୁଲିସ ସୂଚନାନୁସାରେ ପୂର୍ଣ୍ଣଙ୍କ ବାଦ୍‌ ଝାରପଡ଼ାର ସୁବ୍ରତ କୁମାର ସାହୁଙ୍କ ଠାରୁ ଦୁଇଟି କାର୍ ଓ ଗୋଟିଏ ସ୍କୁଟି, ଜୟଦୁର୍ଗାନଗରର ପ୍ରୀତମ ପ୍ରତିହାରୀଙ୍କର ଗୋଟିଏ କାର୍, ରଂଜିତ ବେହେରାଙ୍କର ଗୋଟିଏ କାର୍, ବି. ସନ୍ତୁ ରାଓଙ୍କର ଗୋଟିଏ କାର୍‌ ଓ ଏହି ଭଳି ବିଭିନ୍ନ ସ୍ଥାନରୁ ୧୦ରୁ ଅଧିକ ମାଲିକଙ୍କୁ ଚୁନ ଲଗାଇଛି। ତେବେ ବଡ଼ କଥା ହେଉଛି, ମାନସ କୌଣସି କାର୍‌କୁ ବିକି ପାରିନଥିଲା। ମାଲିକାନା ସ୍ବତ୍ତ୍ବ ନଥିବାରୁ ସେ ସବୁ କାର୍‌କୁ ବନ୍ଧକ ସୂତ୍ରରେ ରଖି ଟଙ୍କା ଆଣୁଥିଲା। ସ୍ପିଡ୍‌ ଟଏଜ୍‌ ସଂସ୍ଥାର ଚୁକ୍ତି ପତ୍ର ଦେଖାଇ ସେ ବନ୍ଧକ ରଖୁଥିଲା ଓ ଟଙ୍କା ଉଠାଇ ଚଳୁ କରୁଥିଲା।

ବାସୁଦେବପୁରରେ ନିର୍ଧୁମ୍ ଛେଚା ଖାଇଥିଲା
କିଛି ମାସ ତଳେ ଭଦ୍ରକ ବାସୁଦେବପୁରର ୩ ଜଣ ଲୋକଙ୍କ ଠାରୁ ସମାନ ଢଙ୍ଗରେ କାର୍ ଭଡ଼ାରେ ଲଗାଇବ କହି ମାନସ ୪ଟି କାର୍ ଆଣିଥିଲା। ହେଲେ ପରେ ଲୋକଙ୍କୁ ଟଙ୍କା ନଦେଇ ଖେଳିଥିଲା। ଏପରିକି ଲୋକେ କାର୍ ଫେରସ୍ତ ମାଗିବାରୁ ମଧ୍ୟ ଦେଇନଥିଲା। ତେଣୁ ସେମାନେ ମାନସକୁ ପାନେ ଦେବାକୁ ଯୋଜନା କରିଥିଲେ। ଆଉ ଏକ କାର୍ ଭଡ଼ାରେ ଲଗାଇବାକୁ କହି ସେମାନେ ମାନସକୁ ଏକ ନିର୍ଦ୍ଦିଷ୍ଟ ଜାଗାକୁ ଡାକିଥିଲେ। ମାନସ ସେଠାରେ ପହଞ୍ଚିବା ପରେ ସେମ‌ାନେ ତାକୁ ବହେ ଉତ୍ତମ ମଧ୍ୟମ ଦେଇ ତା’ଠାରୁ ୪ଟି ଯାକ କାର୍ ଫେରସ୍ତ ଆଣିଥିଲେ।

ସମ୍ବନ୍ଧିତ ଖବର