ଭୁବନେଶ୍ବର: ସାର୍ ଆଜି ପୁରୀକୁ ଗୋଟିଏ ଭଡ଼ାଅଛି। ଏମିତି କହି ସକାଳୁ କାର୍ ନେଇ ବାହାରି ଗଲା। ନା ଆଉ ଫେରିଲା ନା ଫୋନ୍ କରି କିଛି ଜଣାଇଲା। ଭଡ଼ା ଯିବା ଆଳରେ ଟ୍ରାଭେଲ୍ ଏଜେନ୍ସି ମାଲିକଙ୍କୁ ଭୁଆଁ ବୁଲାଇ କାର୍ ନେଇ ଚମ୍ପଟ ମାରିଥିବା ଜଣେ ୪୨୦ ଚାଳକକୁ ଖାରବେଳନଗର ଥାନା ପୁଲିସ ଯାଜପୁରରୁ ଠାବ କରିଛି। ସେ ହେଲା ଭଦ୍ରକ ଜିଲ୍ଲାର ଜଗନ୍ନାଥ ମହାରଣା। ପୁଲିସ ତାଠାରୁ କାରକୁ ଜବତ କରିଛି।
ସୂଚନା ମୁତାବକ, ଗତ ୯ ତାରିଖ ଦିନ ସକାଳେ ଜଗନ୍ନାଥ ଖାରବେଳଗନର ଅଞ୍ଚଳର ଟ୍ରାଭେଲ୍ ଏଜେନ୍ସି ମାଲିକ ପ୍ରକାଶ ଓଝାଙ୍କୁ ପୁରୀରେ ଭଡ଼ା ଥିବା କହି କାର୍ ନେଇଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ନ ଫେରିବାରୁ ପ୍ରକାଶ ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ। ହେଲେ ତାର ଫୋନ୍ ବନ୍ଦ ଥିବା ଦେଖି ପରଦିନ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ହେଲେ ଦୁଇ ଦିନ ପରେ ମଧ୍ୟ ସେ କୌଣସି ଯୋଗାଯୋଗ କରିନଥିଲା। ଏନେଇ ପ୍ରକାଶ ଖାରବେଳନଗର ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଥିଲା। ମୋବାଇଲ୍ ନମ୍ବର ଟ୍ରେସ୍ କରି ତାକୁ ଆଜି ଅର୍ଥାତ ଶୁକ୍ରବାର ଦିନ ଯାଜପୁରରୁ କାବୁ କରି ଥାନାକୁ ଆଣି ଜେରା କରିଥିଲା। ତେବେ ଜେରା ବେଳେ ଜଗନ୍ନାଥ କହିଥିଲା ଯେ, ତାକୁ କେହି ନିଶାଦେଇ ଅପହରଣ କରିନେଇଥିଲା। ସେ କିଭଳି ଯାଜପୁରରେ ପହଞ୍ଚିଲା ଜାଣି ନାହିଁ ବୋଲି ପୁଲିସକୁ ସଫେଇ ଦେଇଛି। ତେଣୁ ପୁଲିସ ସମସ୍ତ ଦିଗକୁ ବିଚାରକୁ ନେଇ ଘଟଣାର ତଦନ୍ତ କରୁଛି।